ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ପରିଗଣିତ କରାଯାଏ । ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶ ରୂପ । ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ । ପଶ୍ଚିମ ଓ ମଧ୍ୟ ଭାରତର ଜୈନ ଧର୍ମାବଲମ୍ବୀ ଓ ବୌଦ୍ଧ ଧର୍ମାବଲମ୍ବୀମାନେ ମଧ୍ୟ ସରସ୍ୱତୀଙ୍କୁ ପୂଜା କରିଥାନ୍ତି । ପାରମ୍ପରିକ ରୂପରେ ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧିଛନ୍ତି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ଓଡ଼ିଆ ଭାଷାରେ ତାଙ୍କୁ ବାଣୀ ବୋଲି ମଧ୍ୟ କୁହାଯାଏ । ତାଙ୍କର ଅନ୍ୟ ନାମ ସବୁ ହେଲା ବୀଣା ପୁସ୍ତକ ଧାରିଣୀ, ବାଗ୍ଦେବୀ ବରଦା ଇତ୍ୟାଦି ।
ସରସ୍ୱତୀ ଶବ୍ଦର ମୂଳ ଅର୍ଥ ହେଲା – ସ୍ୱତଃ + ବତୀ, ଅର୍ଥାତ୍ ପ୍ରସରଣ ଯାହାଙ୍କର ଅଛି । ଅଜ୍ଞାନ ଅନ୍ଧକାର ମଧ୍ୟରୁ ତେଜୋମୟ ଦିବ୍ୟଧାମ୍କୁ ବାଟ କଢାଇ ନେବାର ସେ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ । ସରସ୍ୱତୀ ଶବ୍ଦ ସରସ (ଗତି, ପ୍ରବାହ) ଓ ବତୀ (ଅଛି, ମାନା) ଶବ୍ଦରୁ ଆସିଅଛି, ଏହାର ଅର୍ଥ ଗତିଶୀଳା ଯାହା ପ୍ରଗତିର ସୂଚକ । ସେ ସ୍ରୋତସ୍ୱତୀ ପରି ପ୍ରବହମାନା, ଜ୍ଞାନର ଅଧିଷ୍ଠାତ୍ରୀ ଦେବୀ । ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍ଦେବୀ, ବାଣୀ, ଶାରଦା । ମା’ ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ୱତୀ ସମ୍ଭୁତା । ମା’ ସରସ୍ୱତୀ, ମା’ ଲକ୍ଷ୍ମୀ ଓ ମା’ କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର ।
ପୁରାଣକାରମାନେ ସରସ୍ୱତୀଙ୍କୁ କନ୍ୟା ଏବଂ ବ୍ରହ୍ମାଙ୍କୁ ପିତା ରୂପେ ପରିକଳ୍ପନା କରିଛନ୍ତି । ବ୍ରହ୍ମାଣ୍ଡ ପୁରାଣମତେ, ସୃଷ୍ଟିର ଆରମ୍ଭ କାଳରେ ବ୍ରହ୍ମା ଯେତେବେଳେ ଧ୍ୟାନସ୍ଥ ଥିଲେ, ସେତେବେଳେ ତାଙ୍କ ଭିତରେ ସତ୍ତ୍ୱ ଗୁଣର ବିକାଶ ଘଟିଲା ଏବଂ ସେଥିରୁ ଏକ କନ୍ୟା ଜାତ ହେଲା । ତାଙ୍କର ରୂପ ଥିଲା ଦୁଗ୍ଧ ପରି ଶ୍ୱେତବର୍ଣ୍ଣ । ସେହି ଶ୍ୱେତବର୍ଣ୍ଣା କନ୍ୟାଙ୍କୁ ଦେଖି ବ୍ରହ୍ମା ତାଙ୍କର ପରିଚୟ ପଚାରିବାରୁ କନ୍ୟା କହିଲେ, ମୁଁ ତୁମଠାରୁ ଜାତ ହେଲି । ତେଣୁ ତୁମେ ମୋର ନାମକରଣ କର ଏବଂ ମୋର ପରିଚୟ କ’ଣ ହେବ ତାହା ସ୍ଥିର କର । ତାହା ଶୁଣି ବ୍ରହ୍ମା କହିଲେ, ତୁମର ନାମ ସ୍ୱରସ୍ୱତୀ ହେଉ । ତୁମେ ପ୍ରତ୍ୟେକଙ୍କ ଜିହ୍ୱାର ଅଗ୍ରଭାଗରେ ‘ବାକ୍’ ରୂପେ ଅବସ୍ଥାନ କରିବ । ସେଥିାଇଁ ତୁମେ ‘ବାଗ୍ଦେବୀ’ ରୂପେ ବିଦିତା ହେବ । ବିଶେଷ କରି ବିଦ୍ୱାନମାନେ ତୁମକୁ ଆଦର ଓ ଭକ୍ତିରେ ପୂଜା କରିବେ । ବାକ୍ଦେବୀ ବା ସରସ୍ୱତୀଙ୍କ ମାଧ୍ୟମରେ ବ୍ରହ୍ମା ବିଶ୍ୱ ବ୍ରହ୍ମାଣ୍ଡର ସମସ୍ତ ଜୀବ ତଥା ସ୍ଥାବରଜଙ୍ଗମ ସର୍ଜନା କଲେ । ବାକ୍ ନାମ୍ନୀ କନ୍ୟା ଅତ୍ୟନ୍ତ ସୁନ୍ଦରୀ । ସେ ନିଷ୍କାମ, କାମନାହୀନ କିନ୍ତୁ ବ୍ରହ୍ମା ତାଙ୍କ ରୂପ ଲାବଣ୍ୟରେ ବିମୋହିତ ହୋଇ ସ୍ୱୟମ୍ବୁ ବ୍ରହ୍ମା ତାଙ୍କୁ ଇଚ୍ଛା କରିବାରୁ ବ୍ରହ୍ମାଙ୍କର ମରୀଚି ଆଦି ପୁତ୍ରଗଣ ବ୍ରହ୍ମାଙ୍କୁ ନିନ୍ଦା କଲେ । ସରସ୍ୱତୀ ଶରୀର ତ୍ୟାଗ କଲେ ।
ବ୍ରହ୍ମବୈବର୍ତ୍ତ ପୁରାଣ ଅନୁଯାୟୀ ସୃଷ୍ଟି କାଳରେ ଈଶ୍ୱରଙ୍କ ଇଚ୍ଛାରୁ ଆଦ୍ୟାଶକ୍ତି ନିଜକୁ ପାଞ୍ଚ ଭାଗରେ ବିଭକ୍ତ କରି ନେଇଥିଲେ । ସେ ରାଧା, ପଦ୍ମା, ସାବିତ୍ରୀ, ଦୁର୍ଗା ଏବଂ ସରସ୍ୱତୀଙ୍କ ରୂପରେ ଭଗବାନ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଅଙ୍ଗରୁ ସୃଷ୍ଟି ହୋଇଥିଲେ । ସେ ସମୟରେ ଶ୍ରୀକୃଷ୍ଣଙ୍କ କଣ୍ଠରୁ ଦେବୀ ସରସ୍ୱତୀ ଉତ୍ପନ୍ନ ହୋଇଥିଲେ ।
ବେଦ
ଋକ ବେଦ ମତେ ସରସ୍ୱତୀ ମହାଶକ୍ତିଙ୍କର ଉତ୍ସ । ଏହି ଦେବୀ ନିରାକାର, ନିର୍ଗୁଣ, ନିର୍ମାୟା । ତାଙ୍କୁ ମାତା ଏବଂ ନଦୀ ରୂପରେ ସ୍ତୁତି କରି ଋଗ୍ ବେଦରେ ଲେଖାଯାଇଛି ।
ଅମ୍ବି ତମେ ନଦୀ ତମେ/ଦେବୀ ତମେ ସରସ୍ୱତୀ,
ଅପ୍ରଶସ୍ତ ଇବ ସ୍ୱାମୀ/କ୍ରଶସ୍ତି ମମ ନିସ୍କୃତି ।
