ଭୋଟ ଗଣତି ପାଇଁ ଅଧିକାରୀଙ୍କୁ ତାଲିମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ଏକକାଳୀନ ସାଧାରଣ ନିର୍ବାଚନରେ ସମସ୍ତ ଆଶାୟୀ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଗ୍ରହଣ ୨୦ ମେ’ରେ ହୋଇଥିବା ବେଳେ ଆସନ୍ତା ଜୁନ୍‌ ୪ରେ ଭୋଟ ଗଣତି ହେବ । ଏଥିପାଇଁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ତରଫରୁ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସହର ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟରେ ସମସ୍ତ ଭୋଟ ଗଣତି କେନ୍ଦ୍ର ପାଇଁ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଛି । ଉଭୟ ଲୋକସଭା ଓ ବିଧାନସଭା ଭୋଟ ଗଣନା ନିମନ୍ତେ ଅଣୁପର୍ଯ୍ୟବେକ୍ଷକ, କାଉଣ୍ଟିଂ ସୁପରଭାଇଜର୍‌ ଏବଂ ଆସିଷ୍ଟାଣ୍ଟ ମାନଙ୍କୁ ନେଇ କାଉଣ୍ଟିଂ ଦଳ ଗୁଡିକୁ ଗଠନ ହୋଇଛି । ଭୋଟ ଗଣନା ସହ ଇଭିଏମ୍‌, ଭିଭିପାଟ୍‌, ଭୋଟର୍‌ ସ୍ଲିପ୍ ଏବଂ ବ୍ୟବହାର ହୋଇନଥିବା ପୋଷ୍ଟାଲ୍‌ ବାଲାଟ ଗୁଡିକୁ ସିଲ୍‌ କରିବା ପ୍ରଣାଳୀ ବାବଦରେ ତାଲିମ ଦିଆଯିବ । ସମସ୍ତ ରିଟର୍ଣ୍ଣିଙ୍ଗ ଅଧିକାରୀଙ୍କ ଦ୍ୱାରା କାଉଣ୍ଟିଂ ଦଳଗୁଡିକୁ ୨ଟି ପର୍ଯ୍ୟାୟରେ ୨ ଦିନ ତାଲିମ ଦିଆଯିବ । ଏହି ତାଲିମ ୧୧ ଜଣ ମାଷ୍ଟର ଟ୍ରେନର୍‌ଙ୍କ ଦ୍ଵାରା ୧୧ଟି କକ୍ଷରେ ଜିଲ୍ଲାର ବିଭିନ୍ନ ପଦାଧିକାରୀଙ୍କ ଦ୍ଵାରା ତାଲିମ ଦିଆଯାଉଛି । ପ୍ରଥମେ ପୋଷ୍ଟାଲ୍‌ ବାଲାଟ ଗୁଡିକର ଗଣତି ହେବ । ପରେ ଇଭିଏମ୍‌ରେ ଭୋଟ୍‌ ଗଣନା କରାଯିବ । ଶେଷରେ ଭିଭିପାଟ୍‌ ଚିରକୁଟ୍‌ ଗୁଡିକ ଗଣନା ହେବ । ଏହି ପ୍ରକ୍ରିୟାରେ ପ୍ରାର୍ଥୀଙ୍କ ଏଜେଣ୍ଟ, ଅଣୁପର୍ଯ୍ୟବେକ୍ଷକ, କାଉଣ୍ଟିଂ ସୁପରଭାଇଜର୍‌ ଏବଂ ସହାୟକ ଉପସ୍ଥିତି ରହିବେ । ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ନିଯୁକ୍ତ ଇଞ୍ଜିନିୟର୍‌ମାନେ ମଧ୍ୟ ଗଣନାସ୍ଥଳରେ ରହିବେ । ଡେମୋ ତଥା ସଚେତନତା ଇଭିଏମ୍‌, ଭିଭିପାଟ ଦ୍ଵାରା ଶୃଂଖଳିତ ଗଣନା ପାଇଁ ତାଲିମ ଶିବିରରେ ସମସ୍ତ ଗଣନା କେନ୍ଦ୍ର ପାଇଁ ନିୟୋଜିତ ଅଧିକାରୀମାନେ ଉପସ୍ଥିତ ଥିଲେ । ପୋଷ୍ଟାଲ୍‌ ବାଲାଟ ଗଣନା ଦଳରେ ପ୍ରତ୍ୟେକ ଟେବୁଲରେ ଜଣେ ଏଆର୍‌ଓ, ଜଣେ ଅଣୁପର୍ଯ୍ୟବେକ୍ଷକ, ଜଣେ କାଉଣ୍ଟିଂ ସୁପରଭାଇଜର୍‌ ଏବଂ ଦୁଇ ଜଣ ଆସିଷ୍ଟାଣ୍ଟ ଏବଂ ଇଭିଏମ୍‌ ଗଣନାରେ ଜଣେ ଅଣୁପର୍ଯ୍ୟବେକ୍ଷକ, ଜଣେ କାଉଣ୍ଟିଂ ସୁପରଭାଇଜର୍‌ ଏବଂ ଜଣେ ଆସିଷ୍ଟାଣ୍ଟ ଏବଂ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିବେ । ସମସ୍ତ ଗଣନା କେନ୍ଦ୍ରରେ ସମୁଦାୟ ୧୩୨ଟି ଟେବୁଲରେ ଏବଂ ପୋଷ୍ଟାଲ୍‌ ବାଲାଟ ପାଇଁ ୩୩ଟି ଟେବୁଲରେ ଭୋଟ ଗଣତି ହେବ । ଏଠି ନିମନ୍ତେ ୨୦୩ ଜଣ ଅଣୁପର୍ଯ୍ୟବେକ୍ଷକ, ୨୦୩ ଜଣ କାଉଣ୍ଟିଂ ସୁପରଭାଇଜର୍‌, ୧୬୧ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ପୋଷ୍ଟାଲ୍‌ ବାଲାଟ ଗଣତି ପାଇଁ ୮୪ ଜଣ ସମୁଦାୟ ୬୫୧ ଜଣ ନିଯୁକ୍ତ ହୋଇଛନ୍ତି ।

Leave A Reply

Your email address will not be published.