ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ଭୋଟର ତାଲିକାର ସଂକ୍ଷିପ୍ତ ସ୍ଵତନ୍ତ୍ର ସଂଶୋଧନ କାର୍ୟ୍ୟକ୍ରମ ୨୦୨୪ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ୱାକଥନ୍ ଓ ପଥ ଉତ୍ସବ ଉପଖଣ୍ଡ ପ୍ରଶାସନ ତରପରୁ ଅନୁଷ୍ଠିତ ହୋଯାଇଅଛି । ଏହି ୱାକଥନ୍ ଓ ପଥ-ଉତ୍ସବକୁ ଉପ-ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ପଥ-ଉତ୍ସବ ନିମନ୍ତେ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ ହୋଇଥିଲା । ଏହି ଶୋଭାଯାତ୍ରା ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଠାରୁ ଆରମ୍ଭ ହୋଇ ଗୋଲ୍ଡେନ ଜୁବ୍ଲି ଟାଉନ ହଲ ନିକଟରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ଶଶୀଭୂଷଣ ରଥ ସ୍ମାରକୀ ମହିଳାମହାବିଦ୍ୟାଳୟ, ମହାମୟୀ ମହିଳାମହାବିଦ୍ୟାଳୟ ର ଛାତ୍ରୀମାନେ, ବି.ଏଲ୍.ଓ, ସୂପରଭାଇଜର, ବ୍ରହ୍ମପୁର ସ୍କେଟିଂ ଏକାଡେମୀ ର ଛାତ୍ରଛତ୍ରୀମାନେ ଉପସ୍ଥିତ ଥିଲେ । ୱାକଥନ୍ ଓ ପଥ-ଉତ୍ସବରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ଯେଉଁ ନାଗରିକଙ୍କ ବୟସ ୧୮ ବର୍ଷ ହେଉଥିବ ସେମାନେ ସ୍ଥାନୀୟ ବି.ଏଲ.ଓ., ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉପ-ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ କିମ୍ୱା ଅନ-ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ବୋଲି ଉପ-ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି କହିଥିଲେ । ଏହା ସହିତ ସଚେତନତା ମାଧ୍ୟମରେ ନାଗରିକଙ୍କ ନିକଟରେ ଭୋଟର ତାଲିକା ସଂଶୋଧନ, ନୂତନ ପଞ୍ଜିକରଣ, ମୃତ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ୍ ଦେବା, ଏକାଧିକ ଥର ନାମ ପଞ୍ଜିକରଣ ହୋଇଥିଲେ ଗୋଟିଏ ସ୍ଥାନରେ ନାମ ରଖି ଅନ୍ୟତ୍ର ବାଦ୍ ଦେବା ଆଦି ସମ୍ପର୍କରେ ସଚେତନତା ବାର୍ତା ଶୋଭାଯାତ୍ରା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଜଣାଇଥିଲେ । ଆଜିର ଏହି କାର୍ୟ୍ୟକ୍ରମରେ ଉପଜିଲ୍ଲାପାଳ କାର୍ୟ୍ୟାଳୟର କର୍ମଚାରୀ, ଆସିସ୍ଟାଣ୍ଟ କଲେକ୍ଟର ଶ୍ରୀମତୀ ଶୁଭଶ୍ରୀ ମିଶ୍ର ଓ ଆଶୁତୋଷ ପଟ୍ଟନାୟକ, ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ଥିଲେ ।