ଆର୍ଯ୍ୟ ଋଷିଗଣ ସ୍ତୁତି କରୁଛନ୍ତି : ହେ ଶ୍ରେଷ୍ଠ ମାତା, ହେ ଶ୍ରେଷ୍ଠ ନଦୀ, ହେ ଶ୍ରେଷ୍ଠ ଦେବୀ, ଆମେ ସବୁ ଅପ୍ରଶସ୍ତ ପ୍ରାଣୀ, ଆମକୁ ପ୍ରଶସ୍ତ ତଥା ବିସ୍ତାରିତ କରାଅ ।
ବେଦରେ ଦେବୀମାନଙ୍କର ବନ୍ଦନାରେ ଦେବୀ ସରସ୍ୱତୀଙ୍କର ବର୍ଣ୍ଣନା ପ୍ରଥମ ଏବଂ ପ୍ରଧାନ ।
ଦେବୀ ସରସ୍ୱତୀ ବନ୍ଦନା ଶୁକ୍ଳାଂ ବ୍ରହ୍ମ ବିଚାର ସାର ପରମା
ଆଦ୍ୟାଂ ଜଗତ୍ ବ୍ୟାପୀନିଂ । ।
ବୀଣା ପୁସ୍ତକ ଧାରିଣୀମ୍ ଅଭୟଦାଂ ଜାଡ୍ୟାଙନ୍ଧକାରା ପହାଃ । ।
ହସ୍ତେ ସ୍ଫଟିକ ମାଳୀକାଂ ବିଦଧତୀ
ପଦ୍ମାସନେ ସଂସ୍ଥିତାଂ । ।
ବନ୍ଦେତ୍ୱାଂ ପରମେଶ୍ୱରୀ ଭଗବତିଂ
ବୁଦ୍ଧି ପ୍ରଦାଂ ସରାଦାଂ । ।
ଅନ୍ୟ ଧର୍ମରେ ସରସ୍ୱତୀ
ହିନ୍ଦୁଧର୍ମ ବ୍ୟତୀତ ବୌଦ୍ଧ, ଜୈନ ଧର୍ମରେ ମଧ୍ୟ ଦେବୀ ସରସ୍ୱତୀଙ୍କର ଆରାଧନା ରହିଛି । ଭାରତ ବାହାରେ ତିବ୍ବତ, ଚୀନ ଏବଂ ଜାପାନରେ ଦେବୀ ସରସ୍ୱତୀ ବୌଦ୍ଧଦେବୀ ଭାବେ ଜନାଦୃତ । ବୌଦ୍ଧ ଧର୍ମରେ ସେ ଭିକ୍ଷୁମାନଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି ଓ ବୁଦ୍ଧଙ୍କର ଶିକ୍ଷାକୁ ରକ୍ଷା କରିଥାନ୍ତି ବୋଲି ମାନ୍ୟତା ରହିଛି । ବୌଦ୍ଧ ଧର୍ମଶାସ୍ତ୍ର ‘ସାଧନମାଳା’ରେ ଉଲ୍ଲେଖ ଅଛି ଯେ, ଦେବୀ ସରସ୍ୱତୀ ଭକ୍ତମାନଙ୍କୁ ଜ୍ଞାନ ଓ ବୁଦ୍ଧି ଦାନ କରନ୍ତି । ଏହି ଗ୍ରନ୍ଥରେ ସରସ୍ୱତୀ ଚତୁଃରୂପରେ ପୂଜିତା – ମହା ସରସ୍ୱତୀ, ବଜ୍ରବୀଣା ସରସ୍ୱତୀ, ବଜ୍ରଶାରଦା ଏବଂ ବଜ୍ର ସରସ୍ୱତୀ । ବୌଦ୍ଧ ଧର୍ମ ଉପରେ ପଡ଼ିଥିବା ତାନ୍ତ୍ରିକ ପ୍ରଭାବ ଯୋଗୁଁ ହିଁ ଜ୍ଞାନ ଏବଂ ବୁଦ୍ଧିମତାର ବୌଦ୍ଧଦେବୀ ‘ପ୍ରଜ୍ଞା ପାରମିତା’ ପରବର୍ତ୍ତୀ ସମୟରେ ସରସ୍ୱତୀ ରୂପେ ପରିଚିତ ହେଲେ ।
ମାତା ପୁତ୍ରୌ ତୁ ବାକ୍ ପ୍ରାଣୌ / ମାତା ବା ପିତରଃ ସୁତଃ ।
ସରସ୍ୱନ୍ତମିତ ପ୍ରାଣୋ ବାଚଂ / ପ୍ରାଦୁଃ ସରସ୍ୱତୀମ୍ ।
-ବୃହଦ୍ ଦେବତା ଗ୍ରନ୍ଥ
ଅର୍ଥାତ୍ ବାକ୍ ଏବଂ ପ୍ରାଣର ମାତା ଏବଂ ପୁତ୍ର ସମ୍ବନ୍ଧ । ପ୍ରସାରଣଶୀଳ ପ୍ରାଣ(ନିଶ୍ୱାସ)ର ନାମ ସରସୂତ୍ ଏବଂ ଭାଷାର ନାମ ସରସ୍ୱତୀ ।
