ମହାମାରୀ କରୋନା ଯୋଗୁଁ ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ଥ : ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବା ନେଇ ପ୍ରଶାସନର ଉଦ୍ୟମ ଆରମ୍ଭ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ସ୍ଥିତ ପାର୍କରେ ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ତରଫରୁ ଏକ ସାମୁହିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଟିଟିଲାଗଡ ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ପ୍ରଭୁ ପ୍ରସାଦ ଚୌଦରୀ, ଓମ୍ଫେଡର ସାଧାରଣ ପରିଚାଳକ ସରୋଜ କୁମାର ସାହୁ, ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ସୁମନ୍ତ କୁମାର ଦାସ, ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ ଉମେଶ କୁମାର ଧାରୁଆ, ବିଦ୍ୟୁତ୍ ବିଭାଗର ଉପଖଣ୍ଡୀୟ ଅଧିକାରୀ ଦିକ୍ଷୀତ, କୃଷି ବିଭାଗ ଅଧିକାରୀ ଅଶୋକ କୁମାର ମହାନ୍ତି ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ମନୋଜ ବେହେରା ମଞ୍ଚାସୀନ ଥିଲେ । ଲୋକ ସମ୍ପର୍କ ବିଭାଗ ଅଧିକାରୀ ଶ୍ରୀ ବେହେରା ମଞ୍ଚ ପରିଚାଳନା କରିଥିଲେ । ବଣିକ ସଂଗଠନର ସଭାପତି ସମ୍ଭୁ ଗୋୟଲ୍ ଅତିଥିଙ୍କୁ ଫୁଲ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ । ଟିଟିଲାଗଡ ଉପଖଣ୍ଡର ଟିଟିଲାଗଡ, କଣ୍ଟାବାଞ୍ଜି, ସଇଁ‌ନ୍ତଲାର ୨୮ ଜଣ ଚାଟାର୍ଡ ଆକାଉଣ୍ଟାଣ୍ଟ, ୬୦ ଟି ପୁଞ୍ଜିପତି, ଉଦ୍ୟୋଗ ପତି ଗଣମାଧ୍ୟମ ପ୍ରତିନିଧି ନିମନ୍ତ୍ରିତ ଥିଲେ । ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ପ୍ରଭୁ ପ୍ରସାଦ ଚୌଦରୀ ପୁଞ୍ଜିନିବେଶ ତା’ର ଲାଭ, ଜିଲ୍ଲା ସ୍ତରରେ ଓ ରାଜ୍ୟ ସ୍ତରରେ ଉଦ୍ୟୋଗପତି ମାନଙ୍କୁ ଦିଆଯାଉଥିବା ସୁବିଧା, ବିଦ୍ୟୁତ୍ ଓ ଜଳ ଯୋଗାଣ ପ୍ରକଳ୍ପର ସୁବିଧା, ଏହି ସବୁ ସୁବିଧା ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ । ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ସୁମନ୍ତ କୁମାର ଦାସ ଟିଟିଲାଗଡ ଅଞ୍ଚଳରେ ପଶୁ ଚାଷ, ଦୁଗ୍ଧ ଚାଷ, ଗାଈ ପାଳନ ଓ ଘାସ ଚାଷ ସମ୍ପର୍କରେ ଜଣାଇଥିଲେ । ଓମ୍ଫେଡର ସାଧାରଣ ପରିଚାଳକ ସରୋଜ କୁମାର ସାହୁ କହିଥିଲେ ଦୁଗ୍ଧରୁ ଦୁଗ୍ଧ ଜାତ ପଦାର୍ଥ ତିଆରି କରିବା ପାଇଁ ପୁଞ୍ଜିପତିମାନେ ପୁଞ୍ଜି ବିନିଯୋଗ କରିବ ଉଚିତ୍ । ଗୋପାଳନ କରି ସେଥିରୁ ଦୁଗ୍ଧ ବିକ୍ରି କରିବା ସହ ଦୁଗ୍ଧ ଜାତ ପଦାର୍ଥକୁ ମଧ୍ୟ ବିକ୍ରି କରିହେବ ଓ ଏହା ସହ ଗୋବର ଗ୍ୟାସ୍ ପ୍ଲାଣ୍ଟ ବସାଇବା ସହ ଖତ ମଧ୍ୟ ପ୍ରସ୍ତୁତ କରାଯାଇପାରିବ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ ଉମେଶ କୁମାର ଧାରୁଆ କହିଥିଲେ ପାରମ୍ପରିକ ଉପାୟରେ ମତ୍ସ୍ୟଚାଷ କରିବା ବଦଳରେ ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟ ଚାଷ କଲେ ଅଧିକ ଲାଭବାନ ହୋଇ ପାରିବେ ବୋଲି ଜଣାଇଥିଲେ । କୃଷି ବିଭାଗ ଅଧିକାରୀ ଅଶୋକ କୁମାର ମହାନ୍ତି ଟିଟିଲାଗଡ ରେ କପାକୁ ନେଇ ଉଦ୍ୟୋଗ ପ୍ରତିଷ୍ଠା କରାଗଲେ ଉଚିତ୍ ମୂଲ୍ୟରେ କପା ମିଳିବା ସହ ଲୋକେ ରୋଜଗାର ପାଇ ପାରିବେ ବୋଲି କହିଥିଲେ । ଏହା ସହ ବଲାଙ୍ଗୀର ଜିଲ୍ଲାରେ କପାର ସ୍ପିନିଂ ମିଲ ପ୍ରତିଷ୍ଠା ହେଲେ ଉପଯୁକ୍ତ ଉପନିବେଶ ହୋଇପାରିବ ବୋଲି କହିଥିଲେ । ଏହା ସହ କପା ଗଛରୁ ତେଲ, କାର୍ଡ ବୋର୍ଡ, ପ୍ଲାଏ ଉଡ ଆଦି ପ୍ରସ୍ତୁତ କରିବାପାଇଁ ଉଦ୍ୟମ କରାଗଲେ ଉଚିତ୍ ହେବ ବୋଲି ଉଦ୍ୟୋଗପତିମାନଙ୍କୁ ଜଣାଇଥିଲେ । ଉଦ୍ୟାନ ବିଭାଗର ଅଧିକାରୀ ଛତୁ ଚାଷ ପାଇଁ ବ୍ୟବହାର ହେଉଥିବା ଛତୁ ମଞ୍ଜିର ଚାଷ କରିବା ପାଇଁ ଉତ୍ସାହିତ କରିଥିଲେ । ଏହା ସହ ସେଓ, ଆମ୍ବ, ପିଜୁଳି ଓ ମସଲା ଜାତ ଦ୍ରବ୍ୟର ଚାହିଦା ଥିବାରୁ ଏହି ସବୁ ଚାଷ କରିବା ପାଇଁ ଉଦ୍ୟୋଗପତିମାନଙ୍କୁ ଅନୁରୋଧ କରିଥିଲେ । ଉପସ୍ଥିତ ଉଦ୍ୟୋଗପତି ଓ ପୁଞ୍ଜିପତିମାନଙ୍କୁ ମଧ୍ୟରୁ ପ୍ରମୋଦ ପ୍ରଧାନ ଟିଟିଲାଗଡରେ ମିଳିପାରୁଥିବା ଟମାଟୋରୁ ଟମାଟୋ ସସ୍ ଉଦ୍ୟୋଗ, ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ଓ ପିଆଜ ପାଉଡର ଆଦି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଗୁଡିକ ଅନୁଷ୍ଠିତ କରିବାପାଇଁ ଉଦ୍ୟମ କରାଯିବ ଉଚିତ ବୋଲି କହିଥିଲେ । ବିରେନ୍ଦ୍ର ବାଗ ଓମ୍ଫେଡର ଶୀତଳିକରଣ କେନ୍ଦ୍ରର କ୍ଷମତା ବୃଦ୍ଧି କରିବା ପାଇଁ ନିବେଦନ କରାଇଥିଲେ । ମେହେର ଫୁଟ ଇଣ୍ଡଷ୍ଟ୍ରିର ବିଜୟ ମେହେର ଟିଟିଲାଗଡରେ ଥିବା ବିଦ୍ୟୁତ୍ ବିଭାଗର ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ । ଏହା ସହ ୧୩୨ କେଭି ଗ୍ରିଡ ଟ୍ରଂସଫର୍ମର ପ୍ରତିଷ୍ଠା ପାଇଁ ଦାବୀ କରିଥିଲେ । ଏହାରର ପ୍ରତ୍ୟୁତ୍ତରରେ ବିଦ୍ୟୁତ୍ ବିଭାଗ ଅଧିକାରୀ କହିଥିଲେ ବିଭାଗ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ସାରିଥିବା ବେଳେ ଓପିଡିସିଏଲ ର କାର୍ୟ୍ୟ ବଳକା ଥିବା କହିଛନ୍ତି । ଏହା ସହ ବାଳକୃଷ୍ଣ ଷଣ୍ଢ ଜଙ୍ଗଲ ଜାତ ଦ୍ରବ୍ୟକୁ ନେଇ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ଓ ସରକାରୀ ସ୍ତରରେ ସୁବିଧା ପ୍ରଦାନ କରିବା ପାଇଁ କହିଥିଲେ । ଏହା ସହ ଗ୍ରାମାଞ୍ଚଳରେ ଥିବା ଶିକ୍ଷିତ ବେକାରୀମାନଙ୍କୁ ଉଦ୍ୟୋଗମାନଙ୍କରେ ନିୟୋଜିତ କରିବାପାଇଁ ନିବେଦନ କରିଥିଲେ । ଟିଟିଲାଗଡ ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଚାହିଦା ଥିବା ଉଦ୍ୟୋଗ ପ୍ରତିଷ୍ଠା କରିବା ଓ ପୁଞ୍ଜି ବିନିଯୋଗ କରିବାପାଇଁ ଉପସ୍ଥିତ ପୁଞ୍ଜିପତି ଓ ଉଦ୍ୟୋଗପତିମାନଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.