ମାଗୁରମାଲ ଗାଁର ନିଶାନୀ ପୀଠ

ଦେବାଶିଷ ପଟ୍ଟନାୟକ
ପଦ୍ମପୁର ସହରଠାରୁ ପାଇକମାଲ ଯିବା ରାସ୍ତାରେ ଭୁଲିଆବନ୍ଧଠାରୁ ୩ କି.ମି. ଦୂରରେ ଅବସ୍ଥିତ ମାଗୁରମାଲ ଗ୍ରାମ । ସେହି ଗ୍ରାମର ଉତ୍ତର ଦିଗରେ ଅବସ୍ଥିତ ମା’ ନିଶାନୀ ଦେବୀଙ୍କ ପୀଠ । ସ୍ଥାନଟିର ଅନତିଦୂରରେ ପୂରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ବରଗଡ଼ ଓ ବଲାଙ୍ଗିର ଜିଲ୍ଲାର ସୀମାରେଖା ରୂପେ ବିଦ୍ୟମାନ । ଏହାର ବିସ୍ତୃତି ପୂର୍ବରୁ ପଶ୍ଚିମକୁ ପ୍ରାୟ ୧୨୦ କି.ମି. ଦୀର୍ଘ ଅଟେ । ଏହି ସ୍ଥାନଟି ରାଜ୍ୟ ରାଜପଥ ୩ର ଠିକ୍ ପାଶ୍ୱର୍ରେ ଅବସ୍ଥିତ । ଏହା ବରଗଡ଼ ଜିଲ୍ଲା ପଦ୍ମପୁର ସବଡିଭିଜନ୍ ଅନ୍ତର୍ଗତ ପାଇକମାଳ ଥାନା ଅଧୀନରେ ରହିଛି । ଦେବୀପୀଠ ପାଖରେ ଅନେକ ଛୋଟ ଛୋଟ ଗ୍ରାମ ରହିଛି ।
ବହୁ ବର୍ଷ ପୂର୍ବେ ମଲଦାଠାରୁ ପାଇକମାଳ ପର୍ୟ୍ୟନ୍ତ ରାସ୍ତାଟି ଘଞ୍ଚ ଅରଣ୍ୟରେ ପରିପୂର୍ଣ୍ଣ ଥିଲା । ଫଳରେ ଜନସାଧାରଣ ସେହି ବାଟରେ ଯିବା ଆସିବା କରିବା ପାଇଁ ଭୟ କରୁଥିଲେ । ବର୍ତ୍ତମାନ ସେହି ଜଙ୍ଗଲ ସବୁ ପଦା ହୋଇଗଲାଣି ।
ମା’ ନିଶାନୀ ଦେବୀଙ୍କ ଆବିର୍ଭାବ ସଂପର୍କରେ କୌଣସି ପ୍ରାମାଣିକ ତଥ୍ୟର ନିଦର୍ଶନ ମିଳିନାହିଁ । କିନ୍ତୁ ଲୋକଙ୍କ ମୁଖରେ ବିଭିନ୍ନ ପ୍ରକାରର କିମ୍ବଦନ୍ତୀ ଶୁଣିବାକୁ ମିଳେ । ସେସବୁ କିମ୍ବଦନ୍ତୀ ସଂପୂର୍ଣ୍ଣ ସତ୍ୟ ବୋଲି ବିଶ୍ୱାସ କରାଯାଇ ନପାରିଲେ ମଧ୍ୟ ସଂପୂର୍ଣ୍ଣ ମିଥ୍ୟା ବୋଲି ଏଡ଼ାଇ ମଧ୍ୟ ଦିଆଯାଇ ନ ପାରେ ।
ବହୁ ବର୍ଷ ପୂର୍ବେ ବୋଡ଼ାସମ୍ବର ରାଜ୍ୟ ଏକ ସ୍ୱତନ୍ତ୍ର ଜମିଦାରୀ ରୂପେ ଗଠିତ ହୋଇଥିଲା । ଏହି ଜମିଦାରୀରେ ୪୭୬ ଗୋଟି କ୍ଷୁଦ୍ର ଗ୍ରାମ ଅବସ୍ଥିତ ଥିଲା ଏବଂ ଜମିଦାରୀର ପରିସର ଥିଲା ୨୧୭୮ ବର୍ଗ କି.ମି. । ସେହି ଗ୍ରାମଗୁଡ଼ିକ ମଧ୍ୟରେ ଗୋରଣ୍ଡା ନାମକ ଗ୍ରାମଟି ସବୁଠାରୁ ବୃହତ ଓ ସମୃଦ୍ଧିଶାଳୀ ଗ୍ରାମ ଥିଲା । ସେହି ଗ୍ରାମର ଗୌନ୍ତିଆ ପ୍ରଭାବଶାଳୀ ଥିଲେ । ସେତେବେଳେ ସମଗ୍ର ପାଇକମାଲ ଥାନା ଅଞ୍ଚଳ ଗୋରଣ୍ଡା ପ୍ରଗଣା ନାମରେ ନାମିତ ଥିଲା ଓ ଗୌନ୍ତିଆ ଥିଲେ ଏହି ପ୍ରଗଣାର ମାଲିକ । ଏହି ପ୍ରଗଣାଟି ପାଟଣା ମହାରାଜଙ୍କ ଅଧୀନରେ ରହୁଥିଲା । ମାତ୍ର ବୋଡ଼ାସମ୍ବର ଜମିଦାର ବଂଶର ଜଣେ ପୂର୍ବ ପୁରୁଷ ପାଟଣା ମହାରାଜଙ୍କ ଅଭିଷେକ ପ୍ରତି ବର୍ଷ ଯାଇ ମହାରାଜାଙ୍କ ମୁଣ୍ଡରେ ପଗଡ଼ି ବାନ୍ଧି ଦେଉଥିଲେ । ତେଣୁ ମହାରାଜ ତାଙ୍କ ଉପରେ ପ୍ରୀତ ହୋଇ ବୋଡ଼ାସମ୍ବର ୧୪ କୋଶ ଜମିଦାରୀ ଅଞ୍ଚଳ ତାଙ୍କୁ ପୁରସ୍କାର ସ୍ୱରୂପ ପ୍ରଦାନ କରିଥିଲେ । ଜମିଦାର ବୋଡ଼ାସମ୍ବର ଗ୍ରାମରେ ରହୁଥିବାରୁ ଜମିଦାରୀର ନାମ ବୋଡ଼ାସମ୍ବର ହୋଇଥିଲା । ବୋଡ଼ାସମ୍ବର ଗ୍ରାମଠାରୁ ୧୪ କୋଶ ପୂର୍ବ, ପଶ୍ଚିମ ଓ ଉତ୍ତର ଦିଗରେ ଏହାର ସୀମା ବ୍ୟାପୀ ଥିଲା । ଦକ୍ଷିଣ ଦିଗରେ ଗନ୍ଧମାର୍ଦ୍ଦନ ପର୍ୟ୍ୟନ୍ତ ଏହି ଅଞ୍ଚଳର ସୀମା ପରିବ୍ୟାପ୍ତ ଥିଲା । ବୋଡ଼ାସମ୍ବର ଗ୍ରାମଟି ବର୍ତ୍ତମାନ ଗନ୍ଧମାର୍ଦ୍ଦନର ପାଦଦେଶରେ ଅବସ୍ଥିତ ।
ବୋଡ଼ାସମ୍ବର ଗ୍ରାମଠାରୁ ପଶ୍ଚିମ ଦିଗର ୧୪ କୋଶ ବର୍ତ୍ତମାନ ମାଣ୍ଡୋସିଲ ଗ୍ରାମ ପର୍ୟ୍ୟନ୍ତ ଧରାଗଲା, ଯାହା ମଧ୍ୟରେ ପୂର୍ବୋକ୍ତ ଗୋରଣ୍ଡା ପ୍ରଗଣା ମଧ୍ୟ ବୋଡ଼ାସମ୍ବର ଜମିଦାରୀରେ ଅନ୍ତର୍ଭୁକ୍ତ ହୋଇ ଜମିଦାରଙ୍କ ଅଧୀନକୁ ଆସିବାର କଥା, ମାତ୍ର, ଗୋରଣ୍ଡା ଗୌନ୍ତିଆ ତାଙ୍କ ପ୍ରଗଣାର ଅଧିକାର ଛାଡ଼ିବାକୁ ରାଜି ହେଲେ ନାହିଁ । ଫଳରେ ଗୋରଣ୍ଡା ଓ ବୋଡ଼ାସମ୍ବର ଜମିଦାରଙ୍କ ମଧ୍ୟରେ ସୀମାକୁ ନେଇ ବିବାଦ ସୃଷ୍ଟି ହେଲା । ବିବାଦ ଚରମ ସୀମାରେ ପହଞ୍ଚିବାରୁ ଦୁଇ ଗୌନ୍ତିଆଙ୍କ ମଧ୍ୟରେ ଲଢ଼େଇ ହେଲା । ଲଢ଼େଇରେ ଉଭୟଙ୍କ ପକ୍ଷରୁ ବହୁଲୋକ ମୃତାହତ ହେଲେ । ଶେଷରେ ଗୋରଣ୍ଡା ଗୌନ୍ତିଆଙ୍କ ପରାଜୟ ଘଟିଲା ଓ ସେ ବୋଡ଼ାସମ୍ବର ଜମିଦାରଙ୍କ ଅଧୀନତା ସ୍ଵୀକାର କଲେ ।
ଯେଉଁ ତିନୋଟି ନିଶାଣ ଏହି ପୀଠରେ ପୂଜା ପାଉଛନ୍ତି, ତାହା ବୋଡ଼ାସମ୍ବର ଜମିଦାରଙ୍କ ବିଜୟର ନିଦର୍ଶନ(ନିଶାଣ) ସ୍ୱରୂପ ସେହିଠାରେ ହିଁ ସ୍ଥାପିତ ହେଲା ଓ ସେହି ନିଶାଣ ତ୍ରୟ ବୋଡ଼ାସମ୍ବର ଜମିଦାର ବଂଶର ପ୍ରତିଷ୍ଠିତ ଏକ ଶକ୍ତିପୀଠ ରୂପେ ସେହି ଦିନଠାରୁ ପରିଚିତ ହୋଇଆସୁଛି ।

Leave A Reply

Your email address will not be published.