ପଦ୍ମପୁରର ସାର୍ବଜନୀନ ଦୁର୍ଗାପୂଜା

ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ୪୭୬ଟି ଗ୍ରାମକୁ ନେଇ ଏକଦା “ବୋଡ଼ାସମ୍ବର ଜମିଦାରୀ” ଗଢ଼ି ଉଠିଥିଲା । ପାଟଣା ରାଜ୍ୟର ପାଟ ଜମିଦାରୀ ଓ ସମ୍ବଲପୁର ରାଜ୍ୟର ଅଠରଗଡ଼ ମଧ୍ୟରେ ଏହା ଏକ ବିଖ୍ୟାତ ଗଡ଼ ଥିଲା । ଖ୍ରୀଷ୍ଟୀୟ ୨ୟ ଶତାବ୍ଦୀ ବେଳକୁ ବୋଡ଼ାସମ୍ବର ଏକ ବିସ୍ତୃତ ଓ ସମୃଦ୍ଧ ରାଜ୍ୟ ଥିଲା । ଏହାର ପ୍ରଥମ ରାଜା ଥିଲେ ସୂର୍ୟ୍ୟ ବରିହା । ବରିହା ରାଜବଂଶର ପ୍ରଥମ ନିବାସ ବା କେନ୍ଦ୍ରସ୍ଥଳୀ ଥିଲା ପଡ଼ିକୋଡ଼ ଗ୍ରାମ । ପରେ ଶାସନର ସୁବିଧା ଦୃଷ୍ଟିରୁ ଏହା ବୋଡ଼ାସମ୍ବରକୁ ସ୍ଥାନାନ୍ତରିତ ହେଲା । ଏହି ସ୍ଥାନରେ ଦେବୀ ଦୁର୍ଗା “ସମର ଦେବୀ” ଭାବରେ ପୂଜା ପାଉଥିଲେ । ବରିହା ବଂଶର ଆରାଧ୍ୟ ଦେବୀ ହେଉଛନ୍ତି ବିନ୍ଧ୍ୟବାସିନୀ ଦୁର୍ଗା । ତୃତୀୟ ରାଜା ଦଶମନ୍ତ ବରିହା ନୃସିଂହନାଥଠାରେ ଦେବୀ ଦୁର୍ଗାଙ୍କ ବିଗ୍ରହ ପ୍ରତିଷ୍ଠା କରି ଦୁର୍ଗାପୂଜା ଆରମ୍ଭ କରିଥିଲେ ବୋଲି କେତେକ ଗବେଷକ ମତ ଦିଅନ୍ତି । ଷଷ୍ଠ ରାଜା ଜଗଦ୍ଦେବ ବରିହାଙ୍କ ସମୟରେ ଦେବୀ ଦୁର୍ଗାଙ୍କ ପୂଜା ଆରାଧନା ନିମିତ୍ତ ନିକଟସ୍ଥ ଦୁର୍ଗାପାଲି ଗ୍ରାମ ଦାନ କରାଯାଇଥିବା ଜଣାଯାଏ । ସମସ୍ତ ବରିହା ରାଜାମାନେ ଦେବୀ ଦୁର୍ଗାଙ୍କର ଉପାସକ ଥିଲେ । ତେଣୁ, ବୋଡ଼ାସମ୍ବର ଅଞ୍ଚଳରେ ରାଜାନୁଗତ ଧର୍ମ ଭାବେ ଦୁର୍ଗାପୂଜାର ବିଶେଷ ମହତ୍ତ୍ଵ ଓ ବ୍ୟାପ୍ତି ଥିଲା ।

୧୮୯୫ ମସିହାରେ ‘କୋର୍ଟ ଅଫ୍ ୱ।ର୍ଡ଼ସ୍’ର ଅବଧିର ସମାପ୍ତି ପରେ ବୋଡ଼ାସମ୍ବର ରାଜ୍ୟର ରାଜଧାନୀ ପଦ୍ମପୁରକୁ ସ୍ଥାନାନ୍ତରିତ ହୋଇଥିଲା । ତେବେ ବର୍ତ୍ତମାନର ରାଜବାଟୀର ନିର୍ମାଣ କେବେ ହୋଇଥିଲା ଓ କେବେଠାରୁ ରାଜ ପରିବାର ଏଠାରେ ସ୍ଥାୟୀ ଭାବରେ ବସବାସ କଲେ, ତାହା ସଠିକ ଭାବରେ ଜଣା ପଡ଼ୁନାହିଁ । ଏ ସମ୍ପର୍କରେ ବହୁ ମତ ରହିଛି । ତେବେ ୧୯୦୬ ମସିହା ବେଳକୁ ତତ୍କାଳୀନ ଜମିଦାର ସପରିବାର ଏଠାରେ ରହି ଶାସନ କରୁଥିବା ଜଣାଯାଏ । ୧୮୯୫ ମସିହାଠାରୁ ରାଜାଙ୍କ ଦ୍ୱାରା ପଦ୍ମପୁରରେ ଦୁର୍ଗାପୂଜା ହୋଇ ଆସୁଥିବା ଅନୁମାନ କରାଯାଏ । ୧୯୫୨ ମସିହାରେ ଜମିଦାରୀ ଉଚ୍ଛେଦ ପରେ ଜମିଦାରଙ୍କ ଆନୁକୂଲ୍ୟରେ ଆଉ କିଛି ବର୍ଷ ଦୁର୍ଗାପୂଜା ମହାସମାରୋହରେ ଅନୁଷ୍ଠିତ ହେବାପରେ ପ୍ରାୟ ୧୯୫୫ ମସିହାରୁ ପଦ୍ମପୁରର ସାଧାରଣ ଜନତାଙ୍କ ସହଯୋଗରେ ରାଜବାଟୀରେ ଦୁର୍ଗାପୂଜା ଅଦ୍ୟାବଧି ପାଳିତ ହୋଇ ଆସୁଅଛି ।

ଉପସ୍ଥାପକ : ଦେବାଶିଷ ପଟ୍ଟନାୟକ, ପଦ୍ମପୁର

Leave A Reply

Your email address will not be published.

five + 5 =