ଗଞ୍ଜାମ ଜିଲ୍ଲାସ୍ତରୀୟ ୮୭ତମ ଉତ୍କଳ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ୮୭ତମ ଉତ୍କଳ ଦିବସ ମହୋତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ପୂର୍ବାହ୍ନ ଘ.୦୫.୦୦ମି. ସମୟରେ ଡାକବାଜି ଯନ୍ତ୍ର ଯୋଗେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପ୍ରଚାର ପୂର୍ବକ ସହର ପରିକ୍ରମା ଏବଂ ପୂର୍ବାହ୍ନ ଘ.୦୮.୦୦ମି. ସମୟରେ ସହରରେ ସ୍ଥାପନା ହୋଇଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ପୂର୍ବାହ୍ନ ଘ.୧୦.୦୦ମି. ସମୟରେ ଜିଲ୍ଲା ସଂସ୍କୃତି ଭବନର ରଙ୍ଗମଞ୍ଚରେ ଆୟୋଜିତ ସ୍ୱତନ୍ତ୍ର ସାମାରୋହ ପ୍ରାରମ୍ଭରେ ଆର୍ମି ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସାମୂହିକଗାନ କରାଯାଇଥିଲା । ଆମେ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମ୍ମାନ ଜଣାଇଲେ ଆମେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ସମ୍ମାନୀତ ହେବା ଏଥିରେ ସନ୍ଦେହର ଅବକାଶ ନାହିଁ । ଯେଉଁ ବରପୁତ୍ର ମାନେ ଖଣ୍ଡ ବିଖଣ୍ଡିତ ଓଡିଶାକୁ ଏକତ୍ରୀକରଣ କରିଥିଲେ, ସେମାନେ ଆଜି ଚିର ନମସ୍ୟ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମତବ୍ୟକ୍ତ କରିଥିଲେ । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଏହି ସ୍ମରଣୀୟ ଦିବସରେ ଉତ୍କଳର ବରପୁତ୍ରମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଭାଷାଭିତ୍ତିକ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଉତ୍କଳ ସମ୍ମିଳନୀର ବିଶେଷ ଅବଦାନ ରହିଛି ଏବଂ ଏହାର ମୂଳଦୁଆ ଗଞ୍ଜାମ ଜିଲ୍ଲାରେ ପଡିଛି ବୋଲି ବ୍ରହ୍ମପୁର ଉତ୍କଳ ଆଶ୍ରମର ସମ୍ପାଦକ ତଥା ଓଡିଆ ବିଭାଗୀୟ ମୁଖ୍ୟ ଡଃ. ସିଦ୍ଧାର୍ଥ ଶଙ୍କର ଷଡଙ୍ଗୀ ମତବ୍ୟକ୍ତ କରିଛନ୍ତି । ଓଡ଼ିଆ ଜାତି ହେଉଛି, ଏକ କର୍ମଠ ଓ ଯୋଦ୍ଧା ଜାତି ଏବଂ ଏହି ଜାତିର ସ୍ୱାଭିମାନ ଦେଶପ୍ରାଣ ଭାବନା ଉଦ୍ରେକ କରେ ବୋଲି ମୁଖ୍ୟବକ୍ତା ଡ଼ଃ. ଷଡଙ୍ଗୀ ଦର୍ଶାଇଥିଲେ । ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ବାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ୧୯୩୬ ମସିହା ଅପ୍ରେଲ ୧ ତାରିଖର ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ସମ୍ପର୍କରେ ଆଲୋକପାତ କରି ଭାଷା ଭିତ୍ତିରେ ଓଡ଼ିଆ ରାଷ୍ଟ୍ର ଗଠନର ସ୍ବର ପ୍ରଥମେ ମଧୁବାବୁ ହିଁ ଉଠାଇଥିଲେ ବୋଲି ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଛତ୍ରପୁରର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ଯୋଗଦେଇ ଓଡ଼ିଆବୀର ପୁରୁଷଙ୍କ ଗାଥା ଓଡ଼ିଆ ଭାଷାଭାଷୀର ଲୋକଙ୍କୁ ଜାତୀୟ ପ୍ରେମରେ ଉଦ୍ରେକ କରୁଛି ବୋଲି ତାତ୍ପର୍ଯ୍ୟ ବୁଝାଇଥିଲେ । ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଜତିନ୍ ପରିଡା କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଆର୍ମି ପବ୍ଲିକ ସ୍କୁଲ, ଗଣେଶ ପଟ୍ଟନାୟକଙ୍କ ପକ୍ଷରୁ ଗାନ୍ଧର୍ବ କଳା ନିକେତନ ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଦର୍ଶକମହଲରେ ଚଳିତ ବର୍ଷର ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ପ୍ରସଂଶା ଲାଭ ହୋଇଥିଲା । ଏହି ଅବସରରେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ମହିଳାମାନଙ୍କ ଦ୍ୱରା ସୁନ୍ଦର ଚିତାକର୍ଷକ ଚିତା ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.