ବଲାଙ୍ଗିର, (କେପିଏନ୍ଏସ୍) : ଗତକାଲି ଅପରାହ୍ନରେ ଭୀମଭୋଇ ଭେଷଜ ମହାବିଦ୍ୟାଳୟ ପରିସରରେ ଥିବା ଔଷଧୀୟ ବୃକ୍ଷ ଉଦ୍ୟାନଠାରେ ମହାବିଦ୍ୟାଳୟର ପୂର୍ବତନ ଫାର୍ମାକୋଲୋଜି ବିଭାଗ ପ୍ରଫେସର ସ୍ୱର୍ଗତ ଡାଃ ମୁରଲିଧର ପାଣିଗ୍ରାହୀଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏହାକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡାଃ. ସ୍ୱୟଂପ୍ରଭା ପ୍ରଧାନ, ଉପାଧ୍ୟକ୍ଷା ଡାଃ. ମାନସୀ ପଣ୍ଡା, ସ୍ୱର୍ଗତ୍ ଡାଃ. ପାଣିଗ୍ରାହୀଙ୍କ ଏକମାତ୍ର ପୁତ୍ର ରାଜନ୍ ପାଣିଗ୍ରାହୀ ଉନ୍ମୋଚନ କରିଥିଲେ । ଏହି ଅବସରରେ ଅଧ୍ୟକ୍ଷା ଡାଃ. ପ୍ରଧାନ ଅମର ଆତ୍ମାଙ୍କ ସ୍ମୃତିଚାରଣ କରି ଔଷଧୀୟ ବୃକ୍ଷ ବଗିଚା ନିଜ ପ୍ରଚେଷ୍ଟା ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ନିର୍ମାଣ କରିଥିଲେ ବୋଲି କହିଥିଲେ । ଏହା ବ୍ୟତୀତ ଡାଃ. ପାଣିଗ୍ରାହୀ ୨୦୧୭ ରୁ ଭୀମଭୋଇ ଭେଷଜ ମହାବିଦ୍ୟାଳୟରେ କାର୍ଯ୍ୟକରି ଆସିଷ୍ଟାଣ୍ଡ ପ୍ରଫେସର୍ ଓ ପରେ ପ୍ରଫେସର ପଦରେ କାର୍ଯ୍ୟକରିଥିଲେ । ଏଥି ସହ ଡାଃ. ପାଣିଗ୍ରାହୀ ମହାବିଦ୍ୟାଳୟର ଔଷଧାଗାର ଅଧିକାରୀ ଓ ସିବିଏମ୍ଇ ବିଭାଗ ଦାୟିତ୍ୱ ସୂଚାରୁ ରୂପେ ନିର୍ବାହ କରିଥିଲେ । ସେ ଜଣେ ଛାତ୍ରବତ୍ସଳ, ଶିକ୍ଷାନୁରାଗୀ, ମିଷ୍ଟଭାଷୀ ଓ ସର୍ବୋପରି ଜଣେ ଉତ୍ତମ ମଣିଷ ଭାବେ ସର୍ବଜନ ଆଦୃତ ଥିଲେ । ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନ ଓ ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ । ଗତ ୨୦୨୪ ଅକ୍ଟୋବର ୨୨ ତାରିଖରେ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀଗୃହରେ ଶିକ୍ଷା ପ୍ରଦାନ କରୁଥିବା ଅବସରରେ ତାଙ୍କର ହଠାତ୍ ନିଧନ ଘଟିଥିଲା । ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଅବସରପ୍ରାପ୍ତ ଫାର୍ମାସିଷ୍ଟ ଶୁଭେନ୍ଦ୍ର ନେପାକ, ଫାର୍ମାକୋଲୋଜି ତଥା ଅନ୍ୟାନ୍ୟ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗଦାନ କରି ମହାନ୍ ଆତ୍ମାର ସଦ୍ଗତି କାମନା କରିଥିଲେ ।