ସାହିତ୍ୟିକ କୃଷ୍ଣଚନ୍ଦ୍ର ବାରିକଙ୍କ ଦୁଇଟି କୋଶଲୀ ପୁସ୍ତକ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୯ ତାରିଖ ରକ୍ଷାବନ୍ଧନ ଦିନ ବଲାଙ୍ଗିର ସାମ୍ବାଦିକ ଭବନରେ ବିଶିଷ୍ଟ କବି, ଗୀତିକାର, ନାଟ୍ୟକାର ତଥା ସାହିତ୍ୟିକ କୃଷ୍ଣଚନ୍ଦ୍ର ବାରିକଙ୍କ ଦୁଇଟି କୋଶଳୀ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ଗାଳ୍ପିକ ମଳୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ସର୍ବପ୍ରଥମେ ଦିବଂଗତ କୋଶଳ ଗୌରବ ବିଶିଷ୍ଟ କବି ରାମଭକ୍ତ ଫରିକାର ଓ କୋଶଲୀ କବି ତଥା ଗବେଷକ ନିମେଇଁ ଚରଣ ପାଣିଗ୍ରାହୀଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ବଲାଙ୍ଗିର ନଗରପାଳ ଶ୍ରୀମତୀ ଲିକା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କୋଶଲୀ ନାଟକ ‘ସଉତେନ୍‌’ ଓ କୋଶଲୀ ଗଳ୍ପ ସଂକଳନ ‘ନୀଏ’ର ଶୁଭ ଉନ୍ମୋଚନ କରିଥିଲେ । ଅନ୍ୟ ନିମନ୍ତ୍ରିତ ଅତିଥି ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଅଧ୍ୟାପକ ନବୀନ ବିଶ୍ୱବନ୍ଧୁ, ପଞ୍ଚମ ସାଂସ୍କୃତିକ ଅନୁଷ୍ଠାନର ପ୍ରତିଷ୍ଠାତା ମୁରଲୀଧାରୀ ପତି, ବିଶିଷ୍ଟ ସାହିତ୍ୟିକ କପିଳେଶ୍ୱର ଖମାରୀ ଓ ଲେଖକ କୃଷ୍ଣଚନ୍ଦ୍ର ବାରିକ ପ୍ରମୁଖ ମଂଚାସୀନ ଥିଲେ । କବି ତଥା ସାମ୍ବାଦିକ ସନ୍ଦୀପ କୁମାର କୁଅଁରଙ୍କ ସଂଯୋଜନାରେ ନିମନ୍ତ୍ରିତ ଅତିଥି ଓ ବକ୍ତାମାନେ ଶ୍ରୀ ବାରିକଙ୍କର ଲେଖକୀୟ ଜୀବନ ଓ ସର୍ଜନାର ଆଲୋଚନାରେ ଭୂୟସୀ ପ୍ରଶଂସା କରିଥିଲେ । ଲେଖକ ଓ ତାଙ୍କର ପ୍ରକାଶିକା ପତ୍ନୀ କଣ୍ଠଶିଳ୍ପୀ ଶ୍ରୀମତୀ ଉଷାରାଣୀ ବାରିକ ସେମାନଙ୍କର ଅଭିମତ ପ୍ରକାଶ କରିଥିଲେ । କବି ତଥା ନାଟ୍ୟ ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ବନଛୋର ଲେଖକ ଦମ୍ପତିଙ୍କର ଜୀବନ ଓ ସାରସ୍ୱତ ସର୍ଜନା ସମ୍ପର୍କରେ ଏକ ସରସ ଆଲୋଚନା କରିଥିଲେ । କବୟତ୍ରୀ ସବିତା ମହରା ଲେଖକଙ୍କ ନାଟକ ସମ୍ପର୍କରେ ଆଲୋଚନା କରିଥିଲେ । ଗାଳ୍ପିକ ମଳୟ ମିଶ୍ର କହିଥିଲେ ଯେ, ସମସ୍ତଙ୍କର କାହାଣୀକୁ ଗଳ୍ପ କରିବାର କଳା କାରିଗରୀ ନଥାଏ ଓ ବନ୍ଧୁ କୃଷ୍ଣଚନ୍ଦ୍ର ବାରିକ ଏହି ପୁସ୍ତକଟିରେ କୋଶଲୀ କଥାନୀକୁ ଗଳ୍ପରେ ପରିଣତ କରିବାର ଦକ୍ଷତା ପ୍ରତିପାଦନ କରିଛନ୍ତି ଓ ସମ୍ଭବତଃ ଏଭଳି ଉତ୍ତରଣ ପ୍ରଥମ । ଅନ୍ୟତମ ଅତିଥି ଶ୍ରୀ ପତି ‘ସଉତେନ୍‌’ ନାଟକଟିକୁ ଫିଲ୍ମ କରିବାର ସୂଚନା ଦେଇଥିଲେ । ମୁଖ୍ୟଅତିଥି ଆମ ଭାଷା, ଗଳ୍ପ ବା ସାରସ୍ୱତ ରଚନାରେ ସମାଜର ବିଭିନ୍ନ ଦିଗର ପ୍ରତିଫଳନ ସମାଜକୁ ଉତ୍ତମ ଦିଗ୍୍‌ଦର୍ଶନ ଦେଇଥାଏ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସାହିତ୍ୟିକ ଶ୍ରୀ ଖମାରୀ ସମ୍ପାଦକୀୟ ବିବରଣୀ ପଠନ କରିଥିବା ବେଳେ ଅଜିତ କୁମାର ମହାନ୍ତି ପ୍ରାରମ୍ଭିକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରେରଣାର ସମ୍ପାଦକ ଏଡ୍‌ଭୋକେଟ୍‌ ରଘୁନନ୍ଦନ ସିଂ ଶେଷରେ ଧନ୍ୟବାଦ ଦେଇଥିଲେ । ସହରର ବହୁ ସାହିତ୍ୟିକ ତଥା ସାହିତ୍ୟପ୍ରେମୀ ଏହି ସଭାରେ ଯୋଗଦାନ କରିଥିଲେ । ଅସୁସ୍ଥତା ଯୋଗୁଁ ଅନ୍ୟତମ ସମ୍ମାନିତ ମୁଖ୍ୟବକ୍ତା ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ଆସିବାର ସମ୍ମତି ଦେଇଥିଲେ ହେଁ ଆକସ୍ମିକ ଗୁରୁତର ହୋଇ ପଡିବାରୁ ଆସିପାରି ନଥିଲେ ।

Leave A Reply

Your email address will not be published.

error: Content is protected !!