ଆଗଲପୁର, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ବିଧାୟକ ତଥା ଓଡିଶା ପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗଙ୍କ ଉଦ୍ୟମରେ ଜିଲ୍ଲା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ଆୟୋଜିତ କ୍ରମେ ଏବଂ ୟୁନି ଲାଇଟ ସହାୟତାରେ ଗତ ଫେବୃଆରୀ ୮ ତାରିଖ ଠାରୁ ଲୋଇସିଂହା ବିଧାନ ମଣ୍ଡଳୀର ୩ ଗୋଟି ବ୍ଲକ ଯଥା-ଆଗଲପୁର, ଲୋଇସିଂହା ଓ ପୁଇଁତଲା ବ୍ଲକରେ ପଂଚାୟତ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ମନୋନୀତ ୪ ଗୋଟି ଦଳକୁ ନେଇ ସେମିଫାଇନାଲ ହୋଇଥିଲା । ଏଥିରେ ଆଗଲପୁର ବ୍ଲକ ନଅଗାଁ (ଖ) ଓ ଲୋଇସିଂହା ବ୍ଲକ ବାଦୀବାହାଲ ଫାଇନାଲକୁ ମନୋନୀତ ହୋଇଥିଲେ ଏବଂ ଉକ୍ତ ଦୁଇ ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ଖେଳ ଶେଷ ସୁଦ୍ଧା କେହି କାହାକୁ ଗୋଲ ଦେଇ ନ ଥିବାରୁ ଟ୍ରାଇବେକରର ସହାୟତା ନିଆଯାଇଥିଲା । ଏଥିରେ ନଅଗାଁ-୩-୨ ବାଦୀବାହାଲକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲା । ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମକୁ ବିଧାୟକ ଡ. ମୁକେଶ ମହାଲିଙ୍ଗ, ଏବିଡିଓ ଆଗଲପୁର ରୁଦ୍ର ପ୍ରସାଦ ସୁନା, ଲୋଇସିଂହା ବ୍ଲକ ବି.ଡି.ଓ ଅକ୍ଷୟ ପାଣି ଉଡୁ ମଞ୍ଚାସୀନ ଥିଲେ । ମୋଟ ୨୬ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ । ମ୍ୟାନ ଅଫ ଦି ମ୍ୟାଚ୍ରେ ଓ ମ୍ୟାନ ଅଫ୍ ଦି ସିରିଜ ଓ ଗୋଲ କିପର ଭାବେ ନଅ ଗାଁ (ଖ)ର ସୌମ୍ୟ ଭୋଇ, ସୁନୀଲ ଭୋଇ ଓ ରିଙ୍କୁ ବିଶ୍ୱାଳଙ୍କୁ ବିଧାୟକଙ୍କ ତରଫରୁ ପୁରସ୍କାର ପ୍ରଦାନ କରଯାଇ ବିଜୟୀ ନଅଗାଁ (ଖ) ଦଳକୁ ଟ. ୩୦.୦୦୦ ଓ ବାଦୀବାହାଲ ଦଳକୁ ଟ ୨୦.୦୦୦ ଅର୍ଥ ରାଶି ପ୍ରଦାନ କରଯାଇଥିଲା । ଏହି ଖେଳକୁ ଆଖପାଖ ଅଂଚଳରୁ ବହୁ ଦର୍ଶକ ଆସି ଖେଳ ଉପଭୋଗ କରିଥିଲେ । ଏହି ଖେଳ ପରିଚାଳନା ସଭାପତି ରାମଚନ୍ଦ୍ର ସାହୁ, ପଲ୍ଲୀ ଆଲୋକ ପାଠାଗାର ସମ୍ପାଦକ ପ୍ରଶାନ୍ତ ନାୟକଙ୍କ ସମେତ ସମସ୍ତ କର୍ମୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।