ଖୋବ୍ ଖରା । ତାଲୁ ଫାଟି ଗଲା ମେତାନ୍ ଲାଗୁଥାଏ । ମଦନ ପାଟନାଗଡ଼୍ ନୁ ବାହାରିଛେ ଦିନର ୧୧ ବଜେ ମୋଟର୍ ସାଇକେଲ୍ ଥି । ଠିକ୍ ଠିଆ ଖରା ୧ ବଜା କେ ପୁହୁଁଚିଲା ବଲାଙ୍ଗିରେ । ଯାହା ଯେନ୍ତା ହାଟ୍ବାଟ୍ ସବୁ ଗୁଟେ ମୁହୁଁଡ଼ା ଥି ସାରିଦେଲା ୨ ବଜେ ଭିତ୍ରେ । ତାର୍ ହିସାବେ ଫେର୍ ଫିରି ଯାଇଥିତା ପାଟନାଗଡ଼୍ କେ । ହେଲେ ଖରାର୍ ଟାନ୍ ଦେଖି କରି ହଦ୍ରି ଦେଲା । ତାହାକେ ଲାଗ୍ଲା – ମୁହୁଁ ଖରା ଥି ଗଲା ବେଲ୍କେ ଝାଉ ମାରିଦେବା…! ଘଂଟା ତିନେ ଟାଲି ଦେଇ କରି ବଲାଙ୍ଗିରୁ ବାହାର୍ଲେ ଠିକ୍ ହେବା ମନେ ମନେ ଭାବ୍ଲା । ହେଲେ ତିନ୍ ଘଂଟା ସମିଆଁ କେନ୍ତା କରି କଟାବା….! ଟିକି ଭାବ୍ଲା । ସୋର୍ ପଡ଼ିଗଲା, ତାର୍ କଲେଜ୍ ବେଲର୍ ସାଙ୍ଗ୍ ସପନ୍ ବଲି ଜନେ ରହୁଛେ ଇ’ ପାଖର୍ ପଡ଼ା ଥି । ସେ ଫେର୍ ବିହାଚୁରା ନେଇଁ ହେଇ । ବେଚ୍ଲର୍ ଆଏ । ଟିକେ କଥାତୁ ଟା ସିନା, ହେଲେ ତାର୍ ସବୁ ଠିକ୍ଠାକ୍ । ମାଷ୍ଟର୍ ଲୋକ୍ । ଏଛିନ୍ ତ’ ଖରାଛୁଟି ସମିଆଁ । ଘରେ ନିହାତି ଥିବା । ତାର୍ ନିକେ ଗଲେ ଛନେ ଘଡେ଼ ରେଷ୍ଟ୍ ବି ନେଇ ହେବା । ଏନ୍ତା ଭାବି କରି ମଦନ ସିଧା ସପନ୍ ଘର୍କେ ଛୁଟ୍ଲା । କଲିଂ ବେଲ୍ ଦେଲା କେ ସପନ୍ ଟାଏଟ୍ ହିଟାଲା । ବଢେ଼ ଗହକି ହେଲା, କଲେଜ୍ ବେଲର୍ ଜିଗ୍ରି ଦୋସ୍ତ୍ କେ ଦେଖିକରି । ଗହ ଗହ ହେଇ ଘର୍ ଭିତର୍ କେ ଡାକି ନେଲା । ପଖାଲ୍ ମୁଠେ ଖାଏବାକେ ବି କହେଲା । ମଦନ ପଖାଲ୍ ମୁଠେ ଖାଇ କରି କଥାବାର୍ତା ହେଇ ବସ୍ଲା ସପନ୍ ସାଙ୍ଗେ । କେତେ କଥା…. କଲେଜ୍ ବେଲେ କେନ୍ ଟୁକେଲ୍ କେତେ ସୁନ୍ଦର୍ ଦିଶୁଥିଲା? କେନ୍ ପିଲା କେନ୍ତା କରି କପି ନଉଥିଲା! କେନ୍ ଲେକ୍ଚର୍ ପାଠ୍ ପଢ଼ାବାର୍ କେ ବଡ଼ା କଧ୍ରୁଥିଲା….. କେତେନି କେତେ କଥା ଦୁଇ ଦୋସ୍ତ୍ ଭିତ୍ରେ ଚାଲ୍ଲା ।
