✍ ମୀନକେତନ ବାରଲେବଡ଼ିଆ
ସିନ୍ଧିଚୋର – ମାଟିକାନ୍ଥକୁ କଣା କରି ଚୋର ଘର ଭିତରକୁ ପଶୁଥିଲା ଓ ବାସନକୁସନ ସମେତ ଘରେ ଯାହା ପାଇଲା ତାକୁ ନେଇଯାଉଥିଲା । ଭଲ କଂସା ବାସନ ଦୁଇଖଣ୍ଡ କାହା ଘରେ ଥିଲେ ମଧ୍ୟ ସିନ୍ଧି ଖୋଳି ନେଇଯାଉଥିଲେ । ଏମିତି ବି ହେଇଛି, ଝିଅ ବାହାଘର ପାଇଁ ସବୁ ଜିନିଷ କିଣା ସରିଥିବ, ବାହାଘର ପୂର୍ବଦିନ କଳାକନା ବୁଲେଇ ଦେଇଥିବେ । ଲୋକ ତ ଚୋରମାନଙ୍କୁ ଜାଣି ବି ଯାଉଥିଲେ। ଅମୁକ ଗାଁରେ ସିନ୍ଧିଚୋର ଅଛନ୍ତି ବୋଲି କହିଦେଉଥିଲେ। ଅଶୀ ଦଶକ ପର୍ୟ୍ୟନ୍ତ ସିନ୍ଧିଚୋର ଦୃଷ୍ଟିଗୋଚର ହେଉଥିଲେ। ନବେ ଦଶକର ପ୍ରଥମ ଭାଗରେ କାଁ ଭାଁ ଦେଖାଦେଇଥିଲେ ହେଁ ପ୍ରାଦୁର୍ଭାବ କମିଗଲା ଓ ସେଇ କୁତ୍ସିତ ବୃତ୍ତି ଲୋପ ପାଇଗଲା ।
ଚୋରିବୃତ୍ତି ଆପଣେଇବାର ମୁଖ୍ୟ କାରଣ ଥିଲା ଦାରିଦ୍ର୍ୟ । ଲୋକ ଭଲ ଭାବରେ ଖାଇବାକୁ ପାଉ ନଥିଲେ । କାମଧନ୍ଦା ମଧ୍ୟ ମିଳୁନଥିଲା । “ବୁଭୁକ୍ଷୁ କିଂ ନ କରୋତି ପାପଂ ” ନ୍ୟାୟରେ କିଛି ଲୋକ ବାଧ୍ୟ ହେଉଥିଲେ ଏଭଳି ଘୃଣ୍ୟ କାର୍ୟ୍ୟ କରିବା ପାଇଁ। ସେତିକି ବେଳେ କ୍ଷେତରୁ ପାଚିଲା ଧାନ, ବିଭିନ୍ନ ପ୍ରକାରର ଶସ୍ୟ ମଧ୍ୟ ଚୋରି ହେଉଥିଲା। ଧାନଖଳାରୁ ଧାନ ଚୋରି ହେଉଥିଲା। ଲୋକଙ୍କ ଘରୁ ରନ୍ଧାଭାତ ମଧ୍ୟ ଚୋରି ହେଉଥିଲା। ଆଜିକାଲି ଏକଥା କହିଲେ ସମସ୍ତେ ଆଶ୍ଚର୍ୟ୍ୟ ହେବେ। ସେ ସମୟରେ ଚୋରମାନେ ଧରାପଡ଼ୁଥିଲେ, ଗାଆଁ ଲୋକଙ୍କ ଦ୍ବାରା ବହେ ସେକା ଖାଉଥିଲେ, ପୋଲିସ ବାନ୍ଧି ନେଉଥିଲା, ଜିଅଲ ହେଉଥିଲା। ପୁଣି ଜିଅଲରୁ ମୁକୁଳିଲା ପରେ ସେଇ କାମ କରୁଥିଲେ। ଏହାର ମୁଖ୍ୟ କାରଣ ଥିଲା ଭୋକ। ପୋଲିସ୍, କୋର୍ଟକଚେରୀ, ନିୟମକାନୁନ, ଜିଅଲ ଜୋରିମାନା କିଛି ବି ଏଇ ପ୍ରଥାକୁ ବନ୍ଦ କରିପାରୁନଥିଲେ।
ସରକାରୀ ସ୍ତରରେ ଯେତେବେଳେ ଲୋକମାନଙ୍କ ରୋଜଗାର ନିମନ୍ତେ ବିଭିନ୍ନ କାର୍ୟ୍ୟକ୍ରମ ସବୁ ପ୍ରଚଳନ କରାହେଲା । ଲୋକଙ୍କୁ ସରକାରୀ ସହାୟତା ମିଳିଲା । କଳକାରଖାନା ସବୁ ଗଢିଉଠିଲା । ସେଠାରେ ମଧ୍ୟ କାମ ସବୁ ମିଳିଲା। ବେସରକାରୀ ସ୍ତରରେ ମଧ୍ୟ ଦାରିଦ୍ର୍ୟ ଦୂରୀକରଣ ପାଇଁ ଅନେକ ପଦକ୍ଷେପ ନିଆଗଲା । ଲୋକମାନେ ଆଉ ଭୋକରେ ରହିଲେ ନାହିଁ। ଏ ଭଳି ଘୃଣ୍ୟ କାମ କରିବାଠୁ ଆପେ ଆପେ ସେମାନେ ଦୂରେଇ ଗଲେ ।
