ଲକ୍ଷାଧିକ ଟଙ୍କା ନେଇ ଭଡ଼ା କାର୍‌ରେ ଯାଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ବିଡିଓ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଲକ୍ଷାଧିକ ଟଙ୍କା ନେଇ ଭଡ଼ା ଗାଡ଼ିରେ ଯାଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ବରଗଡ଼ ଜିଲ୍ଲା ବିଜେପୁର ବିଡିଓ ପଦ୍ନନାଭ ସାମନ୍ତ । ତେବେ ଟଙ୍କାର ହିସାବ ଦେଇ ନ ପାରିବାରୁ ଭିଜିଲାନ୍ସ ଟିମ୍‌ ତାଙ୍କୁ ଅଟକ ରଖିଥିବା ମିଳିଛି । ସୂଚନା ଅନୁସାରେ, ଏକ ଭଡ଼ା କାର୍‌ରେ ପଦ୍ନନାଭ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ସୋନପୁର ଭିଜିଲାନ୍ସ ବିଭାଗ ଖବର ପାଇ ବିନିକା ସେତୁ ନିକଟରେ ବିଡିଓଙ୍କ ଗାଡ଼ିକୁ ଅଟକା ଯାଇ ଯାଞ୍ଚ କରିଥିଲେ । ଏହି ସମୟରେ ଗାଡ଼ି ଭିତରୁ ୩ ଲକ୍ଷ ୫୧ ହଜାର ୩ ଶହ ଟଙ୍କା ମିଳିଥିଲା । ବିଡିଓ ଟଙ୍କାର ହିସାବ ନଦେଇ ପାରିବାରୁ ତାଙ୍କୁ ଅଟକ ରଖାଯାଇଛି । ଭିଜିଲାନ୍ସ ଟିମ୍‌ ତାଙ୍କୁ ସୋନପୁର ସ୍ଥିତ ଭିଜିଲାନ୍ସ ଅଫିସ ନେଇ ପଚରାଉଚରା କରୁଥିବା ଜଣାପଡିଛି ।

Leave A Reply

Your email address will not be published.