ସ୍ଵର୍ଗତ ଚୈତନ୍ୟ ଦାସ ଠାକୁରଙ୍କ ପ୍ରଥମ ବାର୍ଷିକ ସ୍ମୃତିସଭା ଓ ସ୍ମରଣିକା ‘ଚେତନାରେ ଚୈତନ୍ୟ’ର ଉନ୍ମୋଚନ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ଆଧ୍ୟାତ୍ମିକ ଚିନ୍ତକ, ଶିକ୍ଷାବିତ୍ ତଥା ଅଧ୍ୟାତ୍ମ ବାହିନୀର ସମ୍ପାଦକ ସ୍ଵର୍ଗତ ଚୈତନ୍ୟ ଦାସ ଠାକୁରଙ୍କ ପ୍ରଥମ ବାର୍ଷିକ ସ୍ମୃତିସଭା ଓ ସ୍ମରଣିକା ‘ଚେତନାରେ ଚୈତନ୍ୟ’ର ଉନ୍ମୋଚନ ଉତ୍ସବ ସ୍ଥାନୀୟ ମାରୱାଡି ସେବା ସଦନଠାରେ ସତ୍ୟବନ୍ତ ବେଦବାକଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖୁଜେନପାଲି ସ୍ଥିତ ଆନନ୍ଦ ନିକେତନ ଆଶ୍ରମର ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀ ଏବଂ କଣ୍ଟାବାଞ୍ଜି ରାଧା ମାଧବ ମନ୍ଦିର ମାତା ମଠର ବାବା ଅଦ୍ଵୈତ ପ୍ରସାଦ ଆଶୀର୍ବଚନ ପ୍ରଦାନ କରି ସ୍ଵର୍ଗତ ଚୈତନ୍ୟ ଦାସ ଠାକୁରଙ୍କ ବହୁମୁଖୀ ପ୍ରତିଭାର ଅବତାରଣା କରିଥିଲେ ଓ ଏହି ଅବସରରେ ପ୍ରସ୍ତୁତ ସ୍ମରଣିକା ଉନ୍ମୋଚନ କରିଥିଲେ । ସମ୍ପାଦନା କମିଟିର ଅନ୍ୟତମ ସଭ୍ୟ ରଘୁନାଥ ବାବୁ ସ୍ମରଣିକା ଉପରେ ତାଙ୍କର ମତାମତ ଦେଇଥିଲେ । ଡ. ଗୋବର୍ଦ୍ଧନ ନାୟକ, ଚୈତନ୍ୟ ଦାସଙ୍କ ବଡଭାଇ ମୋହନ ଦାସ ଠାକୁର, ଶିକ୍ଷାବିତ୍ ସ୍ତମ୍ଭକାର ଦିବ୍ୟ ଜୀବନ୍ ସଂଘର ଡ଼. ମୀନକେତନ ପାଠୀ, ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ, ମଣ୍ଡଳ ଗ୍ରାମର ଘାସିରାମ ପାଢ଼ୀ ଓ ଆଶୁତୋଷ ଠାକୁର, ଟିକ୍ରାପଡ଼ାରୁ ଶିକ୍ଷକ ସ୍ଵର୍ଗତ ଠାକୁରଙ୍କ ସହକର୍ମୀ ଚନ୍ଦ୍ରମଣି ସିଂହଦେଓ, ସତ୍ୟସାଇ ସଂଗଠନ ବଲାଙ୍ଗିରରୁ କବି ସୁଭ୍ରାଂଶୁ ପଣ୍ଡା ଓ ସଂଗଠନର ଜିଲ୍ଲା ସଭାପତି ମନୋଜ ମହାପାତ୍ର ପ୍ରମୁଖ ତାଙ୍କର ସ୍ମୃତିଚାରଣ କରିଥିଲେ । ପୂର୍ବରୁ ଚୈତନ୍ୟ ଦାସ ଠାକୁର ସ୍ମୃତି କମିଟିର ସମ୍ପାଦକ ଡାକ୍ତର ରସରାଜ ଠାକୁର ସ୍ଵାଗତ କରିଥିଲେ । ସ୍ଵର୍ଗତ ଠାକୁରଙ୍କ ଅଧ୍ୟାତ୍ମ ବାହିନୀର ଗୋଟିଏ ବିଶେଷ ସଂଖ୍ୟା ତାଙ୍କର ସ୍ମୃତିରେ ଖୁବଶୀଘ୍ର ପ୍ରକାଶିତ ହୋଇ ଏହାକୁ ନିୟମିତ କରାଯିବା ବିଷୟରେ ସେ ସୂଚନା ଦେଇଥିଲେ । ସଭାକୁ କୁମୁଦ ବିହାରୀ ବେଦବାକ ସଂଯୋଜନା କରିଥିଲେ । ଶେଷରେ ଡାକ୍ତର ରସରାଜ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.