ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରାର ବାର୍ଷିକ ଉତ୍ସବ-୨୦୨୪-୨୫ ବିଦ୍ୟାଳୟ ପରିଚାଳନା ସମିତିର ଉପାଧ୍ୟକ୍ଷା ଜନନୀ ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ସୁନା ଯୋଗ ଦେଇ ରୂପାନ୍ତରିତ ହୋଇଥିବା କୋଠାକୁ ଲୋକାର୍ପଣ କରିଥିଲେ । ଉଦ୍‌ଘାଟକ ଭାବେ ଏକ୍ସିସ ବ୍ୟାଙ୍କ ତୁଷୁରା ଶାଖାର ମ୍ୟାନେଜର ଶ୍ରୀକାନ୍ତ ତ୍ରିପାଠୀ ଯୋଗଦେଇ ବାର୍ଷିକ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ବିଶିଷ୍ଟ ଅତିଥି ଭାବେ ଏନ୍‌ଏ‌ସି ତୁଷୁରାର ଉପାଧ୍ୟକ୍ଷା ମାମୀ ଦାସ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଏମ୍‌ପି ନୋମିନି ରୁଣୁ ଗୋପାଳ ସାହୁ, ସି‌ଆର୍‌ସି‌ସି ଜଗମୋହନ ତ୍ରିପାଠୀ, ଜଗଦୀଶ କେଡିଆ, ରାଧା ରମଣ କେଡିଆ ଓ ସନ୍ତୋଷ କେଡିଆ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ସଭା ସଞ୍ଚାଳନ ଓ ବିବରଣୀ ପାଠ କରିଥିବାବେଳେ ସହକାରୀ ଶିକ୍ଷୟିତ୍ରୀ ଆକାଂକ୍ଷା ରାଣୀ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍‌ଯାପନୀ ସଭା ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଏନ୍‌ଏ‌ସି ତୁଷୁରାର ଅଧ୍ୟକ୍ଷ ଅଜୟ ଜୟଶ୍ୱାଲ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ତୁଳସୀ ଜୈନ ଯୋଗଦେଇ ଶିଶୁମାନେ ଜ୍ଞାନ ଆହରଣ କରିବା ସହ ସତ୍ୟବାଦୀ ଓ ଗୁରୁଭକ୍ତି କରିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ପିଙ୍କୁ ଅଗ୍ରୱାଲ ଓ ରାଧାରମଣ କେଡିଆ ଯୋଗ ଦେଇଥିଲେ । ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରୋତ୍ସାହନ ଯୋଗାଇ ଥିବା ପୂର୍ବଛାତ୍ର ତଥା ଭୂମିଦାତା କେଶୋରାମ କେଡିଆଙ୍କ ସୁଯୋଗ୍ୟ ନାତି ରାଧାରମଣ କେଡିଆଙ୍କୁ ବିଦ୍ୟାଳୟ ତରଫରୁ ମୋମେଣ୍ଟୋ, ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ପ୍ରଦାନ କରି ଉଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପ୍ରଥମ ସମାପ୍ତି ସୂଚକ ଆକଳନରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୪ ଜଣ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଆଶୁତୋଷ କେଡିଆ, ବିଭୋର କେଡିଆ, ପ୍ରମୋଦ ସା, ଗାୟତ୍ରୀ ପରିବାର, କେଡିଆ ପରିବାର ତଥା ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ, ରଞ୍ଜିତା ନାଗ, ଆକାଂକ୍ଷା ରାଣୀ ଯୋଶୀ, ପାଚିକା ଗୁଣମତି ମହାଲିଙ୍ଗ ଓ ଗୀତା ଦର୍ଜୀ ସହଯୋଗ କରିଥିଲେ । ଶେଷରେ ସହକାରୀ ଶିକ୍ଷୟିତ୍ରୀ ବିନ୍ଦୁ ମହାଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.