ବ୍ରହ୍ମପୁରରୁ କୋଟଗଡ ନୂତନ ସରକାରୀ ବସ୍ ସେବା ଆରମ୍ଭ : ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ବ୍ରହ୍ମପୁର ଠାରୁ କୋଟଗଡ ପର୍ଯ୍ୟନ୍ତ ଏକ ନୂତନ ମାର୍ଗରେ ଶୀତତାପ ନିୟନ୍ତ୍ରିତ ସରକାରୀ ବସ୍ ସେବା ବୁଧବାର ଠାରୁ ଆରମ୍ଭ ହୋଇଛି । ଏହି ବସ୍ ସେବା ଆରମ୍ଭ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଓ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ଅବଗତ କରାଯାଇଥିଲା । ନୂତନ ବସ୍ ବ୍ରହ୍ମପୁର ଠାରୁ କୋଟଗଡ଼ ଭାୟା- କଳିଙ୍ଗା, ଜି.ଉଦୟଗିରି, ରାଇକିଆ, କ. ନୂଆଗାଁ, ବାଲିଗୁଡ଼ା, ତୁମୁଡିବନ୍ଧ ଓ କୋଟଗଡ ମାର୍ଗରେ ଚଳାଚଳ କରିବ। ଏହା ଦ୍ୱାରା ଜିଲ୍ଲାର ଲୋକମାନେ ସହଜ ଏବଂ ସୁବିଧାଜନକ ସ୍ଥିତିରେ ଯାତାୟାତ କରିବା ସହ ଅଞ୍ଚଳବାସୀଙ୍କ ବ୍ୟବସାୟୀ ମାନଙ୍କ ପେଣ୍ଠ ସ୍ଥଳୀ ବ୍ରହ୍ମପୁର ସହ ବ୍ୟବସାୟିକ ଉନ୍ନତି ହୋଇପାରିବ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି । ସମ୍ପ୍ରତି ଏହି ସରକାରୀ ବସ ବ୍ରହ୍ମପୁରରୁ ରାତି ୩.୨୫ରେ ଛାଡିବା ସହିତ ଆସ୍କା ୦୪.୨୯ ରେ, ଭଞ୍ଜନଗର ୦୫.୩୮ରେ, କଳିଙ୍ଗା ୦୬.୪୫ରେ, ଘୁ.ଉଦୟଗିରି ୦୭.୦୭ ରେ, ରାଇକିଆ ୦୭.୫୩ରେ, ବାଲିଗୁଡ଼ା ୦୯.୦୯ରେ ଏବଂ କୋଟଗଡ଼ରେ ସକାଳ ୧୦.୩୯ରେ ପହଞ୍ଚିବ । ପୁଣି କୋଟଗଡ଼ରୁ ଦିନ ୨.୪୦ରେ ବସ୍ ଛାଡ଼ି ତୁମୁଡିବନ୍ଧରେ ୦୩.୧୦, ବାଲିଗୁଡ଼ାରେ ୦୪.୧୫ରେ, ରାଇକିଆରେ ୦୫.୨୬, ଘୁ.ଉଦୟଗିରିରେ ୦୬.୦୬, କଳିଙ୍ଗାରେ ୦୬.୨୦ରେ, ଭଞ୍ଜନଗରରେ ୦୭.୩୧ରେ, ଆସ୍କାରେ ୦୮.୩୯, ହୋଇ ବ୍ରହ୍ମପୁରରେ ରାତି ୯.୪୩ରେ ପହଞ୍ଚିବ ବୋଲି ଜଣାପଡିଛି । ଏହି ନୂତନ ବସ୍ ସେବା ଆରମ୍ଭ ହୋଇଥିବାରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହିତ ରାଜ୍ୟର ପ୍ରମୁଖ ସହରଗୁଡ଼ିକ ମଧ୍ୟରେ ସିଧାସଳଖ ସୁବିଧା ଏବଂ ସଠିକ ସମୟରେ ଯୋଗାଯୋଗ ବୃଦ୍ଧି ପାଇବ । ଆଗାମୀ ଦିନରେ ମଧ୍ୟ ଏପରି ଅନ୍ୟାନ୍ୟ ମାର୍ଗରେ ସରକାରୀ ବସ୍ ସେବା ଆରମ୍ଭ କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି ।

Leave A Reply

Your email address will not be published.