ଘଂଟେ ଖଁଡେ଼ କଥା ବାର୍ତା ହେଲା ଉତ୍ରୁ ସପନ୍ ବଏଲା – ଦୋସ୍ତ୍, ମୁଇଁ ଏଭେ କବିତା ଲେଖୁଛେଁ ହୋ’….! କବି ମାନେ ବଡ଼ା ଗହକି ହଉଛନ୍ କବିତା ଶୁନିକରି । ଗୁଟା କେତେ କବିତା ଆମର୍ ଆଖର୍ ପାଖର୍ ମେଗାଜିନ୍ ମାନ୍କୁ ବି ବାହାରିଲାନ’ । ଜାନିଛ ତ’, ମୁଇଁ ଏକ୍ଲା ଲୋକ୍ । ମୁଠେ ଖାଇ ଦେଲା ଉତ୍ରୁ ମୋର୍ ଆର୍ କାଏଁ କାମ୍! ଧୁର୍କୁଟ୍ କବିତା ଲେଖୁଛେଁ! ଶୁନ ଦୁଇ ଚାଏର୍ଟା କବିତା…! କେନ୍ତା ଲାଗୁଛେ, କହେବ ।
ମଦନ କବିତାର୍ ଧାର୍ ନେଇଁ ଧରେ । ବୁପ୍ରା ତାର୍ ଅଫିସ୍ ନୁ ଆଏଲେ, ପେଟ୍ ପୁର୍ତୁନ୍ ଖାଇ କରି ଛୁଆପିଲାର୍ ସାଙ୍ଗେ ସମିଆଁ କଟାସି । ଇ’ ସାହିତ୍ୟ ଫାହିତ୍ୟ ଥି କାଣା ମିଲ୍ବା ବଲି ଛୁଆ ଦିନୁଁ ତାର୍ ମନେ ଗୁଟେ ବିକାର୍ ଭାବ୍ ରହିଛେ । ହେତିର୍ ଲାଗି ତ’ ମେଟ୍ରିକ୍ ଥି ବଡ଼ା ତର୍ସରେ ଟୁଆକେ ଟୁଆ ମାର୍କ ଆନି କରି ସାହିତ୍ୟ ଥି ପାସ୍ କରିଥିଲା । ସେ ଯାହା ବି ହଉ, ଦୋସ୍ତ ଯେତେବେଲେ କହୁଛେ, ବନେ ଲାଗୁ ନେଇଁ ଲାଗୁ, କବିତା ଶୁନ୍ବାକେ ପଡ଼୍ବା । କବିତା ଶୁନାବାର୍କେ କହେଲା ମଦନ । ଉସତ୍ ହେଇକରି ଗୁଟେ ମୁଟା ଡାଏରୀ ବାହାର୍ କଲା ସପନ୍ ଆର୍ ପଢ଼ି ଚାଲ୍ଲା କବିତା । ଦର୍ଖଁଡ଼ିଆ ବୁଝି କରି ବି ବଢ଼ିଆଁ ହେଇଛେ ବଲି ମଦନ କହି ଦଉଥାଏ । ସପନ୍ ଗୁଟେ ଉତ୍ରୁ ଆର୍ଗୁଟେ, ତାର୍ ଉତ୍ରୁ ଫେର୍ ଗୁଟେ… ଏନ୍ତା କରି ଗୁଟା ଦଶେ କବିତା ଶୁନେଇ ଦେଲାନ’ ମଦନ କେ । ମଦନ ଆର୍ ଠଅଁରି ନେଇଁ ପାର୍ଲା । ତାର୍ ମୁଡ଼୍ ଚଟ୍କି ଗଲା ମେତାନ୍ ଲାଗିଗଲା । ଏତେ ଟେ ଚିନ୍ତା, ଫେର୍ ଦର୍ଶନ୍….. ବୁଆ ଗୋ’, ସମ୍ଭାଲି ନେଇଁ ପାର୍ଲା ବୁପ୍ରା । ବାହାର୍ସିଁ ନ’ ହୋ ବଲି ତର୍ସର୍ ଗାଡ଼ି ଧରି କରି ସପନ୍ ଠାନୁ ଫେରାର୍ ମଦନ । ବାଟେ ଭାବୁଥାଏ, ଇ’ ଦୁଇ ପହରିଆ ଖରାର୍ ଠାନୁ ବି ଯହ ତାତି ଇ’ କବିତା ଥି । ଧଏନ୍ ଇ କବି ଜୀବନ୍ ।