jayashree

ଉତେଇ କେନାଲରୁ ଚାଷୀଙ୍କ ଭରସା ତୁଟୁଛି : ଶୀତଳ ଭଣ୍ଡାରରେ ପଡିରହିଛି ଉତେଇ-ରାହୁଲ ସଂଯୋଗୀକରଣ ପ୍ରସ୍ଥାବ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଏକଦା ମରୁଡି କବଳିତ କର୍ଲାମୁଣ୍ଡା ଓ ମ.ରାମପୁର ବ୍ଳକର କିଛି ଅଂଚଳକୁ କେନାଲ ମାଧ୍ୟମରେ ଜଳ ଯୋଗାଣ କରିବାର ଲକ୍ଷ ନେଇ ସତୁରୀ ଦଶକରେ ଆରମ୍ଭ ହୋଇଥିଲା ଉତେଇ ମଧ୍ୟମ ଜଳସେଚନ ପ୍ରକଳ୍ପ । ସୂଚନାନୁସାରେ ମ.ରାମପୁର ବ୍ଳକର ଆମ୍ବଗାଁ ଠାରେ ଉତେଇ ନଦୀରେ ଆନିକଟ କରାଯାଇ ଖରିଫ ଋତୁରେ ୯୪୦୦ ହେକ୍ଟର ଓ ରବି ଋତୁରେ ୨୪୦୦ ହେକ୍ଟର ଜମିକୁ ଜଳସେଚନର ଲକ୍ଷ୍ୟ ରଖାଯାଇଥିଲା । ଏଇ ଯୋଜନା ଦ୍ୱାରା ମ.ରାମପୁର ବ୍ଳକର ୨ଟି ପଂଚାୟତ, କର୍ଲାମୁଣ୍ଡା ବ୍ଳକର ୯ଟି (ସେତେବେଳେ ୭ଟି ଗ୍ରା.ପ ଥିଲା) ପଂଚାୟତ ଓ ବଲାଙ୍ଗିର ଜିଲ୍ଲାର ଗୁଡଭେଲା ବ୍ଳକର ଗୋଟିଏ ପଂଚାୟତ ଚାଷଜମିକୁ କେନାଲ ପାଣି ଯୋଗାଣର ଲକ୍ଷ ଧାର୍ଯ୍ୟ କରାଯାଇଥିଲା । ସେତେବେଳେ ମାତ୍ର ୨କୋଟି(ଦୁଇଶହ ଲକ୍ଷ) ଟଙ୍କା ଖର୍ଚ୍ଚ ଅଟକଳରେ ଏଇ କେନାଲ ଖନନ କରାଯାଇ ସତୁରୀ ଦଶକର ଶେଷଭାଗରେ ଜଳ ଆବଂଟନ ଆରମ୍ଭ ହେଲା ।

