jayashree

ଆଇଏଫ୍‌ଏଫ୍‌ଆଇ ୨୦୨୪ର ଚିତ୍ତାକର୍ଷକ କାର୍ଯ୍ୟସୂଚୀକୁ ଉନ୍ମୋଚନ କଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ

  • ମହୋତ୍ସବରେ ପ୍ରଦର୍ଶିତ ହେବ ଗୋଆ ସଂସ୍କୃତି ଓ ଚଳଚ୍ଚିତ୍ର ଉତ୍କର୍ଷ
  • ଆଇଏଫଏଫଆଇ ପରେଡ୍ ସମୟରେ ସ୍କାଏ ଲାଣ୍ଟର୍ଣ୍ଣ ଆଲୋକିତ ହେବ ଗୋଆର ଆକାଶ
  • କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋ ପ୍ରତିଯୋଗିତା ପାଇଁ ରେକର୍ଡ ୧୦୩୨ ଆବେଦନ : ଆଇଏଫ୍‌ଏଫ୍‌ଆଇ ଚଳିତ ବର୍ଷ ଯୁବ ଚଳଚ୍ଚିତ୍ର ନିର୍ମାତାଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିଛି : ପୃଥୁଳ କୁମାର, ଏନ୍‌ଏଫ୍‌ଡିସି ପରିଚାଳନା ନିର୍ଦ୍ଦେଶକ

