jayashree

ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ନିକଟସ୍ଥ ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଷାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ ବରିଷ୍ଠ ସାହିତ୍ୟିକ ତଥା ଅବସର ପ୍ରାପ୍ତ ଶିକ୍ଷକ ଭିକାରୀ ଚରଣ ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସହ ଗୋଷ୍ଠୀ ଶିକ୍ଷାଧିକାରୀ ଗଞ୍ଜଳୁ ମିର୍ଦ୍ଧା, ବଟକୃଷ୍ଣ ପାଢ଼ୀ, ଜଗତ ମଲ୍ଲିକ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତାର ବିକାଶ ପାଇଁ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ବ୍ଲକର ୧୫ଟି କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ୨୦୦ ଜଣ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷଣ, କୁଇଜ, ଚିତ୍ରାଙ୍କନ, ପ୍ରକଳ୍ପ, ଗୀତ, ନାଚ ପ୍ରତିଯୋଗିତା ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ପ୍ରତିଯୋଗିତାର ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଚିତ୍ରାଙ୍କନ, ଓଡ଼ିଆ ଲେଖା ଓ ଓଡ଼ିଆ ପୁସ୍ତକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ କ୍ଲଷ୍ଟରରୁ ଆସିଥିବା ସିଆର୍‌ସିସି, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଅଭିଭାବିକା, ପାଚକ, ପାଚିକା ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ମୁରାରୀ ରଥ ଓ ସୁଧୀର ଗଡତିଆ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ପ୍ରଧାନ ଶିକ୍ଷକ କରମ ଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । କନିଷ୍ଠ ବର୍ଗ ବକ୍ତୃତାରେ ସୁହାନା ବିଶି, ଚିତ୍ରାଙ୍କନରେ ଗୀତିକା ତରିଆ, କୁଇଜରେ ରାଧେଶ୍ୟାମ ବେରିଆ ଓ ବାସୁଦେବ ପାଣ୍ଡେ, ବରିଷ୍ଠ ବର୍ଗ ବକ୍ତୃତାରେ ଆଦ୍ୟାଶା ମିଶ୍ର, ଚିତ୍ରାଙ୍କନରେ ସରିତା ସା, କୁଇଜରେ ସ୍ୱାତୀ ଦିଶିରୀ ଓ ଶ୍ରେୟାଶ୍ରୀ ସାହୁ, ଗୀତରେ ଅଙ୍କିତା ମେହେର, ନୃତ୍ୟରେ ଯତିଶା ନାଗ, ପ୍ରକଳ୍ପ କାର୍ଯ୍ୟରେ ପୁନମ ପଧାନ ଓ ପ୍ରତିଜ୍ଞା ପଧାନ ପ୍ରଥମ ହୋଇଥିଲେ । ପ୍ରଥମ ଅଧିକାର କରିଥିବା ଛାତ୍ରଛାତ୍ରୀ ଆସନ୍ତା ୫ ତାରିଖରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

Leave A Reply

Your email address will not be published.