ମାଛ ଓ ପରିବା ବିକାଳିଙ୍କ ପାଇଁ ଭେଣ୍ଡିଂ ଜୋନ୍‌ ଉଦ୍‌ଘାଟନ କଲେ ନରସିଂହ

  • ସହର ମଧ୍ୟରେ ନିର୍ମାଣ ହେବ ୩ଟି ଶୌଚାଳୟ ଓ ୫ଟି ପରିସ୍ରାଗାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ସୌନ୍ଦର୍ଯ୍ୟକରଣ ଓ ରାସ୍ତାଘାଟର ଉନ୍ନତିକରଣ ତଥା ପ୍ରସସ୍ତିକରଣ ପାଇଁ ସହର ମଧ୍ୟରେ ଗତ ଦେଢ ବର୍ଷ ହେଲା ଅନେକ ଛୋଟ ଛୋଟ ଉଠା ଦୋକାନୀ ତଥା ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ତଥା ପୌର ପ୍ରଶାସନର ଉଦ୍ୟମ କ୍ରମେ ସେମାନଙ୍କ ପାଇଁ ସହର ମଧ୍ୟରେ ଥିବା ବିଭିନ୍ନ ଖୋଲା ଜଗା ମାନଙ୍କରେ ଭେଣ୍ଡିଂ ଜୋନ୍‌ର ନିର୍ମାଣ କରି ସେମାନଙ୍କ ଥଇଥାନ କରାଯାଉଛି । ଆଗକୁ ଆହୁରି ଅନେକ ଭେଣ୍ଡିଂ ଜୋନ୍‌ ନିର୍ମାଣ କରିବା ସହ ବାକି ରହିଯାଇଥିବା ବିସ୍ଥାପିତ ଉଠା ଦୋକାନୀ ଓ ବ୍ୟବସାୟୀମାନଙ୍କ ପର୍ଯ୍ୟାୟ କ୍ରମେ ଥଇଥାନ କରାଯିବ ବୋଲି ସ୍ଥାନୀୟ କଚେରି ଛକ ଠାରେ ମାଛ ବ୍ୟବସାୟୀ ଏବଂ ଫଳ ବ୍ୟବସାୟୀମାନଙ୍କ ପାଇଁ ନିର୍ମିତ ଭେଣ୍ଡିଂ ଜୋନର ଉଦଘାଟନ ସମସୟରେ ବିଧାୟକ ନରସିଂହ ମିଶ୍ର କହିଛନ୍ତି । ପଞ୍ଚଦଶ ଅର୍ଥ କମିଶନ ଅନୁଦାନରେ ନିର୍ମିତ ହୋଇଥିବା ୬୦ ଲକ୍ଷ ଟଙ୍କାର ଏହି ପ୍ରକଳ୍ପର ଉଦଘାଟନ ଅବସରରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଲ ରାଣା, ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ସାଏ, ପୌର ନିର୍ବାହି ଅଧିକାରୀ ବିପିନ ଦୀପ ଉପସ୍ଥିତ ଥିଲେ । ଜିଲ୍ଲାପାଳ ତଥା ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା ବେଳେ ବିଧାୟକ ଶ୍ରୀ ମିଶ୍ର ସହର ମଧ୍ୟରେ ଜନସଂଖ୍ୟା ବଢୁଥିବା ଯୋଗୁଁ ହେଉଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଦୃଢ ପଦକ୍ଷେପ ସହ ସହରର ବିଭିନ୍ନ ଜାଗାରେ ଶୌଚାଳୟ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସଂକ୍ରାନ୍ତରେ ୧୦୪ ଲକ୍ଷ ଟଙ୍କାରେ ସହର ମଧ୍ୟରେ ତିନୋଟି ସର୍ବ ସାଧାରଣ ଶୌଚାଳୟ ଏବଂ ୫ ଗୋଟି ପରିସ୍ରାଗାର ନିର୍ମାଣ ଯୋଜନା ଚାଲିଥିବା ବେଳେ ଏହାର ପରିଚାଳନା ଶୁଲ୍ଲଭ ଇଣ୍ଟରନେଶନାଲ ନାମକ ଏକ ସଂସ୍ଥା ବହନ କରିବ ବୋଲି ଅଧିକାରୀମାନେ ସୂଚନା ଦେଇଥିଲେ । ପ୍ରଶାସନ ତରଫରୁ ଦିଆଯାଉଥିବା ଦୋକାନ ଗୃହ ଗୁଡିକରେ ବ୍ୟବସାୟୀମାନେ ଶାନ୍ତି ଶୃଙ୍ଖଳା ସହିତ ନିଜର ବ୍ୟବସାୟ ଆରମ୍ଭ କରନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ରାଣା ଦୋକାନୀମାନଙ୍କୁ କହିବା ସହ ଏହି ପ୍ରକଳ୍ପ ସହରର ସୌନ୍ଦର୍ଯ୍ୟକରଣ ସହିତ ଟ୍ରାଫିକ ସମସ୍ୟା ମଧ୍ୟ ସୁଧାରିବ ବୋଲି ପ୍ରକାଶ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ପ୍ରକଳ୍ପରେ ସମୁଦାୟ ୧୧୧ ଗୋଟି ଦୋକାନ ଘରର ବ୍ୟବସ୍ଥା କରାଯାଇଛି । ଆଗକୁ ମଧ୍ୟ ସହରର ବିଭିନ୍ନ ଜାଗାରେ ଉଠା ଦୋକାନୀ ମାନଙ୍କ ପାଇଁ ଭେଣ୍ଡିଂ ଜୋନ୍‌ର ବ୍ୟବସ୍ଥା କରାଯାଇ ସହରର ଟ୍ରାଫିକ ଓ ବେକାରି ସମସ୍ୟାର ଦୂରିକରଣ କରାଯିବା ସୂଚନା ରହିଛି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌର ବିଭାଗର କନିଷ୍ଠ ଯନ୍ତ୍ରୀ ରୋଜାଲିସା ରାଉତ, ଗୋଲକ ବିହାରି ସାହୁ, ଜିଲ୍ଲା ଲୋକ ସୂଚନା ଓ ଜନ ସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଏବଂ ଉଠା ଦୋକାନୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.