ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବିଦ୍ୟାଳୟସ୍ତରୀୟ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଚାଲିଥିବା ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଚକ୍ଷୁ ପରୀକ୍ଷା ଶିବିର ଉଦଯାପିତ ହୋଇଯାଇଛି । ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚକ୍ଷୁ ବିଶେଷଜ୍ଞ ଡ. ଅରବିନ୍ଦ ଆଚାର୍ଯ୍ୟ ଓ ଆଶିଷ କୁମାର ବିଶ୍ୱାଳ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଏଥିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ ଉପସ୍ଥିତ ଥିଲେ । ବିଆର୍ପି ଜୟଗୋପାଳ ଷଡ଼ଙ୍ଗୀ ଓ ଆଇଭି ଯୁଧିଷ୍ଠିର ପଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ସ୍କୁଲରୁ ଆସିଥିବା ୧୮୨ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେଥି ମଧ୍ୟରୁ ୨୯ଜଣଙ୍କର ଦୃଷ୍ଟି ଦୋଷ ଥିବା ଚିହ୍ନଟ ହୋଇଥିଲା । ସେମାନଙ୍କୁ ନିଃଶୁଳ୍କ ଚଷମା ପ୍ରଦାନ କରାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଇଓ ଅଫିସର ଇନ୍ଦ୍ରମଣି ମୁଦୁଲି, ରୂପେଶ ଷାଣ୍ଡ, ସୋମଦତ୍ତ ବାଗ, ବିଶ୍ୱନାଥ ମେହେର, ବଙ୍ଗୋମୁଣ୍ଡା ବିଆର୍ପି ସଦାଶିବ ରଣା ଓ ଆଦର୍ଶ ବିଦ୍ୟାଳୟର କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।