oom

କୋଳିଦାସପୁର ହାଇସ୍କୁଲରେ ‘ସମାଜ’ ତରଫରୁ ଗୋପବନ୍ଧୁଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଲୋକସେବକ ମଣ୍ଡଳ ଓ ସମାଜ ବ୍ରହ୍ମପୁର ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କୋଳିଦାସପୁର ହାଇସ୍କୁଲ ପରିସରରେ ପୂଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି । ପ୍ରଧାନ ଶିକ୍ଷକ ଲିଙ୍ଗରାଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆନୁଷ୍ଠାନିକ ଉତ୍ସବରେ ସ୍ଥାନୀୟ ସରପଞ୍ଚ ମାମି ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ମୁଖ୍ୟବକ୍ତା ଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ଯୋଗଦେଇ ଗୋପବନ୍ଧୁଙ୍କର ତ୍ୟାଗପୂତ ଜୀବନ, ଦଳିତ, ନିଷ୍ପେଶିତ ଜନସାଧାରଣଙ୍କୁ ସେବା କରିବାରେ ଭୂମିକା, ସର୍ବୋପରି ଓଡିଶା ଓ ଓଡିଆ ଭାଷା ପ୍ରତି ତାଙ୍କର ପ୍ରତିବଦ୍ଧତା ଉପରେ ବକ୍ତବ୍ୟ ରଖି ଛାତ୍ରଛାତ୍ରୀମାନେ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ଜୀବନ ନିର୍ବାହ କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ତଥା ପ୍ରତିମୂର୍ତ୍ତି ସ୍ଥାପନର ମୁଖ୍ୟ ଉଦ୍ୟୋକ୍ତା ଲୋକସେବକ ମଣ୍ଡଳର ଆଜୀବନ ସଭ୍ୟ ରାଜେନ୍ଦ୍ର କୁମାର ଜେନା ଯୋଗଦେଇ ଗୋପବନ୍ଧୁ ଦାସ ଓ ଲାଲା ରାଜପୁତ ରାୟଙ୍କ ସହ ସଂପର୍କର ଇତିହାସ ବର୍ଣ୍ଣନା କରି ‘ସମାଜ’ ଅନୁଷ୍ଠାନ କିପରି ଲୋକସେବକ ମଣ୍ଡଳର ମାଲିକାନାରେ ପରିଚାଳିତ ହେଉଛି, ସମାଜ ତରଫରୁ ବିଭିନ୍ନ ଜନ ହିତକାରୀ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଉଛି, ତାହାର ବିବରଣୀ ଦେଇଥିଲେ । ବର୍ତ୍ତମାନ ଯୁଗର ପିଲାମାନେ ଏବେ ଠାରୁ ପିତାମାତାଙ୍କ ପ୍ରତି ଅବହେଳା ନ କରି ଭକ୍ତିଭାବ ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ । ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ମୂରଲୀଧର ସ୍ୱାଇଁଙ୍କ ସଂଯୋଜନାରେ ପରିଚାଳିତ ଓ ପି.ସତ୍ୟନାରାୟଣ ପାତ୍ରଙ୍କ ପୃଷ୍ଠପୋଷକତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ଲିଙ୍ଗରାଜ ଡାକୁଆ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ ଦଳାଇ, ଅଶୋକ ସାମନ୍ତ, ଶିକ୍ଷକ ନିରଞ୍ଜନ ସ୍ୱାଇଁ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇ ସହଯୋଗ କରିଥିଲେ । ଶେଷରେ ସୀମାଞ୍ଚଳ ପରମଗୁରୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.