jayashree

ୱାଇସିଡିଏ ସଂସ୍ଥା ପକ୍ଷରୁ ଶିଶୁ ସୁରକ୍ଷା ଓ ଦାନଉତ୍ସବ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାରା ଭାରତରେ ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ଦାନଉତ୍ସବ ଭାବରେ ପାଳନ କରାଯାଇଥାଏ । ଜୟ ଅଫ ଗିଭିଂ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥାଏ । ସମାଜର ଅବହେଳିତ ବର୍ଗର ଶିଶୁମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ବଦାନ୍ୟ ବ୍ୟକ୍ତିମାନେ ଆଗେଇ ଆସୁଛନ୍ତି । ସେମାନଙ୍କୁ ଏହି ଦାନ ଉତ୍ସବରେ ଯୋଡି ଉତ୍ସାହିତ କରିବା ଲକ୍ଷ୍ୟରେ କାର୍ଯ୍ୟକ୍ରମ କରାଯାଉଛି । ସେହିକ୍ରମରେ ବଲାଙ୍ଗିର ଗାର୍ଡେନଇନ ହୋଟେଲଠାରେ ୱାଇସିଡିଏ ସଂସ୍ଥା ପକ୍ଷରୁ ଶିଶୁ ସୁରକ୍ଷା ଓ ଦାନଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିରର ୧୦୦ରୁ ଅଧିକ ବୁଦ୍ଧିଜୀବୀ, ସମାଜସେବୀ, ସାମ୍ବାଦିକ, ସ୍ୱେଚ୍ଛାସେବୀ ତଥା ଶିଶୁମାନଙ୍କୁ ଭଲପାଇ ସହାୟତା କରୁଥିବା ବ୍ୟକ୍ତି ବିଶେଷ ଯୋଗଦେଇଥିଲେ । ସମାଜରେ ଅନେକ ବଦାନ୍ୟ ବ୍ୟକ୍ତି ଅଛନ୍ତି ଯେଉଁମାନେ ଅନାଥ ତଥା ପିତାମାତାଙ୍କୁ ହରାଇ ସ୍ନେହ କିମ୍ବା ସୁଯୋଗ ମିଳୁନଥିବା ଶିଶୁଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ତଥା ତାଙ୍କର ପ୍ରାଥମିକ ଆବଶ୍ୟକତାକୁ ନେଇ ସହାୟତାର ହାତ ବଢାଉଛନ୍ତି । ୱାଇସିଡିଏ ସୁରକ୍ଷା କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କୁ ଯୋଡୁଛି । ଏହି କାର୍ଯ୍ୟକ୍ରମରେ ଏକ ‘ଟକ ସୋ’ ମଧ୍ୟ ଆୟୋଜିତ ହୋଇଥିଲା । ଯେଉଁଥିରେ ଶିଶୁମାନଙ୍କର ସର୍ବୋତ୍ତମ ଅଧିକାର ତଥା ସମ୍ମୁଖିନ ହେଉଥିବା ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା । ଉପସ୍ଥିତ ବୁଦ୍ଧିଜୀବୀ ତଥା ଅଂଶଗ୍ରହଣକାରୀମାନଙ୍କୁ ପରିବାରର ଆବଶ୍ୟକତା ବିଷୟରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିକଳ୍ପ ପରିବାରରେ ବଢିଥିବା ଶିଶୁମାନେ ନିଜର ଅନୁଭୂତିକୁ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ୱାଇସିଡିଏର ସଂପାଦକ ରାଜେନ୍ଦ୍ର ମେହେର, ସମ୍ମାନୀତ ଅତିଥି ଭାବରେ ବିପିନ ବିହାରୀ ମହାନ୍ତି, ଡ.ସଂଜୟ ମିଶ୍ର, ସରସ୍ୱତୀ ନନ୍ଦ, ଦିଲିପକୁମାର ଯୋଷୀ ଓ ପ୍ରଦୀପ ଷଢଙ୍ଗୀ ଯୋଗଦେଇଥିଲେ । ଡ.ସଂଜୟ ମିଶ୍ର ତାଙ୍କ ବକ୍ତବ୍ୟରେ ବଲାଙ୍ଗିର ଜିଲ୍ଲାରୁ ଯାଉଥିବା ଦାଦନ ଶ୍ରମିକଙ୍କ ପରିବାରର ଶିଶୁମାନେ ତାଙ୍କ ବୃଦ୍ଧବୃଦ୍ଧା ଅଜା ଆଇଙ୍କ ପାଖରେ ଘରେ ଅସହାୟ ଅବସ୍ଥାରେ ପଡିରହୁଥିବା ବିଷୟରେ କହିଥିଲେ । ଶିଶୁମାନେ ତାଙ୍କର ଅଧିକାର ହରାଉଥିବା କହିଥିଲେ । ସେହିପରି ସରସ୍ୱତୀ ନନ୍ଦ ତାଙ୍କ ବକ୍ତବ୍ୟରେ ଶିଶୁଟିଏକୁ ତାର ନ୍ୟାୟିକ ଅଧିକାର ଦେବାରେ ସମାଜ କୁଣ୍ଠାବୋଧ ନକରୁ । ପିଲାଟିଏ ଜନ୍ମ ହେଲାମାତ୍ରେ ତାର ଯେଉଁ ଅଧିକାର ମିଳିବା ଆବଶ୍ୟକ ତାକୁ ମାନବିକତା ଦୃଷ୍ଟିରୁ ମଣିଷସମାଜ ପୂରଣ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଠିକ୍‌ ସେହିପରି ଦିଲିପ ଯୋଷୀ ପିଲାମାନଙ୍କର ଶିକ୍ଷା ଅଧିକାର ହନନ ହେଲେ ସେମାନେ ଆପେ ଆପେ ଖରାପ ଦିଗକୁ ଯିବେ ଓ ସମାଜରେ ବୋଝ ହୋଇଯିବେ । ତେଣୁ ସମସ୍ତେ ମିଳିତ ଭାବରେ ଅସହାୟ ଶିଶୁଙ୍କ ସୁରକ୍ଷା ପାଇଁ ସହାୟତାର ହାତ ବଢାଇବାକୁ ପଡିବ ବୋଲି ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ୱାଇସିଡିଏର ସମସ୍ତ କମକର୍ତ୍ତା ସଫଳ କରାଇଥିଲେ । ସୁରସଂଗମ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.