ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୫–୨୬ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୫–୨୬ ମହାବିଦ୍ୟାଳୟ ପରିସରରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ ହୋଇଥିଲା ଏବଂ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇ ମଞ୍ଚକୁ ସ୍ୱାଗତ କରାଯାଇଥିଲା । ମହାବିଦ୍ୟାଳୟର ପ୍ରାଶାସନିକ ଅଧିକାରୀ ସୁଶାନ୍ତ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଡ଼ଃ. ପିଙ୍କିରାଣୀ ଦେଇ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ନିଜ ଅଭିଭାଷଣରେ କହିଥିଲେ ଯେ, ଶିକ୍ଷା କେବଳ ପାଠ୍ୟକ୍ରମରେ ସୀମିତ ନୁହେଁ, ଏହାର ବ୍ୟାପ୍ତି ଅନନ୍ତ । ଛାତ୍ରଛାତ୍ରୀମାନଙ୍କୁ ଏହା ନବଚିନ୍ତନ, ଗବେଷଣା ଓ ସମାଜ ସେବା ପ୍ରତି ପ୍ରେରିତ କରେ ବୋଲି ବିଧାୟକ କହିଛନ୍ତି । ଶିକ୍ଷା ସହ ନୈତିକ ମୂଲ୍ୟବୋଧ ଓ ଶିଷ୍ଟାଚାର ଗଢ଼ି ଉଠିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ନାରାୟଣ ବେହେରା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଜ୍ଞାନକୌଶଳ ଉନ୍ନତି ଓ ଉଦ୍ୟମଶୀଳତା ପ୍ରତି ଆଗ୍ରହୀ ହେବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ’ ଶିକ୍ଷା ପ୍ରତିଷ୍ଠାନମାନେ ଦେଶର ଭବିଷ୍ୟତ ଗଢ଼ିବାର ମୂଳ ଆଧାର ଓ ଛାତ୍ରଜୀବନରେ ଶିଷ୍ଟାଚାର, ଶ୍ରମ ଓ ସମୟନିଷ୍ଠା ଅତ୍ୟନ୍ତ ଆବଶ୍ୟକ ବୁଝାଇଥିଲେ । ଆସ୍କା ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ଃ. ଭଗବାନ ତ୍ରିପାଠୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସମାଜ ପ୍ରତି ଛାତ୍ରର ଦାୟିତ୍ଵ ମନୋଭାବ ତାକୁ ଜୀବନର ପ୍ରତିଟି କ୍ଷେତ୍ରରେ ସଫଳତା ଆଣିଦେବ ବୋଲି ବ୍ୟାଖ୍ୟା କରି କହିଥିଲେ । ନୂତନ ଶିକ୍ଷା ନୀତି ଅନୁଯାୟୀ ବହୁମୁଖୀ ଶିକ୍ଷା ପ୍ରଣାଳୀର ଗୁରୁତ୍ୱ ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅଜୟ କୁମାର ତ୍ରିପାଠୀ ନିଜ ବକ୍ତବ୍ୟରେ ଶିକ୍ଷାକୁ ଜୀବନ ଗଢ଼ିବାର ଏକ ଶକ୍ତିଶାଳୀ ଉପାୟ ଭାବେ ଉଲ୍ଲେଖ କରି ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ସହିତ ଗବେଷଣା, ସୃଜନଶୀଳତା ଓ ସାମାଜିକ ସେବାରେ ନିଜକୁ ନିଯୁକ୍ତ କରିବା ଆବଶ୍ୟକ । ଏହା ମାଧ୍ୟମରେ ସେମାନେ ଜାତି ଓ ଦେଶର ଉନ୍ନତିରେ ସହାୟ ହୋଇପାରିବେ ବୋଲି ତାତ୍ତ୍ଵିକ ଆଲୋଚନା ଦେଇଥିଲେ । କାର୍ଯ୍ୟକ୍ରମର ଶେଷରେ ଅଧ୍ୟାପିକା ଡ଼ଃ. ଡାଏନା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ, ସଙ୍ଗୀତ ଓ ନାଟକ ପ୍ରଦର୍ଶିତ ହୋଇଥିଲା । ଶେଷରେ ଶିକ୍ଷା, କ୍ରୀଡା ଓ ସାଂସ୍କୃତିକ କ୍ଷେତ୍ରରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଶିକ୍ଷାବିତ୍, ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ନିମନ୍ତ୍ରିତ ଅତିଥି, ତଥା ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ୍ୟ ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.