ଓଡ଼ିଶା ଉପକୂଳରେ ଅତି ଭୀଷଣ ବାତ୍ୟା ‘ୟାସ’ ସ୍ଥଳଭାଗରେ ମାଡ଼ ହେବା ସମୟରେ ଭାରତୀୟ ତଟରକ୍ଷୀ ବାହିନୀର ସତର୍କତାମୂଳକ ପଦକ୍ଷେପ ବଞ୍ଚାଇଲା ବହୁ ଜୀବନ

ଭୁବନେଶ୍ୱର, (ପିଆଇବି) : ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ୟାସ’ ମେ ୨୬, ୨୦୨୧ରେ ଓଡ଼ିଶା ଉପକୂଳ ବାଲେଶ୍ବର ଠାରୁ ଦକ୍ଷିଣରେ ୨୦ କିମି ଦୂରରେ ସ୍ଥଳ ଭାଗରେ ମାଡ଼ ହୋଇଥିଲା । ତେବେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ପୂର୍ବ ସାମୁଦ୍ରିକ କ୍ଷେତ୍ର ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପସମୂହ ଅଞ୍ଚଳରେ ବ୍ୟାପକ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯିବା ଫଳରେ ବହୁ ଧନଜୀବନର ସୁରକ୍ଷା ହୋଇପାରିଛି । ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ବରୂପ, ତଟରକ୍ଷୀ ବାହିନୀ ପକ୍ଷରୁ ସମୁଦ୍ରରେ ଥିବା ଥିବା ୨୬୫ଟି ମାଛଧରା ଡଙ୍ଗାକୁ କୂଳକୁ ଅଣାଯାଇଥିଲା । ଆହୁରି, ପରାମର୍ଶ ମୁତାବକ, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ନଙ୍ଗର ପକାଇଥିବା ଜାହାଜଗୁଡ଼ିକୁ ନିରାପଦ ଆଶ୍ରୟସ୍ଥଳୀକୁ ଅଣାଯାଇଥିଲା ଏବଂ ସିଙ୍ଗଲ ପଏଣ୍ଟ ମୁରିଂ (ଏସପିଏମ) କାର୍ୟ୍ୟକୁ ବାତିଲ କରାଯାଇଥିଲା । କୌଣସି ବାଣିଜ୍ୟିକ ଜାହାଜର କ୍ଷତି କିମ୍ବା ନିଖୋଜ ହୋଇଯାଇଥିବା ସମ୍ପର୍କରେ ସୂଚନା ମିଳିନାହିଁ । ସାମୁଦ୍ରିକ ଝଡ଼ ପରବର୍ତ୍ତୀ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ପୂର୍ବ ସାମୁଦ୍ରିକ ଉପକରେ ଭାରତୀୟ ତଟରକ୍ଷୀ ବାହିନୀର ସମସ୍ତ ଉପକୂଳ, ସାମୁଦ୍ରିକ ଓ ବିମାନ ୟୁନିଟ ଉଚ୍ଚସ୍ତରୀୟ ପ୍ରସ୍ତୁତି ସହିତ ସଜାଗ ରହିଛି । ତଟରକ୍ଷୀ ବାହିନୀର ତିନୋଟି ଜାହାଜକୁ ସମ୍ଭାବ୍ୟ ସନ୍ଧାନ ଓ ଉଦ୍ଧାର କାର୍ୟ୍ୟ ପାଇଁ ସମୁଦ୍ରରେ ରଣନୈତିକ ଦୃଷ୍ଟିରୁ ମୁତୟନ କରାଯାଇଥିଲା, ସେଗୁଡ଼ିକ ଏବେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ନିକଟରେ ରହିଛନ୍ତି ଏବଂ ଉପକୂଳର ପରିସ୍ଥିତିର ଆକଳନ କରିବା ସହିତ ସେହି ଅଞ୍ଚଳରେ ବିଶୋଧନ କାର୍ୟ୍ୟ କରୁଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧକ୍ରମେ ଦୀଘା ଓ କନ୍ତେଇ ଠାରେ ସହାୟତା ପାଇଁ ତଟରକ୍ଷୀ ବାହିନୀ ପକ୍ଷରୁ ବିପର୍ୟ୍ୟୟ ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଛି । ପଶ୍ଚିମବଙ୍ଗର ନୟାଚାରାରେ ଫସି ରହିଥିବା ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ତଟରକ୍ଷୀ ବାହିନୀର ଏୟାର କୁଶନ ବାହନ ଉଦ୍ଧାର କରିଛି। ଉଦ୍ଧାର କାର୍ୟ୍ୟ ଜାରି ରହିଛି । କନ୍ତେଇ ଠାରେ ଉଦ୍ଧାର ପ୍ରକ୍ରିୟାରେ ତଟରକ୍ଷୀ ବାହିନୀର ବିପର୍ୟ୍ୟୟ ମୁକାବିଲା ଦଳ ସହାୟତା ଯୋଗାଇ ଦେଉଛନ୍ତି । ତଟରକ୍ଷୀ ବାହିନୀର ଅନ୍ୟ ବିପର୍ୟ୍ୟୟ ମୁକାବିଲା ଦଳ ରାଜ୍ୟ ସରକାରଙ୍କ ଦ୍ବାରା କୌଣସି ଆବଶ୍ୟକତା ପଡ଼ିଲେ ସହାୟତା ଯୋଗାଇ ଦେବା ଲାଗି ଉଦ୍ଧାରକାରୀ ଡଙ୍ଗା, ଜୀବନରକ୍ଷାକାରୀ ସରଞ୍ଜାମ ଓ ଜୀବନରକ୍ଷାକାରୀ ଜ୍ୟାକେଟ୍ ସହିତ ପ୍ରସ୍ତୁତ ରହିଛନ୍ତି। ତୁରନ୍ତ ପରିବହନ ପାଇଁ ଡାକ୍ତରୀ ଦଳ ଓ ଆମ୍ବୁଲାନ୍ସକୁ ପ୍ରସ୍ତୁତ ରଖାଯାଇଛି । ସମୁଦ୍ରରେ ଡଙ୍ଗା, ପୋତ, ସ୍ଥାୟୀ ମଞ୍ଚ ଓ ଅନ୍ୟ ସମ୍ପତ୍ତିର ସୁରକ୍ଷା ପାଇଁ ରାଜ୍ୟ ପ୍ରଶାସନ, ସ୍ଥାନୀୟ କର୍ତ୍ତୃପକ୍ଷ, ବନ୍ଦର, ତୈଳ ରିଗ ପରିଚାଳକ, ଜାହାଜ ଚଳାଚଳ, ମତ୍ସ୍ୟପାଳନ କର୍ତ୍ତୃପକ୍ଷ, ମତ୍ସ୍ୟଜୀବୀ ସଂଘ ଏବଂ ଅନ୍ୟ ଅଂଶୀଦାରଙ୍କ ସହିତ ନିବିଡ଼ ସମନ୍ବୟ ଓ ସମ୍ପର୍କ ସ୍ଥାପନ କରାଯାଇଛି ।

Leave A Reply

Your email address will not be published.