centurian jitm

ଝାରସୁଗୁଡ଼ାରେ ବର୍ଣ୍ଣମାଳା ପୁସ୍ତକ ‘ସମ୍ବଲପୁରୀ ଭାଷା ଶିକ୍ଷା’ ଏବଂ ‘ପଠନ ପାର୍ବଣ’ ପୁସ୍ତକ ଉନ୍ମୋଚିତ

nschool

• ପଶ୍ଚିମାଞ୍ଚଳର କଥିତ ଭାଷାକୁ ଓଡ଼ିଆ ଭାଷା ସହ ଯୋଡ଼ାଯିବା ଦିଗରେ ନୂଆ ସେତୁବନ୍ଧ ତିଆରି ହେଲା- ଧର୍ମେନ୍ଦ୍ର ପ୍ରଧାନ
• ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିୟମିତ ପୁସ୍ତକ ପଠନ ଅଭ୍ୟାସକୁ ବୃଦ୍ଧି କରିବା ଲକ୍ଷ୍ୟରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ‘ପଠନ ପାର୍ବଣ’ ପୁସ୍ତକ ଉଦ୍ୟମକୁ ପ୍ରଶଂସା
• ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ ହେବା ପରେ ଝାରସୁଗୁଡ଼ା ସମେତ ସମଗ୍ର ଭାରତବର୍ଷରେ ଶିକ୍ଷଣ ଫଳାଫଳରେ ବୃଦ୍ଧି ହୋଇଛି
• ସ୍ୱଭାବ କବି ଗଙ୍ଗାଧର ମେହେର ସମ୍ବଲପୁରୀ ଭାଷାରେ କଥା ହେଉଥିଲେ ମଧ୍ୟ ଓଡ଼ିଆରେ କବିତା ଲେଖୁଥିଲେ
• ବ୍ୟାସକବି ଫକୀରମୋହନ ସେନାପତି ବାଲେଶ୍ୱରର କଥିତ ଢଙ୍ଗରେ କଥା କହୁଥିଲେ ମଧ୍ୟ ଓଡ଼ିଆ ଭାଷାରେ ଉପନ୍ୟାସ ଲେଖୁଥିଲେ
• ମାତୃଭାଷାରେ ପିଲାମାନେ ଛୋଟବେଳୁ ପାଠ ପଢିଲେ ହିଁ ସନ୍ଥ କବି ଭୀମ ଭୋଇ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ନୂଆପିଢିର ନେତୃତ୍ୱ ତିଆରି ହେବେ
• ଓଡ଼ିଶା ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ ପ୍ରଦୀପ ପୁରୋହିତ ଏବଂ ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଲେ

ଝାରସୁଗୁଡ଼ା, (ପିଆଇବି) : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଝାରସୁଗୁଡ଼ା ଠାରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସମଗ୍ର ଶିକ୍ଷା ଯୋଜନା ଅନ୍ତର୍ଗତ ଦ୍ୱିଭାଷୀ ବର୍ଣ୍ଣମାଳା ପୁସ୍ତକ ‘ସମ୍ବଲପୁରୀ ଭାଷା ଶିକ୍ଷା’ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲିଖନ କୌଶଳ ଓ ପଠନ ଗୁଣବତ୍ତାକୁ ବୃଦ୍ଧି କରିବା ଦିଗରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଲେଖାକୁ ନେଇ ପ୍ରସ୍ତୁତ ‘ପଠନ ପାର୍ବଣ’ ପୁସ୍ତକ ଉନ୍ମୋଚନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତି ଅଧୀନରେ ଏଭଳି ସାଧୁ ଉଦ୍ୟମ ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଯେ ଓଡ଼ିଶାର ପଶ୍ଚିମାଞ୍ଚଳରେ କଥିତ ମାତୃଭାଷାକୁ ରାଜ୍ୟ ଭାଷା ଓଡ଼ିଆ ସହ ଯୋଡାଯିବା ଦିଗରେ ଆଜି ଏକ ନୂଆ ସେତୁବନ୍ଧ ତିଆରି ହୋଇଛି । ‘ସମ୍ବଲପୁରୀ ଭାଷା ଶିକ୍ଷା’ ପୁସ୍ତକ ଦ୍ୱାରା ଆମର ସ୍ଥାନୀୟ ଅଞ୍ଚଳର ପିଲାମାନେ ସମ୍ବଲପୁରୀ – କୋଶଲି ଭାଷାରେ ଓଡ଼ିଆ ବର୍ଣ୍ଣମାଳାର ଧ୍ୱନି, ବର୍ଣ୍ଣ, ଶବ୍ଦ ବ୍ୟବହାର ସହିତ ଓଡ଼ିଆ ଭାଷାର ବର୍ଣ୍ଣ ପ୍ରକରଣ ଶିଖିପାରିବେ । କଥନ ସହିତ ପଠନ ଓ ଲିଖନରେ ମଧ୍ୟ ଦକ୍ଷତା ଅର୍ଜନ କରିପାରିବେ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିୟମିତ ପୁସ୍ତକ ପଠନ ଅଭ୍ୟାସକୁ ବୃଦ୍ଧି କରିବା ଲକ୍ଷ୍ୟରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ‘ପଠନ ପାର୍ବଣ’ ଆରମ୍ଭ ହୋଇଥିଲା । ଏହି ପଠନ ପାର୍ବଣ ଅଭିଯାନ ଗତ ବର୍ଷ ୧୮ ନଭେମ୍ବର ୨୦୨୪ରୁ ଆରମ୍ଭ ହୋଇ ୨୬ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ଚାରୋଟି ବର୍ଗରେ ପ୍ରଥମରୁ ତୃତୀୟ, ଚତୁର୍ଥରୁ ପଞ୍ଚମ, ଷଷ୍ଠରୁ ଅଷ୍ଟମ ଏବଂ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନେଇ ଏହା ଅନୁଷ୍ଠିତ ହୋଇଥିଲା । ପିଲାମାନଙ୍କୁ ବିଭିନ୍ନ ପୁସ୍ତକ ପଢି ତାହାକୁ ସାଂରାଶରେ ଲେଖିବା ପାଇଁ କୁହାଯାଇଥିଲା । ପିଲାମାନେ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଏକ ପୁସ୍ତକ ପଢି ତାହାର ସାରାଂଶ ପ୍ରସ୍ତୁତ କରୁଥିଲେ, ଯାହାକୁ ନେଇ ଏକ ପୁସ୍ତକ ଆଜି ଲୋକାର୍ପିତ ହୋଇଛି । ପଠନ ପାର୍ବଣ ଭଳି କାର୍ଯ୍ୟକ୍ରମ ଜରିଆରେ ଝାରସୁଗୁଡ଼ା ଜିଲ୍ଲାର ୫୬,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ବହି ପଢିବା ଦ୍ୱାରା ପିଲାମାନଙ୍କ ମଧ୍ୟରେ ନବସୃଜନ ଚିନ୍ତାଧାରା ବୃଦ୍ଧି ହେଉଥିବା ସେ କହିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଦେଶରେ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ ହେବା ପରେ ଝାରସୁଗୁଡ଼ା ସମେତ ସମଗ୍ର ଭାରତବର୍ଷରେ ଶିକ୍ଷଣ ଫଳାଫଳ ବୃଦ୍ଧି ହୋଇଛି । ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ସର୍ବଶିକ୍ଷା ଅଭିଯାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସମଗ୍ର ଶିକ୍ଷା ଅଭିଯାନରେ ଡ୍ରପ୍ ଆଉଟ ହ୍ରାସ କରିବା ତଥା ସବୁ ବର୍ଗର ପିଲାମାନଙ୍କୁ ସ୍କୁଲକୁ ଆଣିବା ମୂଳ ଉଦ୍ଦେଶ୍ୟ ରହିଛି । ଝାରସୁଗୁଡ଼ା ଜିଲ୍ଲାର ଛାତ୍ରଛାତ୍ରୀଙ୍କର ଶିକ୍ଷଣ ଫଳାଫଳ ଜାତୀୟ ସ୍ତର ଠାରୁ ଅଧିକ ହୋଇଛି । ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁରର ଚାଷୀ ପରିବାରର ଝିଅ ପ୍ରୀତି ବିଶ୍ୱାଳଙ୍କ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ସମସ୍ତଙ୍କୁ ପ୍ରଭାବିତ କରିଛି । ଆଜି ଭାଷା ସବୁଠୁ ବଡ ବିଷୟ ହୋଇଛି । ସ୍ୱଭାବ କବି ଗଙ୍ଗାଧର ମେହେର ସମ୍ବଲପୁରୀ ଭାଷାରେ କଥା ହେଉଥିଲେ ମଧ୍ୟ ଓଡ଼ିଆରେ କବିତା ଲେଖୁଥିଲେ । ବ୍ୟାସକବି ଫକୀରମୋହନ ସେନାପତି ବାଲେଶ୍ୱରର କଥିତ ଭାଷାରେ କଥା କହୁଥିଲେ ମଧ୍ୟ ଓଡ଼ିଆ ଭାଷାରେ ଉପନ୍ୟାସ ଲେଖୁଥିଲେ । ରାମାୟଣର ଭାଷା ଅଲଗା ହୋଇ ପରେ କିନ୍ତୁ ତାହାର ଭାବ ଅର୍ଥ ଗୋଟିଏ । ପ୍ରଧାନମନ୍ତ୍ରୀଙ୍କ ମତରେ ସବୁ ଭାରତୀୟ ଭାଷା ହେଉଛି ରାଷ୍ଟ୍ରୀୟ ଭାଷା । ଆଜି ବିଶ୍ଵର ଅନେକ ଦେଶର ବିକାଶ ହୋଇଛି ଇଂରାଜୀ ଭାଷା ପାଇଁ ନୁହେଁ ତାହାର ଆଞ୍ଚଳିକ ଭାଷା ପାଇଁ । ପିଲାମାନଙ୍କର ସାମାଜିକ ଓ ଜ୍ଞାନାତ୍ମକ ବିକାଶ ଭାଷାରେ ହିଁ ସମୃଦ୍ଧ ହୁଏ । ଜନ୍ମବେଳୁ ପିଲାମାନେ ଯେଉଁ ଭାଷାରେ ପାଠ ପଢନ୍ତି, ସେହି ଭାଷାରେ ପଢିଲେ ଏବଂ ଲେଖିଲେ ସେମାନଙ୍କର ସୃଜନଶୀଳ ଶକ୍ତି ବୃଦ୍ଧି ହୋଇଥାଏ । ମାତୃଭାଷାରେ ପିଲାମାନେ ଛୋଟବେଳୁ ପାଠ ପଢିଲେ ହିଁ ସନ୍ଥ କବି ଭୀମ ଭୋଇ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ନୂଆପିଢିର ନେତୃତ୍ୱ ତିଆରି ହେବେ । ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସମ୍ବଲପୁରୀ ଭାଷା ପ୍ରାଇମରର ଶୁଭାରମ୍ଭ କରି ଭାଷାକୁ ସମ୍ମାନ ଦେବା ଦିଗରେ ଏକ ବଡ ରେଖା ଟାଣିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ । ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ବିଦ୍ୟାଳୟ ଓ ବିକାଶ ପରିଚାଳନା ସମିତିକୁ ଏହି ଉଦ୍ୟମକୁ ସଫଳ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏହି ଉନ୍ମୋଚନ ସମାରୋହରେ ଓଡ଼ିଶା ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ ପ୍ରଦୀପ ପୁରୋହିତ ଏବଂ ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.