ସମାଜସେବୀଙ୍କ ହସ୍ତକ୍ଷେପ ପରେ ଦିବ୍ୟାଙ୍ଗ ପୁଅ ରୁପା ପାଇଲେ ହୁଇଲଚେୟାର

କେସିଙ୍ଗା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପରେଲସିଙ୍ଗା ଗ୍ରାମ ପଂଚାୟତ ଅଧୀନସ୍ଥ ସଉରାପଦର ଗ୍ରାମର ଚେରୁ ମହାନନ୍ଦଙ୍କ ଦିବ୍ୟାଙ୍ଗ ପୁଅ ରୂପା ମହାନନ୍ଦ ଜନ୍ମରୁ ଦିବ୍ୟାଙ୍ଗ ଅଟନ୍ତି । ସେ ଜନ୍ମରୁ ଚାଲି ପାରନ୍ତି ନାହିଁ । ତାଙ୍କର ୭୫% ଦିବ୍ୟାଙ୍ଗ ପ୍ରମାଣପତ୍ର ଥିବା ବେଳେ ପ୍ରଶାସନ ପକ୍ଷରୁ ଭତ୍ତା କିମ୍ବା ହୁଇଲଚେୟାର ମିଳି ପାରିନଥିଲା । ଚେରୁ ମହାନନ୍ଦ ତାଙ୍କର ପୁଅଙ୍କୁ ଦିବ୍ୟାଙ୍ଗ ଭତ୍ତା ଓ ହୁଇଲଚେୟାର ଟିଏ ଦେବାକୁ ନିବେଦନ କରିଥିଲେ ମଧ୍ୟ କୌଣସି ଅଧିକାରୀ ତାଙ୍କର ଅଭିଯୋଗକୁ ଗ୍ରହଣ କରିନଥିଲେ । ତାଙ୍କୁ କେବଳ ପ୍ରତିଶୃତି ହିଁ ମିଳିଥିଲା । ଏହି ସମସ୍ୟା ବିଷୟରେ କିଛିଦିନ ତଳେ କେସିଙ୍ଗା ବ୍ଲକର ମହୀପାଳ ପୋଢ଼ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣାଇଥିଲେ । ସମସ୍ୟା ବିଷୟରେ ଜାଣିବାପରେ ସମାଜସେବୀ ରଣା ଏହି ସମସ୍ୟାକୁ ଜିଲ୍ଲା ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗର ଡ଼ିଏସ୍‌ଏସ୍‌ଓ ମଦନଜିତ ହୋତାଙ୍କୁ ଜଣାଇଥିଲେ ଓ ସମସ୍ତ ଡକ୍ୟୁମେଣ୍ଟ ପଠାଇଥିଲେ । ଏହାକୁ ଗୁରୁତ୍ୱର ସହ ନେଇ ଡ଼ିଏସ୍‌ଏସ୍‌ଓଙ୍କ ନିର୍ଦେଶରେ କେସିଙ୍ଗା ବିଏସ୍‌ଏସ୍‌ଓଙ୍କ ଜରିଆରେ ଗତକାଲି ରୂପାକୁ ଏକ ହୁଇଲଚେୟାର ପ୍ରଦାନ କରିଛନ୍ତି । ଆହୁରି କମ୍‌ ଦିନ ଭିତରେ ରୂପାଙ୍କୁ ଦିବ୍ୟାଙ୍ଗ ଭତ୍ତା ମଧ୍ୟ ମିଳିବା ନେଇ ସୂଚନା ଦେଇଛନ୍ତି । ରୂପାକୁ ହୁଇଲଚେୟାର ମିଳିବା ପରେ ତାଙ୍କ ପରିବାର ଲୋକେ ସମାଜସେବୀ ଯଶୋବନ୍ତ ରଣା, ମହୀପାଳ ପୋଢ଼ ଡ଼ିଏସ୍‌ଏସ୍‌ଓ ମଦନଜିତ ହୋତା, ଅରୁଣ ମହାପାତ୍ର ଓ କେସିଙ୍ଗା ବିଏସ୍‌ଏସ୍‌ଓଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.