
ନୂଆପଡା, (କେପିଏନ୍ଏସ୍) : ନୂଆପଡା ଜିଲ୍ଲା ସିନାପାଲି ଠାରେ ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଉଦନ୍ତୀ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ଉଦନ୍ତୀ ମହୋତ୍ସବର ତୃତୀୟ ତଥା ଅନ୍ତିମ ସାଂସ୍କୃତିକ ସଂଧ୍ୟାରେ ମହୋତ୍ସବ କମିଟିର ଉପଦେଷ୍ଟା ବୈଶମ୍ପାୟନ ମେହେର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ରବି ନାରାୟଣ ନାଏକ ଓ ସମ୍ମାନିତ ଅତିଥି ଭାବରେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ । କମିଟିର ସମ୍ପାଦକ ପ୍ରିୟରଞ୍ଜନ ମେହେର ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ସମାରୋହରେ ସମାଜସେବୀ ସାବିତ୍ରୀ ମାଝୀ ଓ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଧୃବ ଚରଣ ପଧାନ ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ ତରୁଣ କୁମାର ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ । ସେହିପରି ସାନୁର୍ଯ୍ୟ ମେହେର ପୁରସ୍କାର ବିତରଣ ଓ ରୁପେଶ କୁମାର ମେହେର ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଖଗେଶ୍ୱର ନିଆଲ ଓ ପ୍ରଭାତ କୁମାର ମେହେର ମାନପତ୍ର ପଠନ କରିଥିଲେ । ସଭା ପ୍ରାରମ୍ଭରେ ସଙ୍ଗୀତଜ୍ଞ ତ୍ରିନାଥ ମେହେରଙ୍କ ସ୍ୱର ସଂଯୋଜନାରେ ସ୍ଵର ସଂଗମ କଳା ପରିଷଦର କଳାକାର ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ଗାୟତ୍ରୀ ଶକ୍ତିପୀଠ ପକ୍ଷରୁ ବେଦପାଠ ଅନୁଷ୍ଠିତ ହୋଇଥିଲା । ସଭା ଶେଷରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ସୁନାମଧନ୍ୟ ସାଂସ୍କୃତିକ ଦଳ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଏହାକୁ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା । ସଭା ପୂର୍ବରୁ ମଧ୍ୟ ସ୍ଥାନୀୟ କଳାକାରମାନେ ମଂଚରେ ନିଜ କଳା ପ୍ରଦର୍ଶନ କରିଥିଲେ ।