ଆଶୁକବି ଡ. ହେମନ୍ତ କୁମାର ଦାଶଙ୍କ କୋଶଲି କବିତା ସଙ୍କଳନ “ଫୁଲ୍ ଗଜରା” କାବ୍ୟ ଉନ୍ମୋଚିତ

ତୁଷୁରା, (କେପିଏନ୍‌ଏସ୍‌) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରା ଠାରେ ଆଶୁକବି ଡ. ହେମନ୍ତ କୁମାର ଦାଶଙ୍କ କୋଶସ୍ଲି କବିତା ସଙ୍କଳନ ଫୁଲ୍ ଗଜରା କାବ୍ୟ ନିଷାନ ସାହିତ୍ୟ କଳା ଓ ସଂସ୍କୃତି ଏକାଡେମୀ ତୁଷୁରାର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଉନ୍ମୋଚିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତୁଷୁରା ଏନ୍‌ଏସି ଅଧ୍ୟକ୍ଷ ଅଜୟ ଜୟଶ୍ୱାଲ ଯୋଗ ଦେଇ କାବ୍ୟକୁ ଉନ୍ମୋଚନ କରିବା ସହ ଏହା କୋଶଲି ଭାଷା ସାହିତ୍ୟର ଏକ ଯୁଗାନ୍ତକାରୀ ଇତିହାସ ହେବ ବୋଲି କହିଥିଲେ । ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ତୁଳସୀ ଜୈନ ଉଦ୍‌ଘାଟକ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଡ. ଦାଶଙ୍କ କାବ୍ୟକୁ ଏକ ଉଚ୍ଚକୋଟିର ସାହିତ୍ୟ ସର୍ଜନା ବୋଲି ଅଭିହିତ କରିଥିଲେ । ମୁଖ୍ୟବକ୍ତା ବାଗ୍ମୀ ରାଜମଣି ସାହୁ ଏହି ପୁସ୍ତକ ଆଗାମୀ ଦିନରେ ସାହିତ୍ୟ ଜଗତରେ ଏକ ମାଇଲ ଖୁଣ୍ଟ ହେବ ବୋଲି କହିଥିଲେ । ବିଶିଷ୍ଟ ସମୀକ୍ଷକ ବନବାସ ମେହେର ପୁସ୍ତକର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ଡ. ଦାଶଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରାଧା ରମଣ କେଡିଆ, ପିଙ୍କୁ ଅଗ୍ରୱାଲ, ପ୍ରଧାନ ଆଚାର୍ଯ୍ୟ ସୁଶୀଳ କୁମାର ଦାଶ, କାବ୍ୟ ସ୍ରଷ୍ଟା ଡ. ହେମନ୍ତ କୁମାର ଦାଶ ଓ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ଦାଶ ମଞ୍ଚାସୀନ ଥିଲେ । କଣ୍ଠଶିଳ୍ପୀ ବିଶ୍ଵଜିତ ସାହୁ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ ଓ କବୟିତ୍ରୀ ବବିତା ନାୟକ ସରସ୍ଵତୀ ବନ୍ଦନା ଗାନ କରିଥିଲେ । କବୟିତ୍ରୀ ତୃପ୍ତିମୟୀ ତ୍ରିପାଠୀ ସଭା ସଞ୍ଚାଳନ କରିଥିବା ବେଳେ କବି ଭକ୍ତ ବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମାରୱାଡ଼ି ମହିଳା ସମିତି ତରଫରୁ ଡ. ଦାଶଙ୍କୁ ତାଙ୍କର ସଫଳତା ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ଓ ଅନୁଷ୍ଠାନ ତରଫରୁ ମାରୱାଡ଼ି ମହିଳା ସମିତିକୁ ତାଙ୍କର ସେବା ସମର୍ପଣ କାର୍ଯ୍ୟ ପାଇଁ ସାର୍ଟିଫିକେଟ, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ଦ୍ୱିତୀୟ ଅଧିବେଶନ ସଭାପତି ଡ. ଗୋପିକୃଷ୍ଣ ପଣ୍ଡିଆଙ୍କ ସଭାପତିତ୍ୱ ଓ ଆହ୍ଲାଦିନୀ ପାଣିଗ୍ରାହୀ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡ. ନିରଞ୍ଜନ ପଣ୍ଡା, କୋଶଳ ସାହିତ୍ୟ ଏକାଡେମୀର ସଭାପତି ଡ. ଦେବେନ୍ଦ୍ର ନାଏକ, ଅପରାହ୍ନର ଜିଲ୍ଲା ସଂଯୋଜକ କଣ୍ଡୁରୀ ଚରଣ ରାଉତ, ବିଶିଷ୍ଟ କବି ତଥା ଶିକ୍ଷାବିତ୍ ଅଜିତ କୁମାର ମିଶ୍ର, କବି ବରୁଣ କୁମାର ସାହୁ, ପ୍ରେମକବି ରାଜୀବ ପ୍ରସାଦ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ଶତାଧିକ ବିଶିଷ୍ଟ କବି ଓ କବୟିତ୍ରୀ ନିମନ୍ତ୍ରଣ ପାଇ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.