ସେଞ୍ଚୁରିଅନ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍କୃଷ୍ଟ କଳାର ଦେଶ ଓଡିଶା । ସର୍ବ ଭାରତୀୟ ସ୍ତରରେ ଭାଷା ଭିତ୍ତିରେ ଯେଉଁ ପ୍ରଥମ ପ୍ରଦେଶ ଗଠିତ ହୋଇଥିଲା ତାହା ହେଉଛି ଏଇ ଓଡିଶା । ଏଇ ଉତ୍କଳୟିତାକୁ ବଜାୟ ରଖିବା ପାଇଁ ଏବଂ ନୂତନ ପିଢ଼ିକୁ ନିଜ ଗୌରବମୟ ଇତିହାସ ସମ୍ପର୍କରେ ସୂଚୀତ କରିବା ପାଇଁ ଆଜି ସେଞ୍ଚୁରିଅନ ବିଦ୍ୟାଳୟ ପରିସରରେ ଉତ୍କଳ ଦିବସର ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କର ସୁଚିନ୍ତିତ ପରିକଳ୍ପନା ଓ ମାର୍ଗ ଦର୍ଶନରେ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା । ପ୍ରଥମେ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ପଲ୍ଲବୀ ପ୍ରିୟଦର୍ଶିନୀ ମେହେର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ତା’ପରେ ବିଦ୍ୟାଳୟର ଉପାଧ୍ୟକ୍ଷା ଶ୍ରୀମତୀ ପୁଣ୍ୟତୋୟା ବିଶ୍ୱାଳ ନିଜ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ, ବର୍ତ୍ତମାନର ପିଢ଼ିର ପିଲାମାନେ ଦିବସର ଗୁରୁତ୍ତ୍ୱ ଓ ମହତ୍ତ୍ୱକୁ ବୁଝି ଜୀବନରେ ଅନୁପ୍ରାଣିତ ହୁଅନ୍ତୁ । ଏହା ପରେ ବିଦ୍ୟାଳୟର ଶିକ୍ଷକ ସରୋଜ କୁମାର ଦାଶ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସେ ନିଜ ବକ୍ତବ୍ୟରେ ଓଡିଶାର ଗୌରବମୟ ଇତିହାସର ପ୍ରତିଟି ଦିଗ ଉପରେ ଆଲୋକପାତ କରିଥିଲେ । ତାହା ପରେ ବିଦ୍ୟାଳୟର ଅନ୍ୟ ଜଣେ ଶିକ୍ଷୟତ୍ରୀ ପାର୍ଥବୀ ଗୁରୁ ଏଇ ଅବସରରେ ଏକ ସୁନ୍ଦର ଗୀତ ପରିବେଷଣ କରିଥିଲେ । ତାହା ପରେ ଛାତ୍ରଛାତ୍ରୀମାନେ ଉତ୍କଳ ଦିବସ ଅବସରରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏଇ ଅବସରରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଚନ୍ଦ୍ରିକା ଛତ୍ରିଆଙ୍କର ନିର୍ଦେଶନାରେ “ପରିବର୍ତ୍ତନ ହିଁ ସଂସାରର ନିୟମ” ବିଷୟରେ ଏକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ ଯାହା ଅତି ଆକର୍ଷଣୀୟ ହୋଇଥିଲା । ଏହା ପରେ ଛାତ୍ର, ଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସଂଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ପରିଶେଷରେ କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ “ଓଡ଼ିଆ ପୁଅ ଓ ଓଡ଼ିଆଣୀ ବେଶ” ପରିବେଷିତ ହୋଇଥିଲା ଯେଉଁଥିରେ ଛାତ୍ର, ଛାତ୍ରୀମାନେ ଓଡ଼ିଆ ପୁଅ ଓ ଓଡ଼ିଆଣୀ ବେଶରେ ସୁନ୍ଦର କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମଟି ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ, ସୁଶ୍ରୀତା ପୁରୋହିତ, ଚନ୍ଦ୍ରିକା ଛତ୍ରିଆ, ସୋନିକା ତ୍ରିପାଠୀ, ପାର୍ଥବୀ ଗୁରୁ, ସୌଭାଗ୍ୟଲକ୍ଷ୍ମୀ ମହାପାତ୍ର, ଅର୍ଚନା ରଣା, ଇପ୍ସିତା ଯୋଶୀ, ଆଶା ରାଣୀ ତ୍ରିପାଠୀ, ଗିରିଧାରି ଥାପା, ନବୀନ ବର୍ମା, ରାଜୀବ ନାୟକଙ୍କ ସହଯୋଗିତା ଓ ସହାଭାଗିତାରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା । ଶେଷରେ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ମିତାଲି ମଧୁସ୍ମିତା ଧନ୍ୟବାଦ ଅର୍ପଣ କରିଥିଲେ । ବାସ୍ତବରେ କାର୍ଯ୍ୟକ୍ରମଟି ପିଲାମାନଙ୍କ ପାଇଁ ଅନୁସରଣୀୟ ଓ ଶିକ୍ଷଣୀୟ ହୋଇ ପାରିଥିଲା ।

Leave A Reply

Your email address will not be published.