ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ କୃଷି ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ସମସ୍ତଙ୍କୁ ସ୍ଵାଗତ କରି ବୈଠକର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ । ବୈଠକରୁ ଜଣାଗଲା ଯେ ଡିଜିଟାଲ କ୍ରପ ସର୍ଭେ ଅନ୍ତର୍ଗତ ଜିଲ୍ଲାରେ ୫,୫୬,୩୫୨ଟି ପ୍ଲଟ୍ରେ ସର୍ଭେ ସମ୍ପନ୍ନ ହୋଇ ୯୨ ପ୍ରତିଶତ ଲକ୍ଷ୍ୟ ସାଧନ କରାଯାଇଛି । ବିଭିନ୍ନ ଯୋଜନା ଓ କୃଷକ କଲ୍ୟାଣ କାର୍ଯ୍ୟକ୍ରମ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା । କୃଷକ ରେଜିଷ୍ଟ୍ରି କାର୍ଯ୍ୟକ୍ରମରେ ଜିଲ୍ଲା ଉଲ୍ଲେଖନୀୟ ପ୍ରଗତି କରି ରାଜ୍ୟରେ ୪ର୍ଥ ସ୍ଥାନ ଅଧିକାର କରିଛି । ମୋଟ ୧,୦୧,୧୨୮ ଲକ୍ଷ୍ୟ ଥିଲାବେଳେ ୭୪,୮୪୪ ଚାଷୀଙ୍କୁ ସମ୍ପର୍କ କରାଯାଇଥିବା ବେଳେ, ୦୮ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ୩୮,୧୦୨ ଜଣ ଚାଷୀଙ୍କ ନିବନ୍ଧନ ସମ୍ପନ୍ନ ହୋଇଛି । ବ୍ଲକ ଭିତ୍ତିକ ତଥ୍ୟ ଅନୁଯାୟୀ ବୋଡେନରେ ୪,୭୫୬, ଖଡ଼ିଆଳରେ ୭,୧୧୫, କୋମନାରେ ୮,୦୫୬, ନୂଆପଡ଼ାରେ ୭,୬୫୭ ଏବଂ ସିନାପାଲିରେ ୧୦,୫୧୮ ଜଣ ଚାଷୀଙ୍କ ନିବନ୍ଧନ ସମ୍ପନ୍ନ ହୋଇଛି । ତଥାପି କିଛି ସମସ୍ୟା ଯଥା ଉପନାମ ମିସମ୍ୟାଚ୍, ମହିଳା ଚାଷୀଙ୍କ ଅନ୍ୟ ଜିଲ୍ଲାକୁ ପ୍ରବାସ ଏବଂ ପୂର୍ବରୁ ନିବନ୍ଧିତ ଚାଷୀଙ୍କ ପୁନରାବୃତ୍ତ ନାମ ତାଲିକାରେ ଆସିବା ଯୋଗୁଁ ଲକ୍ଷ୍ୟ ପୂରଣରେ କିଛି ବାଧା ସୃଷ୍ଟି ହେଉଛି । ଏହାର ସମାଧାନ କରି ନିବନ୍ଧନ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରି ନୂଆପଡ଼ାକୁ ରାଜ୍ୟରେ ନମ୍ବର-୧ ସ୍ଥାନରେ ନେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ପାଞ୍ଚଜଣ ପ୍ରଗତିଶୀଳ ଓ ସଫଳ ଚାଷୀ- ତୁଳସୀରାମ ବଞ୍ଚୋର (କୋମନା), ଗଣପତି ନାୟକ (ସିନାପାଲି), ବନମାଳୀ ମାଝି (ବୋଡେନ), ଶ୍ରୀମତୀ ନମିତା ରାଉତ (ଖଡ଼ିଆଳ) ଓ କିରତି ସାହୁ (ନୂଆପଡ଼ା)ଙ୍କୁ ସମ୍ମାନିତ କରାଯାଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୁର୍ମି ସୋରେନ, ସିଡିଭିଓ ସୁଖେନ୍ଦୁ ରାୟ, ଜିଲ୍ଲା କୃଷି ଅଧିକାରୀ ସୋମନାଥ ମହାପାତ୍ର, ନୂଆପଡ଼ା ବ୍ଲକ କୃଷି ଅଧିକାରୀ ସତ୍ୟ ଭୂଷଣ ନାଗ, ସହକାରୀ କୃଷି ଅଧିକାରୀ ବର୍ଷା ଆଜାଦ ସହ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।