ଶ୍ରୀରାମ ମନ୍ଦିର ବାନ୍ଧନଘୋରରେ ପୁଷ୍ୟାଭିଷେକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ ବାନ୍ଧନଘୋର ଗ୍ରାମ ଠାରେ ଥିବା ଶ୍ରୀରାମ ମନ୍ଦିରରେ ପୌଷ ପୂର୍ଣ୍ଣିମା ଅବସରରେ ସପ୍ତମ ପୁଷ୍ୟାଭିଷେକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟ ଓ ଓଡିଶା ସରକାରଙ୍କର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବରେ ସହସ୍ରାଧିକ ଭକ୍ତଙ୍କର ସମାବେଶ ହୋଇଥିଲା । ପୂର୍ବାହ୍ନରେ ନନ୍ଦି ଗ୍ରାମ ଠାରେ ଶ୍ରୀରାମ ଭରତ ମିଳନ ହୋଇଥିଲା । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ସୁବଳ ଚନ୍ଦ୍ର ଗୁରହାଣ୍ଡି ଭରତ ଭୂମିକା ଗ୍ରହଣ କରିଥିଲେ । ପରେ ପ୍ରଭୁ ଶ୍ରୀରାମ, ମାତା ସୀତା ଓ ବୀର ଲକ୍ଷ୍ମଣ ସୁସଜ୍ଜିତ ରଥରେ ନଗର ପରିକ୍ରମା କରିଥିଲେ । ଗ୍ରାମରେ ପ୍ରତ୍ୟେକ ଘର ଦୁଆରେ ଝୋଟି, ଚିତା କାଟି ପୂଜା କରିବା ସହିତ ପ୍ରଭୁଙ୍କର ଦର୍ଶନ କରିଥିଲେ । ପରିକ୍ରମାରେ ଶ୍ରୀରାମ ମନ୍ଦିର ମହିଳା ସଂକୀର୍ତ୍ତନ ଦଳ, ଭଗବତ ମଣ୍ଡଳୀ ଓ ହରିପାଲି ସଂକୀର୍ତ୍ତନ ଦଳ ଭାଗ ନେଇଥିଲେ । ଏହା ସହିତ ମାଗୁରବେଡା ସମ୍ପ୍ରଦା ଦଳ, ନୂଆପଡା ମାନ୍ଦଲ ଦଳ ଓ ଜଗତସିଂହପୁରର ଘୋଡାନାଚ ଦଳ, କଅଗାଁର ବୀଣାକାର ଦଳ ମଧ୍ୟ ସାମିଲ ହୋଇଥିଲେ । ବୀର ସାହୁ -ପର୍ଶୁରାମ, ସନ୍ତୋଷ ବାଗ-ହନୁମାନ ହୋଇ ନିଜର କଳା ପ୍ରଦର୍ଶନ କରିଥିଲେ । ରଥରେ ସାରଥୀ ହୋଇଥିଲେ ମାଗୁରବେଡାର ହାଡୁ ବିଶି । ଶ୍ରୀରାମ କଲଚରାଲ ଗ୍ରୁପର ସଭାପତି ମନ୍ମୟ ତ୍ରିପାଠୀ ଏହାକୁ ପରିଚାଳନା କରିଥିଲେ । ନଗର ପରିକ୍ରମା ଶେଷରେ ଶ୍ରୀରାମ ମନ୍ଦିର ଠାରେ ପୁଷ୍ୟାଭିଷେକ ହୋମ କରିଥିଲେ ମନ୍ଦିର ପୂଜକ ହିମାଂଶୁ ମିଶ୍ର । କର୍ତ୍ତା ହୋଇଥିଲେ ସପତ୍ନୀକ ଅଚ୍ୟୁତାନନ୍ଦ ମିଶ୍ର । ପରେ ପରେ ପ୍ରସାଦ ସେବନ କରାଯାଇଥିଲା । ଅପରାହ୍ନରେ ଭକ୍ତ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଧର୍ମପ୍ରାଣ ବ୍ୟକ୍ତିତ୍ୱ ତରୁଣ କୁମାର ପରିଛାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସନ୍ଦୀପ କୁଅଁର, ରିଷିକେଶରୁ ଆସିଥିବା ବାବା ଏସ୍‌.ଏସ୍‌. ଗିରି ମଧ୍ୟ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମ ଟ୍ରଷ୍ଟର ଚେୟାରମେନ ମଳୟ ଆନନ୍ଦ କୁମାର ତ୍ରିପାଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ପରିଚାଳନାରେ ସହଯୋଗ କରିଥିଲେ ଚିଙ୍କୁ ପ୍ରଧାନ, ସତ୍ୟନାରାୟଣ ଗହୀର, ଗଣ୍ଡାରାମ ଗହୀର, ଶ୍ରୀମୟ ତ୍ରିପାଠୀ ଓ ସର୍ବଜିତ ତ୍ରିପାଠୀ । ପ୍ରକାଶ ଥାଉକି ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେବା ଦିନ ଠାରୁ ପୌଷ ପୂର୍ଣ୍ଣିମା ଦିନ ଗ୍ରାମବାସୀମାନେ ଆମିଷ ବର୍ଜନ ପୂର୍ବକ ଏଥିରେ ସାମିଲ ହୋଇ ଅଂଚଳରେ ଉଦାହରଣ ସୃଷ୍ଟି କରିଛନ୍ତି ।

Leave A Reply

Your email address will not be published.