ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଜଗଦା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୯୧ତମ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ଉପସଭାପତି ସନ୍ତୋଷ କୁମାର ନାୟକ ଓ କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ପତି ମା’ ସରସ୍ୱତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍କଳର ବରପୁତ୍ରମାନଙ୍କର ତୈଳଚିତ୍ରରେ ପୁଷ୍ପାର୍ଚନ କରିଥିଲେ । ଶିଶୁ ଭଉଣୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ ପରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୂର୍ଯ୍ୟନାରାୟଣ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ ଅଭିଭାଷଣରେ ଓଡ଼ିଶା ଦିବସର ମହତ୍ତ୍ୱ ପ୍ରତିପାଦନ କହିଥିଲେ । ଉପସଭାପତି ଶ୍ରୀ ନାୟକ ଅତୀତ ଓଡ଼ିଶାର ଐତିହ୍ୟ ସଂସ୍କୃତି ପରମ୍ପରା ବିଷୟରେ ଆଲୋକପାତ କରିବା ସହିତ ବୀର ଉତ୍କଳୀୟମାନଙ୍କ ପରାକ୍ରମ ସମ୍ବନ୍ଧରେ ସ୍ମୃତିଚାରଣ କରିଥିଲେ । କୋଷାଧ୍ୟକ୍ଷ ଶ୍ରୀ ପତି ନିଜକୁ ଓଡ଼ିଆ ବୋଲି ଗର୍ବ କରିବା ନିମନ୍ତେ ମତ ରଖିଥିଲେ । ବିଦ୍ୟାଳୟର ବରିଷ୍ଠ ଗୁରୁମା ସୁଚିତ୍ରା ଦର୍ଜୀ ମଧୁବାବୁଙ୍କ ଏକ କବିତା ଆବୃତ୍ତି କରିବା ସହ ଓଡ଼ିଆ ଭାବରେ ନିଜକୁ ପ୍ରତିଷ୍ଠିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଶିଶୁମାନେ ବକ୍ତବ୍ୟରେ ଓଡିଶା ଦିବସର ଐତିହ୍ୟ ଓ ମହାନତା ସଂପର୍କରେ ବର୍ଣ୍ଣନା କରିଥିଲେ । ଶିଶୁ ବାଟିକାର ପ୍ରମୁଖ ବରିଷ୍ଠ ଗୁରୁମା ଜୟନ୍ତୀ ଦାଶଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟରେ ପ୍ରଥମ କରି ନାମ ଲେଖାଇଥିବା ଶିଶୁମାନଙ୍କୁ ଫୁଲ ଚନ୍ଦନ ଓ ବେଲୁନ ଦେଇ ସ୍ୱାଗତ କରାଯାଇଥିଲା ଓ ବାଟିକା ବିଭାଗର ନୂତନ ଶିଶୁମାନଙ୍କ ଉଦ୍ଦେଶ୍ୟରେ ହୋମଯଜ୍ଞ ପୂଜାର୍ଚ୍ଚନା କରାଯାଇ ପ୍ରଥମ ଦିନର ଉତ୍ସବ ପାଳନ କରାଯାଇଥିଲା । ଆଚାର୍ଯ୍ୟ ଅଜୟ କୁମାର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟ କାଶୀନାଥ ପାଢ଼ୀଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା । କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ଗୁରୁଜୀ ଗୁରୁମାମାନେ ଯୋଗ ଦେଇଥିଲେ । ଶେଷରେ ଶାନ୍ତି ମନ୍ତ୍ର ଓ ପ୍ରସାଦ ବିତରଣ କରାଯାଇ କାର୍ଯ୍ୟକ୍ରମର ସମାପନ କରଯାଇଥିଲା ।