ବଲାଙ୍ଗିର (କେପିଏନ୍ଏସ୍) : ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ରିଜିଓନାଲ କଲେଜ ଅଫ ମେନେଜମେଣ୍ଟର ପ୍ରେକ୍ଷାଳୟ ଠାରେ ୱାର୍ଲଡ଼ ଚେରିଟି ୱେଲଫେୟାର ଫାଉଣ୍ଡେସନର ଶାଖା ଜ୍ଞାନଦାନ ସମ୍ମାନ ସୂଚକ ଡକ୍ଟରେଟ ପୁରସ୍କାର ଫାଉଣ୍ଡେସନ ତରଫରୁ ରାଜ୍ୟସ୍ତରୀୟ ଇଣ୍ଡିଆନ ଆୱାର୍ଡ ସେରେମୋନୀ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁରେଶ ବାରିକଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟର ଉତ୍କର୍ଷତା ଏବଂ ସମୃଦ୍ଧି ପ୍ରତିପାଦନ ପାଇଁ ପୁଷ୍ପଗୁଚ୍ଛ, ମାନପତ୍ର, ଉପଢୌକନ, ସ୍ୱର୍ଣ୍ଣପଦକ ପ୍ରଦାନ ପୂର୍ବକ ଡକ୍ଟରେଟ ଉପାଧିରେ ସମ୍ମାନିତ କରାଯାଇଥିଲା । ଡଃ. ବାରିକଙ୍କ କବିତା ଗୁଡିକ କଳ୍ପନା ପ୍ରସୂତା ସଂସ୍କାର ଧର୍ମୀ ଭାବାଦ୍ରା, ରସାଦ୍ରା, ଛନ୍ଦୋମୟ ତଥା ଅର୍ଥ ବହୁଳା ହୋଇଥିବାରୁ ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଚିନ୍ତନଶୀଳ ପାଠକ ପାଠିକା ମାନଙ୍କ ନିମନ୍ତେ ହୃଦୟସ୍ପର୍ଶୀ ହୋଇଥାଏ । ଜଣେ ଶିକ୍ଷକ ଭାବେ ସେ ନୂତନ ଶିକ୍ଷା ପଦ୍ଧତି ଦ୍ୱାରା ଅନେକ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇ ଚାଲିଛନ୍ତି । କବିତା, ଗଳ୍ପ ଓ ନାଟକ ରଚନା କ୍ଷେତ୍ରରେ ତାଙ୍କର ନିରନ୍ତର ପ୍ରୟାସ ଓ ନିଷ୍ଠା ତାଙ୍କ ସହକର୍ମୀ, ଛାତ୍ରଛାତ୍ରୀ ଓ ସାହିତ୍ୟ ମଣ୍ଡଳୀରେ ବହୁତ ସମ୍ମାନ ଦେଇଛି । ଏହି ସମ୍ମାନ ସୂଚକ ଡକ୍ଟରେଟ ପୁରସ୍କାର ତାଙ୍କର କବିତା ଓ ଶିକ୍ଷା କ୍ଷେତ୍ରରେ ଅପୂର୍ବ ଅବଦାନ ପାଇଁ ଯଥାଯଥ ସ୍ୱୀକୃତି । ଏହି ଉପଲବ୍ଧି ପାଇଁ ତାଙ୍କୁ ଜିଲ୍ଲା ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।