- ରାଜ ଦରବାରରେ ମନ୍ତ୍ରୀ ଓ ବିଧାୟକ
ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସଦରରେ ଖେଳପଡିଆ ଠାରେ ଦୀର୍ଘ ୫ ଦିନ ବ୍ୟାପୀ ଚାଲିଥିବା ୩୬ତମ ଧନୁଯାତ୍ରା ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ଅନ୍ତିମ ଦିବସରେ ରଙ୍ଗମହଲରୁ ମହାରାଜ କଂସ ସୈନ୍ୟ ସାମନ୍ତ ମନ୍ତ୍ରୀ ପରିଷଦଙ୍କ ଗହଣରେ ଦୁଲ୍ଦୁଲି ବାଜା, ରନିଙ୍ଗ ଅର୍କେଷ୍ଟା ଓ ରଙ୍ଗାରଙ୍ଗ ନୃତ୍ୟ ଗୀତର ତାଳେ ତାଳେ ହାତୀ ପିଠିରେ ବସି ମଥୁରା ନଗରୀ (ବଙ୍ଗୋମୁଣ୍ଡା) ପରିଭ୍ରମଣ କରିଥିଲେ । ରଙ୍ଗମହଲରୁ ମହାରାଜ ନଗର ପରିକ୍ରମାରେ ବାହାରି ନଗରର ସବୁ ସମସ୍ୟା ବୁଝିବା ସହ ପ୍ରଜାମାନଙ୍କ ସୁବିଧା ଅସୁବିଧା ବୁଝିଥିଲେ । ନଗରବାସୀ କଂସ ମହାରାଜଙ୍କୁ ସ୍ୱାଗତ ପାଇଁ କଳସ ସ୍ଥାପନ କରି ମୁରୁଜ ପକାଇ ସ୍ୱାଗତ ଜଣାଇଥିଲେ । କଂସଙ୍କ ନଗର ପରିଭ୍ରମଣର ଉପଭୋଗ ଦର୍ଶକ କରୁଥିବା ବେଳେ ଗୋପପୁରରୁ ମଥୁରାକୁ ଆସୁଥିବା କୃଷ୍ଣ ବଳରାମଙ୍କୁ ମଥୁରାବାସୀ ମଧ୍ୟ ରଙ୍ଗର ମୁରୁଜ ଆଙ୍କି କଳସ ସ୍ଥାପନ କରି ବନ୍ଦାପନା କରିଥିଲେ । ଅକ୍ରୁରଙ୍କ ରଥରେ କୃଷ୍ଣ ବଳରାମ ଆସୁଥିବା ବେଳେ କଳଙ୍ଗିବାଦ୍ୟ ଦୁଲ୍ଦୁଲି ବାଜା ସହ ବିଭିନ୍ନ ସାଂସ୍କୃତିକ ଦଳର ନୃତ୍ୟ ପରିବେଷଣ ମଥୁରାର ପ୍ରଜା ମନୋରଞ୍ଜନ କରିଥିଲେ । ନଗର ପରିକ୍ରମା କରି ମହାରାଜ କଂସ ମୁକ୍ତଆକାଶ ରଙ୍ଗମଞ୍ଚକୁ ପହଞ୍ଚିବା ପରେ ପୌରାଣିକ କଥା ବସ୍ତୁ ଆଧାରରେ ନାଟ୍ୟ ପ୍ରଦର୍ଶିତ ହୋଇଥିଲା । କଂସଙ୍କ ରାଜଦରବାରରେ ରାଜ୍ୟ ସଂଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ । ଅତିଥିମାନଙ୍କ ମନୋରଞ୍ଜନ ପାଇଁ ପ୍ରସନ ନାକ୍ଷୀ ବ୍ରହ୍ମପୁର, ସୃଜନ ସଙ୍ଗୀତ କଣ୍ଟାବାଞ୍ଜି, ମହାକାଳ ଡ୍ୟାନ୍ସ ଗ୍ରୁପ, ବିକି ଡ୍ୟାନ୍ସ ଗ୍ରୁପ କଳାକାରଙ୍କ ଦ୍ୱାରା ନୃତ୍ୟ ଦର୍ଶକଙ୍କୁ ମନମୁଗ୍ଧ କରିନେଇଥିଲା । ଚାଣୁର ମୁଷ୍ଟିକ ନିଥନ, ଅଷ୍ଟମଲ୍ଲ ବଧ, କୁବଳୟା ବଧ, ଧନୁଭଗ୍ନ ଦୃଶ୍ୟ ଦର୍ଶକଙ୍କୁ ଆମୋଦିତ କରିଥିଲା । କୃଷ୍ଣ ହାତରେ କଂସ ନିହତ ହୋଇଥିଲେ । କଂସ ବଧ ପରେ ଏକ ବିରାଟ ପୁତ୍ତଳିକା ଦାହ କରାଯାଇ ଆତସବାଜୀରେ ଧନୁଯାତ୍ରା ପଡିଆ ଝଲସି ଉଠିଥିଲା । ୫ ଦିନ ବ୍ୟାପୀ ହୋଇଥିବା ଯାତ୍ରାରେ କଂସ ଭୂମିକାରେ ଲୋଇସିଂହାର ରବୀନ୍ଦ୍ର କୁମାର ସାହୁ ଅଭିନୟ କରିବା ସହ ଅଞ୍ଚଳର ବହୁ କଳାକାରମାନେ ଅଭିନୟ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ କମିଟି ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଡ. ନାରାୟଣ ମିଶ୍ର ଓ ବିକାଶ ରଞ୍ଜନ ପନିକା ମଂଚ ପରିଚାଳନା କରିଥିଲେ । ଧନୁଯାତ୍ରା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।