ଇଫିଉଡ୍, (ପିଆଇବି) : ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ୫୫ତମ ସଂସ୍କରଣ ଆସନ୍ତା ନଭେମ୍ବର ୨୦ରୁ ୨୮ତାରିଖ ପର୍ଯ୍ୟନ୍ତ ମନୋରମ ସାମୁଦ୍ରିକ ବେଳାଭୂମିର ରାଜ୍ୟ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଭାରତ ସରକାର), ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନ୍‌ଏଫ୍‌ଡିସି) ଏବଂ ଗୋଆ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏଣ୍ଟରଟେନମେଣ୍ଟ ସୋସାଇଟି ଅଫ୍ ଗୋଆ (ଇଏସଜି) ମାଧ୍ୟମରେ ମହୋତ୍ସବ ଆୟୋଜିତ ହେଉଛି । ବିବିଧ କାହାଣୀ, ଅଭିନବ ସ୍ୱରକୁ ପ୍ରଦର୍ଶନ କରିବା ସହିତ ସାଂସ୍କୃତିକ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ଚଳିତ ବର୍ଷର ଆଇଏଫ୍ଏଫ୍ଆଇ ମହୋତ୍ସବ ଚମତ୍କାର ଚଳଚ୍ଚିତ୍ର ଉତ୍ସବର ଭିନ୍ନ ଅନୁଭୂତି ନେଇ ଆସିଛି । ଆଇଏଫ୍ଏଫ୍ଆଇ ମିଡିଆ ସେଣ୍ଟରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଗୋଆର ମୁଖ୍ୟମନ୍ତ୍ରୀ ଡ. ପ୍ରମୋଦ ସାୱନ୍ତ, ଗୋଆର ମନୋରଞ୍ଜନ ସୋସାଇଟିର ଉପାଧ୍ୟକ୍ଷ ଡେଲିୟାଲା ଲୋବୋ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ତଥା ଏନ୍ଏଫ୍‌ଡିସିର ପରିଚାଳନା ନିର୍ଦ୍ଦେଶକ ପୃଥୁଲ କୁମାର ଯୋଗ ଦେଇଥିଲେ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀମତୀ ବୃନ୍ଦା ଦେଶାଇ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପିଆଇବିର ମହାନିର୍ଦ୍ଦେଶକ ଶ୍ରୀମତୀ ସ୍ମିତା ବତ୍ସ ଶର୍ମା ଏବଂ ପିଆଇବି ଓ ଇଏସ୍‌ଜିର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିଥିଲେ । ଚଳିତ ବର୍ଷର ମହୋତ୍ସବରେ ଆୟୋଜନ କରାଯିବାକୁ ଥିବା ନୂଆ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଡ. ସାୱନ୍ତ କହିଥିଲେ ଯେ ଆଇଏଫ୍ଏଫ୍ଆଇ ପରେଡ୍ ମାର୍ଗରେ ‘ସ୍କାଏ ଲାଣ୍ଟର୍ନ’ ବା ଆକାଶ ଦୀପ ପ୍ରତିଯୋଗିତାର ଏଣ୍ଟ୍ରିଗୁଡ଼ିକ ପ୍ରଦର୍ଶିତ ହେବ । ଆସନ୍ତା ୨୨ ତାରିଖରେ ଇଏସ୍‌ଜି କାର୍ଯ୍ୟାଳୟ ସ୍ଥାନ ଠାରୁ କଳା ଏକାଡେମୀ ପର୍ଯ୍ୟନ୍ତ ଆଇଏଫ୍‌ଏଫ୍‌ଆଇ ପରେଡ୍ ଆୟୋଜନ କରାଯିବ । ଏହି ମହୋତ୍ସବରେ ୮୧ଟି ଦେଶର ୧୮୦ଟି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ମହୋତ୍ସବ ସ୍ଥଳରେ ଯାତାୟାତର ସୁବିଧା ପାଇଁ ମାଗଣା ପରିବହନ ବ୍ୟବସ୍ଥା କରାଯିବ । ଗୋଆ ଚଳଚ୍ଚିତ୍ର ଉପରେ ସ୍ୱତନ୍ତ୍ର ବିଭାଗ ରହିବ ଯେଉଁଥିରେ ସ୍ଥାନୀୟ ପ୍ରତିଭା ଓ ସଂସ୍କୃତିକୁ ନେଇ ୧୪ଟି ସିନେମା ପ୍ରଦର୍ଶିତ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଏନ୍‌ଏଫ୍‌ଡିସିର ଏମ୍‌ଡି ପୃଥୁଲ କୁମାର କହିଛନ୍ତି ଯେ ଗୁଗଲ ଏବଂ ମାଇ ଗଭ ପ୍ଲାଟଫର୍ମ ସହିତ ଭାଗିଦାରୀ ମାଧ୍ୟମରେ ମହୋତ୍ସବରେ ୟୁଟ୍ୟୁବ ଇନଫ୍ଲୁଏସର୍‌ଙ୍କ ସହିତ ସହଭାଗିତା କରାଯାଇଛି । ଫିଲ୍ମ ବଜାରରେ ଏକ ଅଷ୍ଟ୍ରେଲୀୟ ଫିଲ୍ମ ପ୍ୟାଭିଲିୟନ୍ ପ୍ରଦର୍ଶିତ ହେବ । ଏହି ଉତ୍ସବରେ ବିଧୁ ବିନୋଦ ଚୋପ୍ରା, ଏଆର୍‌ ରେହମାନ, ବିକ୍ରାନ୍ତ ମେସୀ, ଆର୍‌ ମାଧବନ, ନୀଲ ନିତିନ ମୁକେଶ, କୀର୍ତ୍ତି କୁଲ୍‌ହାଡ଼ି, ଅର୍ଜୁନ କପୁର, ଭୂମି ପେଡନେକର, ରକୁଲ ପ୍ରୀତ ସିଂ, ନୁସରତ ଭରୁଚା, ସାନ୍ୟା ମାଲହୋତ୍ରା, ଇଲିଆନା ଡିକ୍ରୁଜ, ବୋମନ ଇରାନୀ, ପଙ୍କଜ କପୁର, ଅପାରଶକ୍ତି ଖୁରାନା, ମାନସୀ ପାରେଖ, ପ୍ରତୀକ ଗାନ୍ଧୀ, ସାଇ ତାମହାନକର, ବିଷ୍ଣୁ ମଞ୍ଚୁ, ପ୍ରଭୁଦେବା, କାଜଲ ଅଗ୍ରୱାଲ, ସୌରଭ ଶୁକ୍ଳାଙ୍କ ଭଳି ଚଳଚ୍ଚିତ୍ର ତାରକାମାନେ ଯୋଗଦେବେ । ଏନ୍‌ଏଫ୍‌ଡିସିର ଏମ୍‌ଡି ଆହୁରି ସୂଚନା ଦେଇଛନ୍ତି ଯେ ଗତବର୍ଷ ତୁଳନାରେ ଚଳିତ ବର୍ଷ ୬୫୦୦ ଜଣ ପ୍ରତିନିଧି ପଞ୍ଜୀକୃତ ହୋଇଛନ୍ତି ଯାହାକି ୨୫ ପ୍ରତିଶତ ଅଧିକ । ଚଳଚ୍ଚିତ୍ର ମହୋତ୍ସବ ସିନେପ୍ରେମୀଙ୍କ ପାଇଁ ଅଧିକ ଉପଲବ୍ଧ କରାଇବା ପାଇଁ ଚଳିତ ବର୍ଷ ଆଉ ୬ଟି ସ୍କ୍ରିନ୍ ଏବଂ ୪୫ ପ୍ରତିଶତ ଅଧିକ ସ୍କ୍ରିନିଂ ଥିଏଟର ଉପଲବ୍ଧ ହେବ । ଚଳଚ୍ଚିତ୍ର ଜଗତର ବିଭିନ୍ନ ଦିଗକୁ ଗଭୀର ଭାବରେ ବୁଝିବା ସହ ଚଳଚ୍ଚିତ୍ର ବ୍ୟବସାୟର ସମସ୍ତ ବିଭାଗ ସହ ସାମ୍ବାଦିକମାନଙ୍କୁ ପରିଚିତ କରାଇବା ପାଇଁ ଏକ ପ୍ରେସ୍ ଟୁର ଆୟୋଜନ କରାଯିବ ବୋଲି ପୃଥୁଲ କୁମାର ସୂଚନା ଦେଇଛନ୍ତି । ଆଇଏଫ୍‌ଏଫ୍‌ଆଇ ୨୦୨୪ ଯୁବ ଚଳଚ୍ଚିତ୍ର ନିର୍ମାତାଙ୍କ ଉପରେ ଗୁରୁତ୍ୱ ଦେଉଛି ଏବଂ ସିଏମ୍‌ଓଟି ବିଭାଗରେ ରେକର୍ଡ ୧୦୩୨ଟି ଆବେଦନ ପାଇଛି ଯାହାକି ଗତ ବର୍ଷ ୫୫୦ ଥିଲା ବୋଲି ଶ୍ରୀ କୁମାର କହିଛନ୍ତି । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପିଆଇବି ମହାନିର୍ଦ୍ଦେଶକ ଶ୍ରୀମତୀ ସ୍ମିତା ବତ୍ସ ଶର୍ମା ଗଣମାଧ୍ୟମରେ ଏହି ମହୋତ୍ସବର ବଢୁଥିବା ଆକର୍ଷଣ ଏବଂ ଆଞ୍ଚଳିକ ପ୍ରତିନିଧିତ୍ୱକୁ ପ୍ରୋତ୍ସାହିତ କରିବା ଦିଗରେ ଏହାର ଉଲ୍ଲେଖନୀୟ ଅଗ୍ରଗତି ଉପରେ ଆଲୋକପାତ କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ବହୁ ସଂଖ୍ୟାରେ ଆବେଦନ ଆସିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି । ମୋଟ ୮୪୦ଟି ଆବେଦନ ରହିଛି ଏବଂ ସେଥିମଧ୍ୟରୁ ୨୮୪ଟି ଗୋଆରୁ ଆସିଛି । ଦେଶର ସମସ୍ତ ଅଞ୍ଚଳରେ ଏହି ମହୋତ୍ସବର ବ୍ୟାପକ ପ୍ରଚାର ବଢ଼ାଇବା ପାଇଁ ପିଆଇବିର ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକ ସ୍ଥାନୀୟ ଭାଷାରେ ପ୍ରେସ ବିଜ୍ଞପ୍ତି ଜାରି କରିବେ । ସେହିପରି କୋଙ୍କଣୀ ଭାଷାରେ ମଧ୍ୟ ପ୍ରେସ ବିଜ୍ଞପ୍ତି ଜାରି କରାଯିବ ।

Leave A Reply

Your email address will not be published.