ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ନିଷ୍କ୍ରମଣ ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରରେ ନିଷ୍କ୍ରମଣ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଖଣ୍ଡଦେଉଳି ଉଚ୍ଚ ମାଧ୍ୟମିକ କଲେଜର ଅଧ୍ୟାପକ ଡ. ଗୌରୀଶଙ୍କର ଶତପଥୀ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ବିଜୟ କୁମାର ବିଶ୍ୱାଳ ଯୋଗ ଦେଇଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ତଥା ଓଡିଶା ହାଇକୋର୍ଟର ଓକିଲ ପଦ୍ମ ଚରଣ ସାହୁ ସଭାପତିତ୍ଵ କରିଥିଲେ । ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ ଜୀବନରେ ଶିକ୍ଷାର ଭୂମିକା କିପରି ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଆଗାମୀ ମେଟ୍ରିକ ପରୀକ୍ଷାରେ ଉତ୍ତର ଲେଖିବାର କୌଶଳ ସହ ଜୀବନରେ ଆଗକୁ ବଢିବାର ମାର୍ଗଦର୍ଶନ କରିଥିଲେ । ପ୍ରଥମେ ଶିଶୁମାନଙ୍କ ଅନୁଭୂତି କଥନ କରାଯିବା ସହିତ ପ୍ରଧାନାଚାର୍ଯ୍ୟ, ସଭାପତି, ଆଚାର୍ଯ୍ୟ ଟି. ସୁରେଶ କୁମାର ଆଚାରୀ ମଧ୍ୟ ସେମାନଙ୍କର ମତ ରଖିଥିଲେ । ଏହି ଅବସରରେ ଅତିଥିମାନଙ୍କୁ ସମ୍ମାନିତ କରିବା ସହ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମାମାନେ ଶୁଭାଶିଷ ପ୍ରଦାନ କରିଥିଲେ । ଶେଷରେ ବରିଷ୍ଠ ଆଚାର୍ଯ୍ୟ ସୁକାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁମାନଙ୍କ ପରୀକ୍ଷାର ଶୁଭକାମନା ପାଇଁ ବିଦ୍ୟାଳୟର ସଂସ୍କୃତ ଆଚାର୍ଯ୍ୟ ମନୋରଞ୍ଜନ ଦାଶଙ୍କ ପୌରହିତ୍ୟରେ ଗୌରୀଶଙ୍କର ମନ୍ଦିରରେ ପୂଜା ଅଭିଷେକ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନବମ ଓ ଦଶମ ଶ୍ରେଣୀର ଶିଶୁମାନଙ୍କ ସହିତ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.