ଏବେ ଆସିବା ମୂଳ ପ୍ରସଙ୍ଗକୁ । ପ୍ରତିଦିନ ସାଇବର ଠକମାନେ ବିଭିନ୍ନ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିନେଉଥିବା ଆପଣମାନେ ଶୁଣୁଥିବେ, ପଢ଼ୁଥିବେ କିମ୍ବା ନିଜେ ମଧ୍ୟ ଏହାର ଶିକାର ହେଇ ସାରିବେଣି। ଆମେ କାରଣ ଖୋଜିବା ପୂର୍ବରୁ ଜାଣିବା ଏଇ ସାଇବର ଚୋରମାନେ କିଏ ? ଏମାନେ ସିନ୍ଧିଚୋର ଭଳି ଭୋକରେ ଆଉଟୁପାଉଟୁ ହେଉଥିବା ଲୋକ ନୁହଁନ୍ତି । ଏମାନେ ମଳିମୁଣ୍ଡିଆ ଲୋକ ନୁହନ୍ତି । ଏମାନେ ପାଠୁଆ । ଟଙ୍କା ଦେଇ ଯେତେ ବୈଷୟିକ/ଅଣବୈଷୟିକ ପାଠର ଯୋଗ୍ୟତା ଅର୍ଜନ କରାଯାଇପାରେ, ସେମାନେ ତାହାର ଅଧିକାରୀ । ସେମାନେ ସମ୍ଭ୍ରାନ୍ତ ଘରର ମଧ୍ୟ । ସେମାନଙ୍କ ଆଶାଥିଲା ଏଇ ଯୋଗ୍ୟତା ହାସଲ ପରେ ଭଲ ଅର୍ଥ ଉପାର୍ଜନ କରିବେ, ରୋଜଗାରକ୍ଷମ ହେବେ, ଅଏସ୍ ଜୀବନଯାପନ କରିବେ । କିନ୍ତୁ ରୋଜଗାର କାହିଁ ? ଅନ୍ୟ ଉପାୟ ନ ପାଇ ସେଇ ‘ସିନ୍ଧିଚୋର’ ଭଳି ଏଇ କୁତ୍ସିତ ବୃତ୍ତିକୁ ଆପଣେଇ ନେଉଛନ୍ତି ।
ଆମେ ଯଦି ତା’ର କାରଣ ଖୋଜି ନିରାକରଣ ବ୍ୟବସ୍ଥା କରିବା ନାହିଁ, ତେବେ ଏ ଭଳି ସାଇବର ଠକାମି ହେଉଥିବ । ସାଇବର ଚୋର ସଂଖ୍ୟା ବୃଦ୍ଧି ପାଉଥିବ । ସୀମିତ ବୈଷୟିକ ଜ୍ଞାନଯୁକ୍ତ ଆମ ପୋଲିସ୍ ଏମାନଙ୍କୁ ଧରିବାରେ ସକ୍ଷମ ହେଉନଥିବ । ଧରାପଡ଼ିଲେ ମଧ୍ୟ ତାଙ୍କ ଅଭାବ ପୂରଣ ନହେବା ଯାଏ, ତାଙ୍କ ପୂର୍ବ ବୃତ୍ତିକୁ ଯେ ନ ଫେରିବେ କିଏ ତା’ର ଗ୍ୟାରେଣ୍ଟି ଦେଇ ପାରିବ ନାହିଁ ।
ଇଣ୍ଟରନେଟ ମାଧ୍ୟମରେ ଅପରାଧ କରିବା ଖୁବ୍ ସହଜ ହେଇଗଲାଣି । ଯେଉଁମାନେ ଅପରାଧୀ ତାଙ୍କର ଅଗାଧ ଜ୍ଞାନ ଏହି ବିଷୟରେ। ଏଣୁ ଅପରାଧୀକୁ ଧରିବା କଷ୍ଟକର ବ୍ୟାପାର ହେଇପଡ଼ୁଛି । ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ଯାଉଥିବା ଟଙ୍କା କେତେ ଜଣ ଫେରି ପାଇଛନ୍ତି ଓ କେତେଜଣ ସାଇବର ଚୋର ଧରାପଡ଼ି ଜେଲ ଯାଇଛନ୍ତି ? କାରଣ ଏଇ ସାଇବର ଠକ ବା ଚୋରମାନଙ୍କ ବୈଷୟିକ ଜ୍ଞାନ ଆମ କର୍ମଚାରୀଙ୍କଠାରୁ ଖୁବ୍ ଅଧିକ ।
ବୈଷୟିକ ଶିକ୍ଷାଲାଭ କରିଥିବା ଯୁବକମାନଙ୍କୁ ରୋଜଗାର ମିଳିଲେ, ସିନ୍ଧିଚୋରି ଭଳି ସାଇବର ଚୋରି ମଧ୍ୟ ବିଲୁପ୍ତ ହେଇଯିବ, ମୋର ଦୃଢ ବିଶ୍ବାସ । ଆଉ କିଛି ତ ରହିବେ, ଯେଉଁମାନଙ୍କ କପାଳରେ ଚୋର ହେବା କଥା ବା ଅପରାଧୀ ହେବା କଥା ଲେଖିଦିଆ ହେଇଛି; ସେଇମାନଙ୍କୁ ଆଇନକାନୁନ, କୋର୍ଟକଚେରୀ, ପୋଲିସ୍ ଓ ଜେଲଖାନା ମାଧ୍ୟମରେ ସାବାଡ଼ କରିବାକୁ ହେବ। କିନ୍ତୁ ଏହି ସଂଖ୍ୟା ନିଶ୍ଚୟ ଖୁବ୍ କମ୍ ।
ମୋ.ନଂ. : ୯୪୩୭୧୩୨୬୬୨