ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଟିଟିଲାଗଡ଼ ତରଫରୁ “ଯୁବାବସ୍ଥାରେ ସାମାଜିକ ଦାୟିତ୍ୱବୋଧ” ଉପରେ ଏକ ଆନ୍ତର୍ଜାତିକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଇଂରାଜୀ ଅଧ୍ୟାପକ ଜୟଦେବ କରଙ୍କ ସଂଯୋଜନାରେ ହୋଇଥିବା ଏହି ୱେବିନାରରେ ଆୟରଲ୍ୟାଣ୍ଡ ସ୍ଥିତ ଡବ୍ଲିନ ସହରର ବରିଷ୍ଠ ସମାଜସେବୀ ଟୋନି କୋଫି ମୁଖ୍ୟବକ୍ତା ଏବଂ ଦକ୍ଷିଣ ଆଫ୍ରିକାର ଲେଶିଥି ସହରର ନାରୀବାଦୀ ସମାଜସେବୀ ଶ୍ରୀମତୀ ସିଜୁ ମୁପୋ ଅତିଥି ବକ୍ତା ଭାବରେ ଯୋଗ ଦେଇଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ମେଜର ଡ. ମଧୁସୂଦନ ମିଶ୍ର ଏହି ୱେବିନାରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ସାରଗର୍ଭକ ସ୍ୱାଗତ ଭାଷଣ ଦେଇଥିଲେ । କଲେଜର ଆଇ.କ୍ୟୁ.ଏ.ସି କୋର୍ଡିନେଟର ଅଧ୍ୟାପିକା ସସ୍ମିତା ପାଣିଗ୍ରାହୀ ନିମନ୍ତ୍ରିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରଫେସର ବିଧାନ ଚନ୍ଦ୍ର ମିଶ୍ର ଡିଏଭି ମହାବିଦ୍ୟାଳୟର ଗୌରବମୟ ଐତିହ୍ୟ ବାବଦରେ ସୂଚନା ଦେଇଥିଲେ । ମୁଖ୍ୟବକ୍ତା ଟୋନି କଫି ଯୁବକମାନଙ୍କୁ ପରିବେଶ ସନ୍ତୁଳନ ଦିଗରେ କାର୍ଯ୍ୟ କରି ଅଧିକରୁ ଅଧିକ ବୃକ୍ଷ ରୋପଣ ଏବଂ ଅଙ୍ଗାରକାମ୍ଳର ବିଶ ବଳୟରୁ ପୃଥିବୀକୁ ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ସିଜୁ ମୁପୋ ଦକ୍ଷିଣ ଏସିଆ ଏବଂ ଆଫ୍ରିକୀୟ ଦେଶ ମାନଙ୍କରେ ଯୁବତୀମାନେ ସାମ୍ନା କରୁଥିବା ସମସ୍ୟା ଏବଂ ତହିଁର ସମାଧାନ ଉପରେ ଆଲୋକପାତ କରିଥିଲେ । ପ୍ରଫେସର ଡ. ରମାକାନ୍ତ ବେହେରା ନାଗରିକ ଦାୟିତ୍ଵ ବୋଧ ଉପରେ ବକ୍ତବ୍ୟ ରଖିଥିବା ବେଳେ ପ୍ରଫେସର କୃଷ୍ଣ ଚନ୍ଦ୍ର ଶତପଥି ସାଂପ୍ରତିକ ପରିସ୍ଥିିତି ଉପରେ ବକ୍ତବ୍ୟ ରଖିଥିଲେ । ଏହି ୱେବିନାରରେ କଲେଜର ବରିଷ୍ଠ ପ୍ରାଧ୍ୟାପକ ଡ. ପ୍ରଣବ କିଶୋର ପୁରୋହିତ, ଡ. ନନ୍ଦ କିଶୋର ହୋତା, ଡ. ଉମେଶ ଚନ୍ଦ୍ର ସାହୁ, ଡ. ଉମାକାନ୍ତ ସାହୁ, ତଥା ଅଧ୍ୟାପକ ରାକେଶ ସେଠୀ, ମଳୟସେନ୍ ଜ୍ୟୋତିଷ, ବେଦ ବର ରଣା, ବୈଷ୍ଣବ କବାଟ, ସୁଶାନ୍ତ କୁମାର ପଟ୍ଟନାୟକ ତଥା ମାଲକାନଗିରି ଜିଲ୍ଲାର ବରିଷ୍ଠ ଅଧ୍ୟାପକ ଡ. ରଞ୍ଜନ କୁମାର ସ୍ବାଇଁ ଯୋଗ ଦେଇଥିଲେ । ସେହିପରି ଟିଟିଲାଗଡ଼ କଲେଜର ଅଧ୍ୟାପିକା ଡ.ଦେବୀ କେ, ସବ୍ୟାରାଣୀ ସୁନା, ରୋଜାଲି ସେଠୀ, ବନ୍ଦନା କର, କର୍ମଚାରୀ ତଥା ସାହିତ୍ୟିକ ସଞ୍ଜୟ ଅଗସ୍ତି, ବିନୋଦ ପଟ୍ଟନାୟକ, ଚିର ପଟ୍ଟନାୟକ ବିବେକାନନ୍ଦ ପାଣିଗ୍ରାହୀ, ରିମନ୍ ରଣା, ଲାଇବ୍ରେରିଆନ୍ ରତ୍ନାକର ନାୟକ ତଥା ଅନେକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ସଂଯୋଜକ ଜୟଦେବ କର ଧନ୍ୟବାଦ୍ ଅର୍ପଣ କରି ଅତିଥି ଦ୍ୱୟଙ୍କୁ ଓଡ଼ିଶା ଆସିବା ପାଇଁ ଅନୁରୋଧ କରିଥିଲେ ।
Prev Post
Next Post