jayashree

ଗ୍ରାମ୍ୟ ଜଙ୍ଗଲ ଜବରଦଖଲ ଅଭିଯୋଗର ସତ୍ୟତା ଅନୁସନ୍ଧାନ କଲେ ଆର୍‌ଆଇ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବନାଞ୍ଚଳ ଅନ୍ତର୍ଗତ ନାରାୟଣପ୍ରସାଦ ସେକ୍ସନ ଅଧୀନ ରିଙ୍ଗାପଡା ବିଟ୍‌ର ରିଙ୍ଗାପଡା ଗ୍ରାମରେ ସଂରକ୍ଷିତ ରହିଥିବା ଗ୍ରାମ୍ୟ ଜଙ୍ଗଲ ଯାହାର ଖାତା ନଂ.୧୧୧ ଏବଂ ପ୍ଲଟ ନଂ. ୫୦୫, ୮୦୨ ଓ ୮୨୨ରେ ଥିବା ୮୬.୬୦ ଏକର ଗ୍ରାମ୍ୟ ଜଙ୍ଗଲ ରହିଛି । ସେଥି ମଧ୍ୟରେ କିଛି ଅସାଧୁ ବ୍ୟକ୍ତି ଜବଲଦଖଲ କରି ପ୍ରଚୁର ପରିମାଣର ମୂଲ୍ୟବାନ ଗଛ ନଷ୍ଟ କରିବା ସହ ଚାଷଜମି ସଜାଇଥିଲେ । ଜଙ୍ଗଲ ସୁରକ୍ଷା କରିବା ନେଇ ଗ୍ରାମବାସୀ ବୈଠକ ମାଧ୍ୟମରେ ସମାଧାନ କରିବାକୁ ପ୍ରୟାସ କରିଥିଲେ ମଧ୍ୟ ସମାଧାନ ହୋଇ ନଥିଲା । ଅନେକଥର ରାଜସ୍ବ ବିଭାଗ ପକ୍ଷରୁ ମଧ୍ୟ କିଛିଜଣ ଲୋକଙ୍କୁ ଗ୍ରାମ୍ୟ ଜଙ୍ଗଲକୁ ଜବରଦଖଲ ନକରିବା ପାଆଁ ନୋଟିସ ଦିଆଯାଇଥିଲା । ହେଲେ କେହି ଗୁରୁତ୍ବ ଦେଉ ନଥିଲେ ଫଳରେ ଜଙ୍ଗଲର ପରିସୀମା ନିର୍ଦ୍ଧାରଣ ଓ ଜବରଦଖଲ ଚିହ୍ନଟ ପାଇଁ ନାରାୟଣପ୍ରସାଦ ବନପାଳ, ବରଗାଁ ରାଜସ୍ବ ନିରୀକ୍ଷକ ଏବଂ କଣ୍ଟାମାଳ ତହସିଲଦାରଙ୍କ ନିକଟରେ ରିଙ୍ଗାପଡା ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ କଣ୍ଟାମାଳ ତହସିଲଦାର ଅର୍ଜୁନ ପ୍ରଧାନଙ୍କ ବରଗାଁ ଆରଆଇ ବିଜୟକୁମାର ପତିଙ୍କୁ ଅଭିଯୋଗର ସତ୍ୟତା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଶୁକ୍ରବାର ବରଗାଁ ଆରଆଇ ଶ୍ରୀ ପତି ଏବଂ ରିଙ୍ଗାପଡା ଗ୍ରାମର ଆପତ୍ତିକାରୀ ଏବଂ ଜବରଦଖଲକାରୀଙ୍କ ମିଳିତ ଉପସ୍ଥିତିରେ ଜମି ଚିହ୍ନଟ କରାଯାଇଥିଲା । ସଂରକ୍ଷିତ ତିନି ପ୍ଲଟ ଜଙ୍ଗଲ ମଧ୍ୟରେ ୭ଜଣ ବ୍ୟକ୍ତି ପ୍ରାୟ ୮ ଏକର ପାଖାପାଖି ଜବରଦଖଲ କରି ଚାଷଜମି ସଜାଇବା ସହ ଅନେକ ଜାଗାରେ ମୁଲ୍ୟବାନ ଗଛ ନଷ୍ଟ କରିଥିବା ଜଣାପଡିଥିଲା । ଏହାପରେ ଏକ ସଭା ବସିଥିଲା ସଭାରେ ମିଳିମିଶି ଜଙ୍ଗଲ ସୁରକ୍ଷା କରିବା ନେଇ ଆଲୋଚନା ହୋଇଥିଲା । ଜବରଦଖଲକାରୀଙ୍କ ମଧ୍ୟରୁ କିଛି ବ୍ୟକ୍ତି ସ୍ବଇଚ୍ଛାରେ ଉକ୍ତ ଜାଗା ଛାଡି ଦେବାପାଇଁ କହିଥିଲେ । ଯେଉଁମାନେ ଗ୍ରାମ୍ୟ ଜଙ୍ଗଲକୁ ବଳ ପୂର୍ବକ ଜବରଦଖଲ କରିବେ ସେମାନଙ୍କ ବିରୁଦ୍ଧରେ ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଭାଗୀୟ ଅଧିକାରୀଙ୍କ ସହାୟତା ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ସଭାରେ ମା’ ଖମ୍ବେଶ୍ବରୀ ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟିର ସଭାପତି ସୁଦାମ ଭୋଇ, ସଂପାଦକ ଶନିଦେବ ଝାଙ୍କର, ୱାର୍ଡସଭ୍ୟ ସୁଦର୍ଶନ ଭୋଇ, ସଭ୍ୟ ରାଧାକାନ୍ତ ପୁଟା, କନସନ ପାତ୍ର, କୃତ୍ତିବାସ ପାତ୍ର, ଟଙ୍କଧର ଭୋଇ, କୁଶଲେଶ୍ବର ରଣା, ଶ୍ରୀକୃଷ୍ଣ ରଣା, ଯଶୋବନ୍ତ ପାତ୍ର, ଅନନ୍ତ ରଣା, ସନ୍ତୋଷ ରଣା, ହରୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ବନରକ୍ଷୀ ଗଜେନ୍ଦ୍ର କଅଁର ଅତିଥି ଭାବେ ଯୋଗଦେଇ ଗ୍ରାମ୍ୟ ଜଙ୍ଗଲ ସଂରକ୍ଷଣ ବିଷୟରେ ସୂଚନା ଦେଇଥିଲେ ।

Leave A Reply

Your email address will not be published.