ବଲାଙ୍ଗିର, (କେପିଏନ୍ଏସ୍) : ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ଭାରତୀ ନୀଡ଼ ଆଦର୍ଶପଡା ବଲାଙ୍ଗିର ରାଜ୍ୟ ସ୍ତରୀୟ ଚତୁର୍ଥ ବାର୍ଷିକ ଉତ୍ସବ, ଗୁରୁ ପୂଜନ, ପ୍ରତିଭା ସମ୍ମାନ ଓ ନୂଆଖାଇ ଭେଟ୍ଘାଟ୍-୨୦୨୫ ପବିତ୍ର ଗୁରୁ ଦିବସରେ ପଞ୍ଚାୟତ ସମିତି ମହାବିଦ୍ୟାଳୟ ବେଲପଡ଼ା କଲେଜରେ ପାଳିନ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ବେଲପଡ଼ା ଦୀନରଘୁ ମେହେର ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଶିଷ୍ଟ ଶିକ୍ଷାବିତ୍ ତ୍ରିବିକ୍ରମ ମହାକୁଡ଼ ପାଇଛନ୍ତି ଅନୁଷ୍ଠାନର ମର୍ଯ୍ୟାଦା ଜନକ “ଶିକ୍ଷକ ରତ୍ନ” ଉପାଧି । ପ୍ରକାଶ ଥାଉ କି ପୂର୍ବ ବର୍ଷ ମାନଙ୍କରେ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏତଦ୍ ଭିନ୍ନ ବେଲପଡ଼ା ଅଞ୍ଚଳର ପ୍ରାଥମିକ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷାବିତ୍ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେମାନଙ୍କ ମଧ୍ୟରେ ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ବନମାଳୀ ପାଣିଗ୍ରାହୀ, ପଣ୍ଡିତ ମୋହନଦାସ ଠାକୁର, ସଦାଶିବ ମେହେର, ନିରଞ୍ଜନ ବେହେରା, କୁଞ୍ଜମଣି ମେହେର, ଚାଣକ୍ୟ ସାହୁ, ନବୀନ କୁମାର ମେହେର, ସୁରେଶ ଚନ୍ଦ୍ର ମେହେର ଅନ୍ୟତମ । ଏହା ବ୍ୟତୀତ ଶିକ୍ଷା, ସାହିତ୍ୟ, କଳା, ସାମ୍ବାଦିକତା ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ । ଏକ ଗୁରୁ ଗମ୍ଭୀର ପରିବେଶରେ ପବିତ୍ର ଗଙ୍ଗାଜଳରେ ପାଦ ପ୍ରକ୍ଷାଳନ ପୂର୍ବକ ଗୁରୁ ମନ୍ତ୍ର ସହିତ ଘଣ୍ଟ, ଶଙ୍ଖ ଶବ୍ଦରେ ପରିବେଶ ପ୍ରତିଧ୍ୱନିତ ହୋଇଥିଲା । ଉକ୍ତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ରାଜନାରାୟଣ ମେହେର, ମୁଖ୍ୟବକ୍ତା ବାଗ୍ମୀ ରାଜମଣି ସାହୁ, ସଭାପତି ସୁରେଶ ଚନ୍ଦ୍ର ମେହେର, ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦର ସଭାପତି ଡ଼ା. ଚିତ୍ତରଞ୍ଜନ ମିଶ୍ର, ଉପସଭାପତି ଝସକେତନ ଗୁରୁ, ସମ୍ପାଦକ ଡକ୍ଟର ନବକିଶୋର ବେହେରା, ଯୁଗ୍ମ ସମ୍ପାଦକ ଦୁର୍ବାଦଳ ଘିବେଲା, ଛାତ୍ର ପ୍ରତିନିଧି ଡ.ଗୋବର୍ଦ୍ଧନ ନାୟକ ମଞ୍ଚ ମଣ୍ଡନ କରିଥିଲେ । ଦ୍ୱିତୀୟ ଅଧିବେଶନରେ ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ପ୍ରତିଭାମାନଙ୍କୁ ମୁଖ୍ୟ ଅତିଥି ଡ଼. ଗୋବର୍ଦ୍ଧନ ନାୟକ, ସଭାପତି ଡ଼.ଭବାନୀ ଶଙ୍କର ପଟେଲ, ମୁଖ୍ୟବକ୍ତା ସନ୍ଦୀପ କୁମାର କୁଅଁର, ସମ୍ମାନିତ ଅତିଥି କବି ମଧୁସୂଦନ ଦାଶ, ପରିଚାଳନାରେ ଡ.ରଞ୍ଜନ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ । ରାଜ ବୈଦ୍ୟଙ୍କ ନାତି ମହାବିଦ୍ୟାଳୟର ପୂର୍ବତନ ଛାତ୍ର ଡକ୍ଟର ନବକିଶୋର ବେହେରାଙ୍କୁ ମହାବିଦ୍ୟାଳୟ ପକ୍ଷରୁ ବହୁମୁଖୀ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା ।