ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆୟୋଜିତ ଯୁବ ମହୋତ୍ସବ ‘ଉମଙ୍ଗ’ର ଦ୍ଵିତୀୟ ଦିବସରେ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର କଳା ପ୍ରଦର୍ଶନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ ‘ଉମଙ୍ଗ’ ୨୦୨୪ର ଦ୍ୱିତୀୟ ଦିବସରେ ପ୍ରାୟ ୧୦ଟି କ୍ୟାଟେଗୋରିରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଏବଂ ବିଶ୍ଵବିଦ୍ୟାଳୟ ମାନଙ୍କ ଦ୍ଵାରା ଶୋଭାଯାତ୍ରା ହୋଇଥିବା ବେଳେ ଦ୍ୱିତୀୟ ଦିନରେ ୧୦ଟି କ୍ୟାଟେଗୋରିରେ ଯଥା ପାଶ୍ଚାତ୍ୟ ଏକକ ସଙ୍ଗୀତ, ପାଶ୍ଚାତ୍ୟ ଏକକ ବାଦ୍ୟଯନ୍ତ୍ର, ଦଳ ସଙ୍ଗୀତ(ଭାରତୀୟ), ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର ଏକକ, ତର୍କ ସଭା, କୁଇଜ୍, ତତ୍କାଳ ଚିତ୍ରାଙ୍କନ, ମାଟି ନମୁନା, ଓ ବ୍ୟଙ୍ଗ ଚିତ୍ର ବିଭାଗର ପ୍ରତିଯୋଗିତା ୬ଟି ଭେନ୍ୟୁରେ ଅନୁଷ୍ଠିତ ହୋଇଯାଇଛି । ଦିନ ଆରମ୍ଭରୁ ପ୍ରଥମେ ୯ ଘଟିକା ସମୟରେ ସ୍କୁଲ୍ ଅଫ ଏଜୁକେସନ ବିଭାଗରେ ତତ୍କାଳ ଚିତ୍ରାଙ୍କନର ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏହି ପ୍ରତିଯୋଗିତାରେ ୧୩ ଗୋଟି ବିଶ୍ଵବିଦ୍ୟାଳୟ ଭାଗନେଇଥିଲେ । ପରେ ସମୟ ୧୦ ଘଟିକାରେ ଏକା ସମୟରେ ତିନୋଟି ସ୍ଥାନରେ ବିଶ୍ଵବିଦ୍ୟାଳୟର କ୍ରୀଡା ପ୍ରାଙ୍ଗଣ, ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଏବଂ ବିଶ୍ଵବିଦ୍ୟାଳୟର ଖୋଲା ମଞ୍ଚ ଭଞ୍ଜ ମଣ୍ଡପରେ ଯଥାକ୍ରମେ ପାଶ୍ଚାତ୍ୟ ଏକକ ସଙ୍ଗୀତ, ଏକକ ଅଭିନୟ, ଓ ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର ଏକକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଆରମ୍ଭ ହୋଇଥିବା ଏକକ ଅଭିନୟରେ ୧୦ ଗୋଟି ବିଶ୍ୱବିଦ୍ୟାଳୟର ଅଂଶଗ୍ରହଣକାରୀମାନେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତା ୧୦ ଘଟିକା ସମୟରୁ ଆରମ୍ଭ ହୋଇ ସନ୍ଧ୍ୟା ୭ ଘଟିକା ସମୟରେ ଶେଷ ହୋଇଥିଲା । ସେହିପରି ବିଶ୍ଵ ବିଦ୍ୟାଳୟର କ୍ରୀଡା ପ୍ରାଙ୍ଗଣରେ ତିନୋଟି ବିଭାଗର ପ୍ରତିଯୋଗିତା ପାଶ୍ଚାତ୍ୟ ଏକକ କଣ୍ଠ ସଙ୍ଗୀତ, ପାଶ୍ଚାତ୍ୟ ବାଦ୍ୟଯନ୍ତ୍ର ଏକକ, ଏବଂ ଦଳ ସଙ୍ଗୀତ (ଭାରତୀୟ) ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ମାନଙ୍କରେ ଯଥାକ୍ରମେ ୧୨, ୮, ୧୧ ଗୋଟି ବିଶ୍ଵବିଦ୍ୟାଳୟମାନଙ୍କର ଟିମ୍ ଅଂଶଗ୍ରହଣ କରି ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ । ପରେ ବିଶ୍ଵବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଦୁଇ ଗୋଟି ବିଭାଗର ପ୍ରତିଯୋଗିତା ଯଥା ବିତର୍କ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ତର୍କ ପ୍ରତିଯୋଗିତାରେ ୧୩ ଗୋଟି ବିଶ୍ଵବିଦ୍ୟାଳୟ ଭାଗ ନେଇଥିବା ବେଳେ କୁଇଜ୍ ପ୍ରତିଯୋଗିତାରେ ୧୩ ଗୋଟି ବିଶ୍ଵବିଦ୍ୟାଳୟ ଭାଗ ନେଇଥିଲେ । ସେହିପରି ସମୟ ୩ ଘଟିକାରେ ବାଣିଜ୍ୟ ବିଭାଗରେ ବ୍ୟଙ୍ଗ ଚିତ୍ର ବିଭାଗର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୧୦ ଗୋଟି ବିଶ୍ଵ ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ସମୟାନୁଯାୟୀ ସମ୍ପୂର୍ଣ୍ଣ ଦି ରେ ସମସ୍ତ ୧୦ ଗୋଟି କ୍ୟାଟେଗୋରିର ପ୍ରତିଯୋଗିତା ସମାପ୍ତ ହେବା ପରେ ସନ୍ଧ୍ୟା ସମୟରେ ଏକ ସାଂସ୍କୃତିକ ଏବଂ ମନୋରଞ୍ଜନ ଧର୍ମି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଥିରେ ପୂର୍ବାଞ୍ଚଳର ଦୁଇ ଗୋଟି ରାଜ୍ୟରୁ ଆସିଥିବା ଯଥା- ବିହାର ଏବଂ ଝାଡ଼ଖଣ୍ଡ ରାଜ୍ୟର ବିଶ୍ଵବିଦ୍ୟାଳୟର ଅଂଶ ଗ୍ରହଣକାରୀ ମାନଙ୍କ ଦ୍ଵାରା ସାଂସ୍କୃତିକ ନୃତ୍ୟ ପରିବେଷଣ ହୋଇଥଲା । ଏହି କାର୍ଯ୍ୟକ୍ରମରେ ବହୁଳ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକାମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି ସାଂସ୍କୃତିକ ନୃତ୍ୟ ସନ୍ଧ୍ୟା ସହିତ ଦ୍ଵିତୀୟ ଦିବସର କାର୍ଯ୍ୟକ୍ରମକୁ ସମାପ୍ତ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.