କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିଦ୍ୟାଳୟର ମରାମତି କାର୍ଯ୍ୟର ବିଲ ପାସ କରିବା ପାଇଁ ଠିକାଦାରଙ୍କଠାରୁ ୫୦,୦୦୦ ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ପ୍ରଧାନ ଶିକ୍ଷକ । ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧମୁଣ୍ଡା ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟରେ । ପ୍ରାପ୍ତ ସୂଚନାନୁଯାୟୀ ଅଧମୁଣ୍ଡା ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଗସ୍ତି ସାହୁ ସେହି ବିଦ୍ୟାଳୟ ମରାମତି କାର୍ଯ୍ୟର ୨୨,୫୩,୮୫୮ ଟଙ୍କାର ବିଲ ପାସ୍ କରିଦେବା ପାଇଁ ଠିକାଦାରଙ୍କୁ ୫୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ସମ୍ପୃକ୍ତ ଠିକାଦାର ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ପୂର୍ବ ଯୋଜନା ମୁତାବକ ଶୁକ୍ରବାର ଅପରାହ୍ନରେ ସମ୍ପୃକ୍ତ ଠିକାଦାର ଜଣକ ପ୍ରଧାନ ଶିକ୍ଷକଙ୍କୁ ୫୦,୦୦୦ ଟଙ୍କା ଲାଞ୍ଚ ଦେଇଥିଲେ । ସେହି ସମୟରେ ଛପି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଅଧମୁଣ୍ଡା ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ । ପ୍ରଧାନ ଶିକ୍ଷକ ଅଗସ୍ତି ସାହୁଙ୍କ ଜ୍ୟାକେଟ ପକେଟରୁ ୫୦,୦୦୦ ଟଙ୍କା ଜବତ କରିଥିଲେ । ପ୍ରଧାନ ଶିକ୍ଷକଙ୍କୁ ଗିରଫ କରି ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ବିଭାଗ ।