କଣ୍ଟାବାଞ୍ଜି, (କେପିଏନ୍ଏସ୍) : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ରଣାସାର ଇଂରାଜୀ କୋଚିଙ୍ଗ ସେଣ୍ଟରରେ ଧୂମଧାମରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନରେନ୍ଦ୍ର ସୁନା, ମୁଖ୍ୟ ଅତିଥି, ଡ.ନାରାୟଣ ମିଶ୍ର ମୁଖ୍ୟବକ୍ତା, ଚନ୍ଦ୍ରଭାନୁ ବେହେରା ଓ ଉମେଶ କୁମାର ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା ଓ ଉପସଭାପତି ସୂର୍ଯ୍ୟକାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ପୂଜାର୍ଚ୍ଚନା ପରେ ଅଞ୍ଜଳି ମାଝୀ ଓ ସାଧବୀ ସାହୁଙ୍କ ସମ୍ପାଦନାରେ ସମ୍ପାଦିତ ଅନୁଷ୍ଠାନର ଦ୍ୱିମାସିକ କୋଶଲି ପତ୍ରିକା ‘ନିର୍ଝର’ ଓ ଉମେଶ କୁମାର ବେହେରାଙ୍କ ଦ୍ୱାରା ସମ୍ପାଦିତ ‘କୋଶଲି ପ୍ରୟାସ’ ଉନ୍ମୋଚିତ ହୋଇଥିଲା । ତାପରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ଶିକ୍ଷକ ଅମରକାନ୍ତ ବେହେରାଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ, ପ୍ରମାଣପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରିତୀଶ୍ରୀ ରଣା ସଂସ୍କୃତରେ ନୂଆଁଖାଇ କବିତା ପାଠ କରିବା ସହିତ ଦୀପା ନାୟକ, ସୋମନାଥ ଦଣ୍ଡସେନା, ସହ ସମ୍ପାଦିକା ଅଞ୍ଜଳି ମାଝୀ, ରମେଶ ବାରିକ, ଅମରକାନ୍ତ ବେହେରା କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିଚାଳନା ସମ୍ପାଦିକା ମମତା ପଣ୍ଡା, ସବିତା ରଣା, ମମତା ରଣା, କିଶୋର ବରିହା, ଥମିର ଛତ୍ରିଆ, କୈଳାସ ଦୀପ, ହେରମ୍ବ ବାଗ, ମହିମା ପ୍ରସାଦ ରଣା, ଅପୁ କୁମାର ଭୋଇଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।