ମଥୁରା ନିକଟସ୍ଥ କାଳୀତିକା ଜୈନ ସ୍ତୁପରୁ ଏକ ମନୋଜ୍ଞ ସରସ୍ୱତୀ ମୂର୍ତ୍ତି ମିଳିବା ଘଟଣାରୁ ଜୈନଧର୍ମରେ ସରସ୍ୱତୀଙ୍କର ପୂଜା ରହିଥିବା ସୂଚନା ଦିଏ । ଜୋରୋଆଷ୍ଟର ଧର୍ମରେ ସରସ୍ୱତୀଙ୍କୁ ସରୋଶା ନାମରେ ଜଣାଯାଏ, ଯିଏ ଏଇ ପୃଥିବୀର ରକ୍ଷା କାରିଣୀ । ସରୋଶା (ଆଜ୍ଞାବହତା) ହେଉଛନ୍ତି ଆହୁରା ମଜଦାଙ୍କର ପତ୍ନୀ ଓ ଦୂତୀ, ଯାହାଙ୍କର କାମ ହେଲା ଡାଇନାଙ୍କୁ ଶିକ୍ଷାଦେବା । ଡାଇନା ହେଉଛନ୍ତି ବିବେକ ଓ ଧର୍ମର ସଙ୍ଗମ । ମୃତ୍ୟୁ ଉପରାନ୍ତ ଜୀବନରେ ସେ ଆତ୍ମାମାନଙ୍କୁ ଆଗର ଦିଗ୍ଦର୍ଶନ ଦେଇଥାନ୍ତି । ତାଙ୍କର ଏକ ଚିହ୍ନ ମୟୁରର ଡାକ ପୂତାତ୍ମାମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ସଚେତନ କରାଇଦିଏ । ବର୍ମିଜ ଭାଷାରେ ତାଙ୍କୁ ଥୁରାଥଡି (ଞଷଙ୍କକ୍ସବଗ୍ଧଷବୟସ), ଥାଇ ଭାଷାରେ ସୁରାସୱଦୀ (ଝଙ୍କକ୍ସବଗ୍ଦବଙ୍ଗବୟରର), ଜାପାନୀ ଭାଷାରେ ବେଞ୍ଜାଇତେନ ବୋଲି ପରିଚିତା ।
ପୂଜା ଓ ଉପାସନା
ଭାରତର କେତେକ ରାଜ୍ୟ ଯଥା ଓଡ଼ିଶା, ବିହାର ଓ ପଶ୍ଚିମ ବଙ୍ଗରେ ସରସ୍ୱତୀଙ୍କୁ ଦୁର୍ଗାଙ୍କର କନ୍ୟାଭାବେ ପୂଜା କରାଯାଏ । ସେଥିପାଇଁ ଦୁର୍ଗାପୂଜାରେ ଦୁର୍ଗାଙ୍କ ସହିତ ସରସ୍ୱତୀ, ଲକ୍ଷ୍ମୀ, ଗଣେଶ ଓ କାର୍ତ୍ତିକେୟଙ୍କର ମୂର୍ତ୍ତିକୁ ମଧ୍ୟ ପୂଜା କରାଯାଇଥାଏ ।
ଶ୍ରୀଦୁର୍ଗା ସପ୍ତସତୀରେ ଉଲ୍ଲେଖ ଅଛି, ଆଦ୍ୟା ଶକ୍ତି ଦୁର୍ଗା ତିନି ରୂପରେ ପ୍ରକାଶ ହୋଇ ତିନୋଟି ନବରାତ୍ରୀରେ ପୂଜା ପାଆନ୍ତି । ଆଶ୍ୱିନ ନବରାତ୍ରରେ ଦୁର୍ଗା ପୂଜା ପାଆନ୍ତି । ମା’ ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିହିତା, ବୀଣା ପୁସ୍ତକ ହସ୍ତରେ ହଂସାରୁଢା । ମା’ ଙ୍କର ବାହାନ ମୟୁର ବୋଲି କେତେକ ଶାସ୍ତ୍ରରେ ଉଲ୍ଲେଖ ଅଛି । ସରସ୍ୱତୀଙ୍କୁ ଶବ୍ଦ ବ୍ରହ୍ମରେ ସ୍ତୁତି କଲେ ମା’ ପ୍ରସନ୍ନ ହୁଅନ୍ତି । ମା’ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରନ୍ତି । ମା’ ସରସ୍ୱତୀ ବାଗ୍ଦେବୀ, ସମସ୍ତଙ୍କୁ ସଦ୍ବୁଦ୍ଧି ସହ ସତ୍ବଚନର ଆଶୀର୍ବାଦ ଦେଇଥାନ୍ତି ।