ସୂଚନା ଅନୁସାରେ ଉତେଇ ଜଳସେଚନ ଯୋଜନାର କେନାଲ ଜଳଯୋଗାଣ କ୍ଷମତା ଧିରେ ଧିରେ କମି ଯାଉଛି । ସେତେବେଳେ ଆଟ କିସମ ଥିବା ଜମିଗୁଡିକ ଏବେ କ୍ଷେତ ହେଲାଣି । ଫଳରେ ପାଣି ସଂକଟ ଦେଖାଦେଉଛି । ଅନ୍ୟପକ୍ଷରେ ବିନା ବର୍ଷାରେ ଉତେଇ ନଦୀର ଜଳସ୍ତର ବୃଦ୍ଧି ହେଉନାହିଁ । ଫଳରେ ବର୍ଷା ହେଲେ କେନାଲରେ ପାଣି ଆସେ ଓ ବର୍ଷା ନ ହେଲେ କେନାଲ ଶୁଖିଲା ପଡେ । ତେଣୁ ମରୁଡିରୁ ଚାଷୀକୁ ଉଦ୍ଧାର କରିବାକୁ ସକ୍ଷମ ନୁହେଁ ଉତେଇ କେନାଲ । ଏଠାରେ ଆନିକଟ ବଦଳରେ ଡ୍ୟାମ କରାଗଲେ ଏବଂ ଜଳ ମହଜୁଦ ରଖିଲେ ହିଁ କାମରେ ଆସିପାରିବ ଉତେଇ କେନାଲ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ପ୍ରକୃତପକ୍ଷେ ବର୍ତମାରର ସ୍ଥିତିକୁ ଆକଳନ କଲେ ଜଣାପଡେ ଯେ, କେନାଲର ମୁଖ୍ୟ ଫାଟକରେ ବାଲି ଭର୍ତି ହୋଇରହିଛି । ପ୍ରତିବର୍ଷ ବାଲି ପୁନଃରୁଦ୍ଧାର କରାଯିବା କଥା କିନ୍ତୁ ତାହା ଏଠି ହେଉନାହିଁ । କିଛି ବର୍ଷ ଆଗରୁ ସମସ୍ତ ମୁଖ୍ୟ ଓ ଶାଖା କେନାଲର ବେଡ ସଫେଇ କରାଯାଉଥିଲା ଏବେ କିନ୍ତୁ ବେଡ ସଫେଇ ହେଉ ନାହିଁ । ପ୍ରତିବର୍ଷ କେନାଲ ସିମେଂଟ କରଣ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ କିଛି ଲାଭପ୍ରଦ ହେଉନାହିଁ । କେନାଲର ରକ୍ଷଣାବେକ୍ଷଣ ମଧ୍ୟ କରାଯାଉନାହିଁ । ଠିକାଦାର-ଯନ୍ତ୍ରୀଙ୍କ ଲାଭରେ କ୍ଷତିର ସମ୍ମୁଖୀନ ହେଉଛି ଚାଷୀ ବୋଲି ଅଭିଯୋଗ ହେଉଛି ।

ସୂଜନା ମତେ ବର୍ତମାନ ଯାଏ କେନାଲ ପାଣି ଜଳମୁଣ୍ଡକୁ ପହଂଚି ପାରୁନାହିଁ । ଯଦ୍ୱାରା ଚାଷ ପ୍ରଭାବିତ ହେଉଛି । ଲେକେ ପ୍ରତିବର୍ଷ ଜଳକର ପୈଠ କରି ନୟାନ୍ତ ହେଉଥିବା ବେଳେ ଜଳ ହିଁ ପାଉନାହାନ୍ତି । ତେଣୁ ପୌରକେଲା, ତେରେସିଂହା, ରିଂଜା, ରିଷିଡା, ଗଜବାହାଲ, ଏସ୍‌.ମାଲପଡା ପଂଚାୟତର ଚାଷୀ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି ।

ପ୍ରସ୍ତାବିତ ଉତେଇ-ରାହୁଲ ସଂଯୋଗୀକରଣ କରାଗଲେ ହିଁ ଅଂଚଳର ଚାଷୀ ଉପକୃତ ହୋଇପାରିବେ ବୋଲି ଚାଷୀ ଆଶାବାଦୀ ଅଛନ୍ତି । ନିକଟରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କୁ ଭେଟି ଏଇ ସଂଯୋଗୀକରଣ ପାଇଁ ଦାବୀ ଉପସ୍ଥାପନ କରିଥିବାରୁ ଚାଷୀ ମହଲରେ ପୁର୍ନବାର ଆଶା ସଂଚାର ହୋଇଛି । ଏଇ ପ୍ରୋଜେକ୍ଟ ହେଲେ ମ.ରାମପୁର ଓ କର୍ଲାମୁଣ୍ଡା ବ୍ଳକର ହଜାର ହଜାର ହେକ୍ଟର ଜମିରେ ଦୋ ଫସଲି ହୋଇପାରିବା ସହ ବିଦ୍ୟୁତ ଉତ୍ପାଦନ ମଧ୍ୟ ହୋଇପାରିବ । ଏଇ ଡ୍ୟାମ ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱ ଦେଲେ ଚାଷୀ ମୁହଁରେ ହସ ଫୁଟିବ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.