ବଲାଙ୍ଗିର, (କେପିଏନ୍ଏସ୍) : ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ମଣ୍ଡପରେ ଗତ ବୁଧବାରରୁ ଚାଲିଥିବା ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍ରା ଉଦ୍ଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ସାମାଜିକ କର୍ମୀ ସୁଲୋଚନା ମିଶ୍ର ମା’ ସମଲେଶ୍ୱରୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ପୂଜାର୍ଚ୍ଚନା ପରେ ନାଟ୍ୟ ନିର୍ଦ୍ଦେଶକ ୰ଉଗ୍ରେସନ ଷଡଙ୍ଗି ଓ ଲୀଳା ନାଟକ କଳାକାର ୰ ପବିତ୍ର ନାଏକଙ୍କ ସ୍ମୃତିରେ ମଞ୍ଚ ସମର୍ପଣ କରାଯାଇଥିଲା । ସାଇଟ୍ କଲେଜର ପ୍ରତିଷ୍ଠାତା ତଥା ବିଶିଷ୍ଠ ସମାଜସେବୀ ଡ. ଶ୍ରୀକର ମିଶ୍ର ଅତିଥି ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଦୀର୍ଘ ଅର୍ଦ୍ଧ ଶତାବ୍ଦି ଧରି ତାଙ୍କ ସଂସ୍ଥା କିପରି କ୍ରୀଡାର ତଥା ନାଟକର ଉନ୍ନତି ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଡି ହୋଇ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ତଥା ଅର୍ଥନୈତିକ ଉନ୍ନତିରେ ଆଗେଇ ଚାଲି ସମସ୍ତଙ୍କର ଆସ୍ଥାଭାଜନ ହୋଇପରିଛି, ତାହା ସଂକ୍ଷେପରେ ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ଭାବରେ ଯୁବ ନେତା ଗୋପାଳଜୀ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବରେ ସଫଳ ଉଦ୍ୟୋଗୀ କିଶୋର ରଥ ଯୋଗଦାନ କରି ନାଟକ ଜରିଆରେ କେବଳ ଭାଷା କାହିଁକି ସମାଜକୁ ଉଚିତ ମାର୍ଗ ଦର୍ଶନ କରିପାରିବ ବୋଲି କହିଥିଲେ । ପୁନଶ୍ଚ ଏହି ସଂସ୍ଥା ବିଭିନ୍ନ ଜନହିତକର କାର୍ଯ୍ୟକରି ଜିଲ୍ଲାର ଗୌରବ ବଢାଉଛି ବୋଲି କହିଥିଲେ । ସାଇଟ୍ କଲେଜ ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ଅଧ୍ୟକ୍ଷତା କରି ଏମିତି ସମସ୍ତଙ୍କ ଠାରୁ ସହଯୋଗ ମିଳିଲେ ଆଗକୁ ଅନ୍ୟ ଜିଲ୍ଲାମାନଙ୍କୁ ସାମିଲ କରି ନାଟବାଦୀକୁ ଆହୁରି ଆକଷଣୀୟ କରିପାରିବା ବୋଲି କହିଥିଲେ । ଏହି ଅବସରରେ ନାଟ୍ୟ କଳାକାର ସମ୍ବଲପୁରର ତୁଷାର ରଂଜନ ବାରିକ, ବିନିକାର ଗୋପାଳ ଚନ୍ଦ୍ର ପଣ୍ଡା ଓ ବଲାଙ୍ଗିରର ରାମଚନ୍ଦ୍ର ବିଶ୍ୱାଳଙ୍କୁ ନାଟକ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶେଷରେ ରାମ ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ତାପରେ ଅଧ୍ୟାପକ ଅଶୋକ ବେହେରାଙ୍କ ନିର୍ଦ୍ଦେଶନାରେ ବରଗଡ ସୌଖିନ କଳାକାର ସଂଘର କଳାକାରମାନେ ପରିବେଷଣ କରିଥିଲେ ନାଟକ “କାଠର ଚୌକି” । ପରେ ପରେ ସାଇଟ୍ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ସହ ସାଇଟ୍ ନର୍ସିଂ କଲେଜର ନିର୍ଦ୍ଦେଶିକା ତୃପ୍ତିମୟୀ ମିଶ୍ର, ନମିତା ପଟେଲ, ସ୍ନିଗ୍ଧାମିନତି ଦାନୀ, ଲୋପାମୁଦ୍ରା ମିଶ୍ର, ଅନ୍ୱେଷା ସିଂହଦେଓ, ବିଉଟି ମେହର, ହେମନ୍ତୀ ମେହେର, ଆଦ୍ୟାଶା ବେହେରା, ନିରୁପମା ସତ୍ନାମୀ, ବୃନ୍ଦାବନ ମହାକୁର, ଅଶୋକ ପଧାନ, ପ୍ରଶାନ୍ତ ତ୍ରିପାଠୀ, ସନ୍ତୋଷ ବ୍ରହ୍ମା, ଆଦିତ୍ୟ ପଟ୍ଟନାୟକ, ବୁଲୁ ମିଶ୍ର, ପ୍ରହ୍ଲାଦ ଦର୍ଜି, ପ୍ରଫୁଲ୍ଲ ମିଶ୍ର, ପ୍ରେମାନନ୍ଦ ସାଏ, ମିଲି ବାରିକ, ଲୋକନାଥ ସିଂହ ଆଦି ସହଯୋଗ କରିଥିଲେ ।
Prev Post