ବଲାଙ୍ଗିର, (କେପିଏନ୍ଏସ୍) : ଗଣତନ୍ତ୍ରର ମୂଳମନ୍ତ୍ର ହେଲା ଶିକ୍ଷା । ଏହି ଦୃଷ୍ଟିକୋଣରୁ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଗଣତନ୍ତ୍ରର ମନ୍ଦିର ରୂପେ ପରିଚିତ ଭାରତୀୟ ସଂସଦର ବିଧି ବ୍ୟବସ୍ଥା ବିଷୟରେ ସବୁ ଛାତ୍ରଛାତ୍ରୀ ମାନେ ଅବଗତ ହେବା ଉଚିତ । ଏହି ଆଭିମୁଖ୍ୟ ନେଇ ସେଞ୍ଚୁରିଅନ ବିଦ୍ୟାଳୟର କର୍ତ୍ତୃପକ୍ଷ ଏକ ପ୍ରତୀକାତ୍ମକ ସଂସଦର ପରିକଳ୍ପନା କରିବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଜି ବିଦ୍ୟାଳୟର ପରିସରରେ ପରିବେଷିତ ହୋଇଥିଲା ଏକ ସ୍ୱତନ୍ତ୍ର ତଥା ଆକର୍ଷଣୀୟ କାର୍ଯ୍ୟକ୍ରମ । ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଷ୍ଟମରୁ ଦ୍ୱାଦଶ କଳା, ବିଜ୍ଞାନ ଓ ଫର୍ମାସୀର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଅନୁଷ୍ଷ୍ଠିତ ହୋଇଥିଲା । ସମସ୍ତ ଛାତ୍ରଛାତ୍ରୀଙ୍କୁ ଶାସକ ଓ ବିପକ୍ଷ ପରି ଦୁଇଟି ଦଳରେ ବିଭକ୍ତ କରାଯାଇଥିବା ବେଳେ ଛାତ୍ରଛାତ୍ରୀ ମାନେ ସଂସଦର ବାଚସ୍ପତି ଓ ଅମଲା ଗୁଡ଼ିକର ଅଭିନୟ ମଧ୍ୟ କରିଥିଲେ । ଛାତ୍ରଛାତ୍ରୀ ମାନେ ସରକାରୀ ଦଳର ବିଭିନ୍ନ ବିଭାଗ ଯେପରି ପ୍ରତିରକ୍ଷା, ଗୃହ, ବୈଦେଶିକ ବ୍ୟାପର, ଶିକ୍ଷା ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକର ସ୍ପଷ୍ଟୀକରଣ ଅତି ସୁନ୍ଦର ଭାବରେ ପରିବେଷଣ କରିଥିଲେ । ସଂସଦର ଅଧିବେଶନ ପ୍ରଥମେ ଜାମ୍ମୁ ଓ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଶହୀଦ ମାନଙ୍କ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନାରେ ଆରମ୍ଭ ହୋଇଥିଲା । ତାପରେ ସଂସଦର ପ୍ରଶ୍ନକାଳ ଆରମ୍ଭ ହୋଇଥିଲା । ପ୍ରତୀକାତ୍ମକ ସଂସଦରେ ବିପକ୍ଷ ଦଳର ଅନେକ ପ୍ରଶ୍ନର ଉତ୍ତର ଶାସକ ଦଳର ସଦସ୍ୟମାନେ ଅତି ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ । କାର୍ୟ୍ୟକ୍ରମଟି ବିଦ୍ୟାଳୟର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଥିଲା । ବିଦ୍ୟାଳୟର ଉପାଧ୍ୟକ୍ଷା ଶ୍ରୀମତୀ ପୁଣ୍ୟତୋୟା ବିଶ୍ୱାଳ, ରମ୍ୟରଞ୍ଜନ ମିଶ୍ର, ସୁଶ୍ରୀ ଭକ୍ତି ପଢିଆରୀ, ଇପ୍ସିତା ଯୋଶୀ ଏବଂ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଉପଯୁକ୍ତ ମାର୍ଗଦର୍ଶନ ଓ ସହଯୋଗରେ କାର୍ୟ୍ୟକ୍ରମଟି ସଫଳ ହୋଇପାରିଥିଲା । ବାସ୍ତବରେ ଆଞ୍ଚଳିକ ନିର୍ଦେଶକଙ୍କର ଏପରି ଏକ ଅଭିନବ ପ୍ରୟାସ ଛାତ୍ରଛାତ୍ରୀ ଓ ଅଭଭାବକଙ୍କ ମାନଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରି ପାରିଛି । କାର୍ୟ୍ୟକ୍ରମଟି ଅତ୍ୟନ୍ତ ସୂଚନାଧର୍ମୀ, ଶିକ୍ଷଣୀୟ ଓ ଅନୁକରଣୀୟ ହୋଇପାରିଥିବା ଜଣାପଡ଼ିଛି ।