
ବଲାଙ୍ଗିର, (କେପିଏନ୍ଏସ୍) : ଗାଳ୍ପିକା ଗାୟତ୍ରୀଙ୍କ ଇଂରାଜୀ ଅନୁଦିତ ପୁସ୍ତକ ‘ବର୍ଣ୍ଣିଂ ମାଉନ୍ଟେନ୍’ କୋଙ୍କଣୀ ଭାଷାରେ ଅନୁବାଦିତ ହୋଇ ଗୋଆର ହୋଟେଲ ଡୋଲମନ୍ରେ ଉନ୍ମୋଚିତ ହୋଇଯାଇଛି । ଅନୁବାଦ କରିଛନ୍ତି ଗୋଆର ଲେଖକ ଦଂପତ୍ତି ସ୍ନେହଲତା ଅରବିନ୍ଦ ଭାଟିକର । ଗୋଆର ଲେଖକ, ସାହିତ୍ୟ ପ୍ରେମୀ ଓ ଶୁଭେଚ୍ଛୁ ଏଥିରେ ଯୋଗଦେଇ ସଭାର ଶୋଭା ବଢାଇଥିଲେ । ଗାଳ୍ପିକା ଗାୟତ୍ରୀ ନିମନ୍ତ୍ରିତ ଅତିଥି ହୋଇ ଉତ୍ସବରେ ଯୋଗଦେଇ ପୁସ୍ତକର ପ୍ରକାଶକ ମାନେର୍କମ୍ ସ୍ୱାଗତ ଭାଷଣ ଦେଇଥିଲେ । ପରେ ସମସ୍ତ ଅତିଥି ବୃନ୍ଦ ଓ ଅନୁବାଦକ ଦଂପତି କୋଙ୍କଣୀର ଅନୁବାଦିକ ପୁସ୍ତକ ‘ଭଗଭଚାତେ ତୈଶୁକ’କୁ ଉନ୍ମୋଚନ କରିଥିଲେ । ଗାୟତ୍ରୀଙ୍କ ହାତରେ ନଡିଆ ଓ ଗୋଲାପଗୁଚ୍ଛ ଦେଇ ପ୍ରଥମେ ସ୍ୱାଗତ କରାଯାଇଥିଲା । ପରେ ପରେ ଗୋଆର ପାରମ୍ପରିକ ଶୈଳୀର ଉପାୟନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ନିଜ ନିଜ ଭାଷଣରେ ସାହିତ୍ୟିକମାନେ ଦୁଃଖ ପ୍ରକାଶ କରି କହିଥିଲେ ସମସାମୟିକ ଓଡିଆ ସାହିତ୍ୟ ବିଷୟରେ ସେମାନେ ବିଶେଷ କିଛି ଜାଣି ନାହାନ୍ତି । ସରସ୍ୱତୀ ସମ୍ମାନପ୍ରାପ୍ତ ସାହିତ୍ୟିକ ‘କଥା’ର ବାର୍ଷିକ ଉତ୍ସବରେ ଯୋଗଦେଇଥିବା ବେଳର ଆତିଥ୍ୟ କଥା ସ୍ମରଣ କରିଥିଲେ । ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଦେବୀଦାସ୍ କମଲ କହିଥିଲେ ଅନୁବାଦ ସାହିତ୍ୟର ମହତ୍ୱ କଥା । ଅନୁବାଦ ହିଁ ରାଜ୍ୟ ରାଜ୍ୟର ହୃଦୟ ଯୋଡେ ବୋଲି ମତପ୍ରକାଶ କରିଥିଲେ । ଗାଳ୍ପିକା ଗାୟତ୍ରୀ ନିଜ ବହି ବିଷୟରେ ସୂଚନା ଦେଲା ପରେ କହିଥିଲେ ଆମେ ଓଡିଆମାନେ ଆତିଥେୟତା ଓ ଭାଷା ସାହିତ୍ୟକୁ ଭଲ ପାଇବାରେ ସିଦ୍ଧହସ୍ତ । ଏବେ ଆମ ଭାଷାରେ ଡେଣା ଲାଗିଛି । ସେ ଏବେ ଦେଶ-ବିଦେଶ ଯାଏଁ ଉଡାଣ ଭରୁଛି । କୋଙ୍କଣୀ ଭାଷା ବି ଓଡିଆ ସାହିତ୍ୟକୁ ଆସିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ଗଭୀର ଉତ୍ସହ ଓ ଉଦ୍ଦୀପନା ଭିତରେ ଉତ୍ସବର ପରିସମାପ୍ତି ଘଟିଥିଲା । ଉପସ୍ଥିତ ଶ୍ରୋତାମଣ୍ଡଳୀ ଗାଳ୍ପିକା ଗାୟତ୍ରୀ ଓ ଅନୁବାଦକଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରକାଶକ ମାନେର୍କର୍ ଧନ୍ୟବାଦ ଅର୍ପଣ କରିଥିଲେ ।