oum

ରାଜସ୍ଥାନ ବୋଲରଙ୍କ କଞ୍ଜୁସ ବୋଲିଂ ପରେ ବ୍ୟାଟର ମିଲର ଓ ମୋରିସଙ୍କ ଧମାକାଦାର ପାଳି ବଳରେ ଦିଲ୍ଲୀକୁ ୩ ଉଇକେଟରେ ହରାଇଲା ରାଜସ୍ଥାନ

jsm

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚଳିତ ଆଇପିଏଲର ୭ମ ମ୍ୟାଚରେ ଗୁରୁବାର ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଉଇକେଟରେ ପରାସ୍ତ କରିଛି । ଆଜି ରାଜସ୍ଥାନ ଟସ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ମାତ୍ର ଦିଲ୍ଲୀର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ଶସ୍ତାରେ ପାଭିଲିୟନ ଫେରିବା ପରେ ଦଳ ବିପଦରେ ପଡ଼ିଥିଲା । ତେବେ ଅଧିନାୟକ ଋଷଭ ପନ୍ତ ସତର୍କତାର ସହ ଖେଳି ନିଜର ଅର୍ଦ୍ଧଶତକ ପୂରଣ କରିବା ସହ ଦଳର ସ୍କୋର ଆଗକୁ ବଢ଼ାଇ ଥିଲେ । ସେହିପରି ଲଲିତ ଯାଦବ ୨୦ ରନ ଓ ଟମ କରନ ୨୧ ରନ କରିଥିଲେ । ମାତ୍ର ନିମ୍ନ ଭାଗ ବ୍ୟାଟ୍ସମ୍ୟାନମାନେ ମଧ୍ୟ ବିଶେଷ ଯୋଗଦାନ ଦେଇପାରିନଥିଲେ । ଫଳରେ ଦିଲ୍ଲୀ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୭ ରନ କରିଥିଲା । ଅନ୍ୟ ପକ୍ଷରେ ୧୪୮ ରନର ବିଜୟ ଲକ୍ଷ୍ୟକୁ ନେଇ ରାଜସ୍ଥାନ ଦଳ ବ୍ୟାଟିଂ ଆରମ୍ଭ କରିଥିଲା । ଜସ ବଟଲର୍ ୨, ମନନ୍ ବୋରା ୯, ସଞ୍ଜୁ ସାମସନ୍ ୪ ଓ ଶିବମ୍ ଦୁବେ ୨ ରନ୍ କରି କରି ଆଉଟ୍ ହୋଇଥିଲେ । ତେବେ ଡେଭିଡ୍ ମିଲର ପଞ୍ଚମ ବ୍ୟାଟସମ୍ୟାନ ଭାବେ ଆସି ସ୍ଥିତି ସମ୍ଭାଳି ବ୍ୟାଟିଂ କରି ୬୨ ରନ୍ କରିଥିଲେ । ଡେଭିଡ୍ ମିଲରଙ୍କ ୬୨(୪୩) ରନ୍ ଏବଂ କ୍ରିସ ମୋରିସଙ୍କ ଧମାକାଦାର ୩୬ (୧୮) ରନ୍ ବଳରେ ୧୪୮ ରନର ବିଜୟ ଲକ୍ଷ୍ୟକୁ ହାସଲ କରିବାରେ ସକ୍ଷମ ହୋଇଛି ରାଜସ୍ଥାନ । ତାଙ୍କ ପରେ ଆସି ରିୟାନ୍ ପରାଗ୍ ଓ ରାହୁଲ୍ ତେୱତିଆ ଯଥାକ୍ରମେ ୨ ଓ ୧୯ ରନ୍ କରି ଫେରି ଯାଇଥିଲେ । ମ୍ୟାଚ ଜିତିବାକୁ ଦଳ ୩ ବଲରେ ୪ ରନ ଆବଶ୍ୟକ କରୁଥିବା ବେଳେ ଆଇପିଏଲ୍ ସବୁଠାରୁ ଦାମୀ ଖେଳାଳି ମୋରିସ୍ ଏକ ବଡ଼ ଛକ୍କା ମାରି ଦଳକୁ ବିଜୟ ଦେଇଥିଲେ । ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଏ ପର୍ୟ୍ୟନ୍ତ ଦୁଇଟି ମ୍ୟାଚ ଖେଳି ସେଥିରେ ଗୋଟିକରେ ବିଜୟ ହାସଲ କରିଛି ଓ ୨ ପଏଣ୍ଟ ପାଇଛି । ସେହିଭଳି ରାଜସ୍ଥାନ ଦଳ ୨ଟି ମ୍ୟାଚ ଖେଳି ଗୋଟିକରେ ପରାଜୟ ବରଣ କରି ଗୋଟିକରେ ବିଜୟୀ ହୋଇଛି ।

Leave A Reply

Your email address will not be published.