ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାରେ ଶିକ୍ଷା କ୍ଷେତ୍ରରେ ଡିଜିଟାଲ ବିପ୍ଳବ ଆଣିବାକୁ ପ୍ରଚେଷ୍ଟାରତ ଓକେସିଏଲ, ଏହାର ସମସ୍ତ ୩୦ଟି ଜିଲ୍ଲାର ମୁଖ୍ୟଙ୍କୁ ଏକ ସ୍ଵତନ୍ତ୍ର ତାଲିମ ନିମନ୍ତେ ମହାରାଷ୍ଟ୍ର ଗସ୍ତରେ ପଠାଇଛି । ଡିଜିଟାଲ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖଯୋୠ୍ୟ କାର୍ଯ୍ୟକ୍ରମ କରି ବିପୁଳ ସଫଳତା ଅର୍ଜନ କରିଥିବା ମହାରାଷ୍ଟ୍ର ନଲେଜ କର୍ପୋରେସନ (ଏମକେସିଏଲ)ର କାର୍ଯ୍ୟପ୍ରଣାଳୀର ପ୍ରତ୍ୟକ୍ଷ ଅନୁଶୀଳନ ସହ ଏହାକୁ ବ୍ୟକ୍ତିଗତ ଭାବେ ଅନୁଭବ କରି ଓଡିଶାରେ ସଫଳତମ ଅନୁପାଳନ କରାଇବା ଏହି ଗସ୍ତର ଲକ୍ଷ୍ୟ ରହିଛି । ଓକେସିଏଲର ନେଟୱର୍କମୁଖ୍ୟ ସୁଶାନ୍ତ ଜେ. ଦାସଙ୍କ ନେତୃତ୍ୱରେ ଓ ଆଞ୍ଚଳିକ ପରିଚାଳକ ଦେବାଶିଷ ସାହୁଙ୍କ ତତ୍ତ୍ଵାବଧାନରେ ଏହି ଦଳ ପୁନେ ସ୍ଥିତ ଏମକେସିଏଲର ମୁଖ୍ୟଳୟ ପରିଦର୍ଶନ କରି କାର୍ଯ୍ୟଧାରା ସହ ପରିଚିତ ହୋଇଥିଲେ । ଏହା ସହ ମନ୍ନଡ, ସିଙ୍ଗନାପୁର, ଶିରିଡି, ନାସିକର ଅଧିକୃତ ଶିକ୍ଷାକେନ୍ଦ୍ର ଭ୍ରମଣ କରି ବ୍ୟବସାୟିକ ପ୍ରବୃତ୍ତିର ସିଧାସଳଖ କ୍ଷେତ୍ରୀୟ ଅନୁଭବ କରିଥିଲେ । ପୂର୍ବରୁ ମନ୍ନଡ ଠାରେ ଏମକେସିଏଲ ପକ୍ଷରୁ ଓଡିଶାର ପ୍ରତିନିଧିଦଳକୁ ସ୍ୱାଗତ କରାଯାଇଥିଲା । ଶିରିଡି ସ୍ଥିତ ଦ୍ୱାରବତୀ ଭକ୍ତ ନିବାସ ଠାରେ ଏମକେସିଏଲ ପକ୍ଷରୁ ସମସ୍ତ ପ୍ରତିନିଧିଦଳଙ୍କୁ ଉପଢୌକନ, ଶିରିଡି ସାଇ ଓ ଶନିଦେବଙ୍କର ପ୍ରସାଦ ସହ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଭଳି ଗସ୍ତ ଓଡ଼ିଶାରେ ଓକେସିଏଲର ସମସ୍ତ ଜିଲ୍ଲା ମୁଖ୍ୟଙ୍କ ପାଇଁ ଶିକ୍ଷଣୀୟ ତଥା ଉତ୍ସାହପ୍ରଦ ହେବ ବୋଲି ଓଡ଼ିଶାର ଏକମାତ୍ର ମହିଳା ଜିଲ୍ଲାମୁଖ୍ୟ ତଥା ଗଞ୍ଜାମ ଡିଏଲସି ଏସ. ରେଖା ମହାନ୍ତି ମତବ୍ୟକ୍ତ କରିଛନ୍ତି । ଗସ୍ତ କାଳରେ ଏମକେସିଏଲ ପକ୍ଷରୁ ଯୋଗାଇ ଦିଆଯାଇଥିବା ସହଯୋଗ ଏବଂ ସ୍ମରଣୀୟ ଆତିଥ୍ୟତା ପାଇଁ ଓକେସିଏଲ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।
