ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ସଦର ଥାନା ତଥା ଲୋଇସିଂହା ବ୍ଲକ ଅନ୍ତର୍ଗତ ମାହାରପାଲି ଛକରେ ବେଆଇନ ମଦ ବିକ୍ରିକୁ ନେଇ ଉତ୍ତେଜନା ଦେଖାଦେଇଛି । ବେଆଇନ କୁଚିଆ ମଦ ବିକ୍ରିକୁ ବନ୍ଦ କରିବା ଦାବୀରେ ଶତାଧିକ ପୁରୁଷ ଓ ମହିଳା ରାସ୍ତାରୋକ କରିବା ସହିତ ରାସ୍ତା ଉପରେ ଟାୟାର ଜାଳି ପୋଲିସର ନିଷ୍କ୍ରିୟତା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନା ମତେ, ମାହାରପାଲି ଛକରେ ବେଆଇନ ଭାବେ ମଦ କାରବାର କରୁଥିବା ଦୁଇଟି ଦୋକାନରେ ପୋଲିସ ଚଢାଉ କରି ଦୁଇଜଣଙ୍କୁ ଗିରଫ କରିବା ସହିତ ମଦ ଜବତ କରିଥିଲା । ତେବେ ମଦ ଜବତ ହେବାର ମାତ୍ର କେଇ ଘଣ୍ଟା ପରେ ପୁଣି ସେଠାରେ ମଦ ବିକ୍ରି ହେଉଥିବା ନେଇ ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ । କୂଚିଆ ମଦ ବେପାରୀ ଓ ପୋଲିସ ମଧ୍ୟରେ ଥିବା ମିଳିତ ମଧୁଚନ୍ଦ୍ରିକା ଯୋଗୁଁ ମଦ କାରବାରକୁ ରୋକିବା ଦିଗରେ ପୋଲିସ ବିଫଳ ହେଉଥିବା ଅଭିଯୋଗ କରି ମାହାରପାଲି ଗ୍ରାମର ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ମଦ ବିକ୍ରି ହେଉଥିବା ଉକ୍ତ ଦୋକାନରୁ ମଦ ବାହାର କରି ରାସ୍ତାରେ ବସିଥିଲେ । ବହୁ ବିଳମ୍ବରେ ପୋଲିସ ପୁଣି ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ରାସ୍ତାରୋକ ଉଠାଇ ଥିଲା । ତେବେ ଲୋକେ ପ୍ରଥମେ ମଦ ବିକ୍ରେତାଙ୍କୁ ଗିରଫ ଦାବୀ କରିଥିଲେ । ପୋଲିସର ନିଷ୍କ୍ରିୟତା ଯୋଗୁଁ ଏପରି ବେଆଇନ ମଦ କାରବାର ବଢୁଥିବା ଲୋକେ ଅଭିଯୋଗ କରିଥିଲେ । ଫଳରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ବିକ୍ଷୋଭକାରୀ ମାନେ ରାସ୍ତାରୁ ଉଠି ପୋଲିସ ସହିତ ଆଲୋଚନା କରିଥିଲେ । ପ୍ରକାଶ ଥାଉକି, ପୂର୍ବରୁ ଏହି ଛକରେ ପୋଲିସର ପ୍ରଛନ୍ନ ଇଙ୍ଗିତରେ ବେଆଇନ ମଦ କାରବାର ସହିତ ଜୁଆ ତଥା ସଟା କାରବାର ଚାଲି ଆସୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଥିଲେ । ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ୱେ ପୋଲିସ ନୀରବ ରହିବା ସହିତ ଲୋକ ଦେଖାଣିଆ ଚଢାଉ କରି ପରୋକ୍ଷରେ ଏଭଳି ବେଆଇନ କାରବାରକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହେଉଛି । ବଲାଙ୍ଗିର ଏସ୍ପି ଏଥିପ୍ରତି ସ୍ଵତନ୍ତ୍ର ଭାବେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।