କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ଶୁକ୍ରବାର ରାତି ପ୍ରାୟ ୭ଟା ସମୟରେ ଜଣେ ୧୮ ବର୍ଷୀୟ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ଉଦ୍ୟମ ହୋଇଛି । ଯୁବତୀ ଜଣକ ତାଙ୍କ ଘର ପଛପଟେ ଚୁଲିକୁ ନିଆଁ ଆଣିବା ପାଇଁ ଯାଇଥିବା ବେଳେ ସେହି ସମୟରେ କଣେ ଅଜଣା ବ୍ୟକ୍ତି ଯୁବତୀଙ୍କୁ ପଛପଟୁ ଆକ୍ରମଣ କରିଥିଲା । ମୁଣ୍ଡରେ ଏକ କାଚ ବୋତଲ ମାରି, ବ୍ଲେଡ଼ରେ ଗଳା କାଟିବାକୁ ଉଦ୍ୟମ କରିଥିଲା । ସେହି ସମୟରେ ଯୁବତୀ ଜଣକ ଚିତ୍କାର କରିବା ପରେ ସେହି ବ୍ୟକ୍ତି ଜଣକ ଫେରାର ହୋଇଯାଇଥିଲା । ଯୁବତୀ ଜଣକ ତାଙ୍କୁ ଠିକ୍ ଭାବରେ ଚିହ୍ନି ମଧ୍ୟ ପାରିନଥିଲେ । ପରିବାର ଲୋକେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।