tur
shyamlal

କେନ୍ଦ୍ର ଗୃହ ମନ୍ତ୍ରୀଙ୍କ କରକମଳରେ “ଜମ୍ମୁ-କାଶ୍ମୀର ଆଣ୍ଡ୍ ଲଦାଖ୍ : ଥ୍ରୋ ଦ ଏଜେସ୍” ପୁସ୍ତକ ଉନ୍ମୋଚିତ

• ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ରହିବ – ଅମିତ ଶାହ
• ଜମ୍ମୁ-କଶ୍ମୀର ଏବଂ ଲଦାଖର ଗୌରବମୟ ୩୦୦୦ ବର୍ଷର ଐତିହାସିକ ଯାତ୍ରାକୁ ନେଇ ପୁସ୍ତକ ସମର୍ପିତ – ଧର୍ମେନ୍ଦ୍ର ପ୍ରଧାନ
• ଏନ୍‌ବିଟି ଏବଂ ଆଇସିଏଚ୍‌ଆର୍‌ର ମିଳିତ ଉଦ୍ୟମରେ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ପୁସ୍ତକ ପ୍ରକାଶିତ
• ଜମ୍ମୁ-କଶ୍ମୀର ଏବଂ ଲଦାଖ ବିଷୟକୁ ନେଇ ତିଆରି କରାଯାଇଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ଏହି ପୁସ୍ତକ ଏକ ଅଭୂତପୂର୍ବ ଦସ୍ତାବିଜ ଏବଂ ଭଲ ପ୍ରୟାସ
• ଏହି ପୁସ୍ତକରେ ଧାରା ୩୭୦ର ଐତିହାସିକ ଦିଗକୁ ମଧ୍ୟ ସ୍ଥାନ ଦିଆଯାଇଛି

ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : ନୂଆଦିଲ୍ଲୀ ସ୍ଥିତ ଡ. ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଗୁରୁବାର କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ କରକମଳରେ “ଜମ୍ମୁ-କାଶ୍ମୀର ଆଣ୍ଡ୍ ଲଦାଖ୍ : ଥ୍ରୋ ଦ ଏଜେସ୍” (“ଜମ୍ମୁ ଓ କଶ୍ମୀର ଏବଂ ଲଦାଖ: ନିରନ୍ତରତା ଏବଂ ସଂଯୋଗର ଏକ ଐତିହାସିକ ବିବରଣୀ)” ପୁସ୍ତକ ଉନ୍ମୋଚିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନ୍ୟାସନାଲ ବୁକ ଟ୍ରଷ୍ଟ(ଏନ୍‌ବିଟି) ଏବଂ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ(ଆଇସିଏଚ୍‌ଆର୍‌)ର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା ଏହି ପୁସ୍ତକକୁ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଲୋକାର୍ପିତ କରାଯାଇଛି । ଏହି ପୁସ୍ତକ ଉନ୍ମୋଚନ ସମାରୋହରେ ଶ୍ରୀ ଶାହ କହିଛନ୍ତି ଯେ ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ରହିବ । ଏହାକୁ ଆଇନର କୌଣସି ଧାରା ବଦଳାଇପାରିବ ନାହିଁ । ଜମ୍ମୁ-କଶ୍ମୀରର ଇତିହାସ ଓ ସାଂସ୍କୃତିକ ଐତିହ୍ୟକୁ ପୁନରୁଦ୍ଧାର କରିବା ଦିଗରେ ମୋଦୀ ସରକାର କାର୍ଯ୍ୟ କରୁଛନ୍ତି । ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ପୁସ୍ତକ ଜମ୍ମୁ-କଶ୍ମୀର ଏବଂ ଲଦାଖର ଗୌରବମୟ ୩୦୦୦ ବର୍ଷର ଐତିହାସିକ ଯାତ୍ରାକୁ ସମର୍ପିତ । ଏହି ପୁସ୍ତକରେ ପ୍ରାଚୀନ କାଳରୁ ଆଧୁନିକ କାଳ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀର ଏବଂ ଲଦାଖର ଯାତ୍ରା ଉପରେ ବର୍ଣ୍ଣନା କରାଯାଇଛି । ଏହି ଅଞ୍ଚଳର ଅନନ୍ୟ ସାଂସ୍କୃତିକ ଐତିହ୍ୟ ଏବଂ ବିକାଶର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଛି । ଜମ୍ମୁ-କଶ୍ମୀର ଏବଂ ଲଦାଖ ବିଷୟକୁ ନେଇ ତିଆରି କରାଯାଇଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ଏହି ପୁସ୍ତକ ଏକ ଅଭୂତପୂର୍ବ ଦସ୍ତାବିଜ ଏବଂ ଭଲ ପ୍ରୟାସ । ଆମେ ସଠିକ୍ ଇତିହାସ ଓ ତଥ୍ୟ ଉପସ୍ଥାପନ କରିବା ପ୍ରେରଣା ନେଇ କାମ କରୁଛୁ । ଜମ୍ମୁ, କାଶ୍ମୀର ଓ ଲଦାଖର ଅଲୌକିକ ସଂସ୍କୃତିକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଅଗଷ୍ଟ ୫, ୨୦୧୯, ଜମ୍ମୁ-କଶ୍ମୀର ଓ ଲଦାଖ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା । ଏହି ପୁସ୍ତକରେ ଧାରା ୩୭୦ର ଐତିହାସିକ ଦିଗକୁ ମଧ୍ୟ ସ୍ଥାନ ଦିଆଯାଇଛି । ଭାରତର ବିଭିନ୍ନ କୋଣ ଅନୁକୋଣରେ ସମୃଦ୍ଧ ସଂସ୍କୃତି, ଭାଷା, ଲିପି, ଆଧ୍ୟାତ୍ମିକ ବିଚାର, ବ୍ୟାପାର ଏବଂ ବାଣିଜ୍ୟର କେନ୍ଦ୍ର ଭାବରେ କାଶ୍ମୀରର ଭୂମିକା ଏବଂ ଦେଶରେ ଏହାର ବିସ୍ତାର ବିଷୟରେ ପ୍ରାମାଣିକ ଭାବେ ପୁସ୍ତକରେ ବର୍ଣ୍ଣନା କରାଯାଇଛି । ଏହି ତଥ୍ୟତ୍ତିତ୍ତିକ ପୁସ୍ତକର ଉନ୍ମୋଚନ ପାଇଁ ଶ୍ରୀ ପ୍ରଧାନ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଲେଖକ, ଶିକ୍ଷାବିତ୍, ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀ ଏବଂ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତିବିଶେଷମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.